ଡମ୍ପର ମାଲିକ ସଂଘରେ ବିବାଦ;ଗଠନ ହେଲା ନୂତନ ସଂଘ

ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ଖଣି ଅଂଚଳ ଜୁରୁଡି ଠାରେ ମଙ୍ଗଳବାର ଏକ ନୂତନ ଟ୍ରକ ମାଲିକ ସଂଘ ଗଠନ କରାଯାଇଛି । ଯୋଡା ଖଣି ମଣ୍ଡଳର ଖଣି ବହୁଳ ଅଂଚଳ ହୋଇଥିବାରୁ ସ୍ଥାନୀୟ ଲୋକେ ନିଜର ଜୀବିକା ନିର୍ବାହ ପାଇଁ ଖଣି ଉପରେ ନିର୍ଭର କରିଚଳୁଥିଲେ । ମାତ୍ର ଖଣିରେ ସମ୍ପୂର୍ଣ୍ଣ ଯାନ୍ତ୍ରିକ ପଦ୍ଧତି ପ୍ରଚଳନ ହେବା ପରେ ସ୍ଥାନୀୟ ଲୋକେ ଖଣିରୁ ଛଟେଇ ହେଉଛନ୍ତି । ଫଳରେ ନିଜର ପରିବାର ଭରଣପୋଷଣ ପାଇଁ ଜମିବାଡି ବିକି ଋଣ କରି ଡମ୍ପର ଗାଡି ଆଣି ଖଣିର ପରିବହନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ଖଣି ଅଂଚଳରେ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ୱ ଟ୍ରକ ଡମ୍ପର ଚଳାଚଳ କରୁଥିଲା । କିନ୍ତୁ, ନୂତନ ଟେକ୍ନୋଲୋଜି ବାହାରିବା ସହ ନୂତନ ବଡ ବଡ ଭାରିଯାନ ଆସିବାରୁ ଅଂଚଳରେ କାର୍ଯ୍ୟ କରୁଥିବା ଡମ୍ପର ମାଲିକମାନେ ଧୀରେ ଧୀରେ କାର୍ଯ୍ୟହରା ହୋଇ ଆର୍ଥିକ କ୍ଷତି ସହିବା ସହିତ ଦୁଃଖରେ କାଳତିପାତ କରୁଛନ୍ତି । ବର୍ତମାନ ଡିଜେଲ ଦର ବୃଦ୍ଧି ହେବା ସହିତ ପରିବହନ ଭଡା କମ୍ ପାଇବା ଯୋଗୁ ଡମ୍ପର ମାଲିକମାନଙ୍କ ପାଇଁ ସମସ୍ୟା ଆହୁରି ବଢିଯାଇଛି । ପୁରୁଣା ଗାଡି ଗୁଡିକ ନିର୍ମାଣ ବନ୍ଦ ହେବା ହେତୁ ଗାଡିର ଅର୍ଜିନାଲ ଯନ୍ତ୍ରାଂଶ ମିଳିପାରୁନାହିିଁ । ନକଲି ଯନ୍ତ୍ରାଂଶ ଅଧିକ ମୂଲ୍ୟରେ କ୍ରୟ କରି ଗାଡି ଚଳାଉଥିବାରୁ ଅନେକ ସମୟରେ ଗାଡି ଖରାପ ହେବା ହେତୁ ଗାଡି ମାଲିକମାନେ ଆର୍ଥିକ କ୍ଷତି ସହୁଛନ୍ତି । ବର୍ତମାନର ନୂତନ ଖଣି ଲିଜଧାରୀମାନେ ପୁରୁଣା ଗାଡି କୁ ଚଳାଇବା ପାଇଁ ବିଭିନ୍ନ ଆଇନ କାନୁନ କରି ୧୦ ଚକରୁ ୨୨ ଚକ ବିଶିଷ୍ଟ ଭାରିଯାନ ଚଳାଇବାକୁ ମସୁଧା ଚଳାଇଥିବାରୁ ଅନେକ ଡମ୍ପର ମାଲିକ ପୁରୁଣା ଗାଡିକୁ ବିକ୍ରୟ କରି ବଡ ବଡ ଭାରିଯାନ କ୍ରୟ କରିଥିଲେ ହେଁ, ସେମାନଙ୍କର ଗାଡିଗୁଡିକୁ ପୁରୁଣା ଡମ୍ପର ମାଲିକ ସଂଘ ଯୋଗୁ ଖଣିରେ ଚଳାଇ ପାରୁନଥିବା ଅଭିଯୋଗ କରିଛନ୍ତି । ଏହି ଡମ୍ପର ମାଲିକ ସଂଘ ଡମ୍ପର ମାଲିକ ମାନଙ୍କର ସ୍ୱାର୍ଥକୁ ବଳିଦାନ ଦେଇ ମନଇଛା କାର୍ଯ୍ୟ କରୁଥିବାରୁ ଆର୍ଥିକ ସଂକଟର ସ୍ୱୀକାର ହେଉଥିବା ଡମ୍ପର ମାଲିକମାନେ ଅତିଷ୍ଠ ହୋଇ “ଜୁରୁଡି ଟ୍ରକ ଆସୋସିଏସନ” ନାମରେ ଏକ ନୂତନ ଟ୍ରକ ମାଲିକ ସଂଘ ଗଠନ କରିଛନ୍ତି । କିଛି ଡମ୍ପର ମାଲିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଯୋଡା ଖଣି ମଣ୍ଡଳର ବିଭିନ୍ନ ଖଣିରେ ମାଇନିଂ ଏରିଆ ଟ୍ରକ ଓନର ଆସୋସିଏସନ(ମାଟୋଆ)ର ଅନୁକମ୍ପାରେ ହାଇଓା ଟ୍ରକ ଚଳାଚଳ କରୁଥିଲେ ହେଁ, କେତେକ ନିର୍ଦ୍ଦିଷ୍ଠ ଖଣିରେ ନିଜର ସ୍ୱାର୍ଥସାଧନ ପାଇଁ ବଡ ବଡ ଭାରିଯାନ(ହାଇଓା) ଚଳାଚଳକୁ ପ୍ରତିବନ୍ଧକ ଲଗାଇବାକୁ ମାଟୋଆ ଉଦ୍ୟମ ଚଳାଇଥିବା ଡମ୍ପର ମାଲିକମାନେ ଅଭିଯୋଗ କରିଛନ୍ତି । ଏଣୁ ଅସନ୍ତୁଷ୍ଟ ଗାଡିମାଲିକମାନଙ୍କୁ ନେଇ ଜୁରୁଡିଠାରେ ଏହି ନୂତନ ଟ୍ରକ ମାଲିକ ସଂଘ ଗଠନ କରାଯାଇ, ଏହାର ପଂଜୀକରଣ କରାଇବା ପାଇଁ ଜିଲା ପ୍ରଶାସନ ପାଖରେ ଆବେଦନ କରାଯାଇଥିବା ଅଂଚଳର ବରିଷ୍ଠ ଶ୍ରମିକ ନେତା ମହେଶ୍ୱର ରାଉତ ସୂଚନା ଦେଇଛନ୍ତି । ଶ୍ରମିକ ନେତା ତଥା ଯୁବ ସଂଗଠକ ମହେନ୍ଦ୍ର ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ସଂଘ ଖଣି କମ୍ପାନୀ ସହ ଆଲୋଚନା କରି ଡିଜେଲ ଦର ବୃଦ୍ଧି ଅନୁଯାୟୀ ପରିବହନ ଭଡା ବୃଦ୍ଧି କରିବା, ଡିସକାଉନ୍ଟ ପେମେନ୍ଟ ବନ୍ଦ କରିବା, ଗାଡିର ରିସିଭିଂ ଚାଲାଣ ପାଇବା ପରେ ଦୈନିକ ଗାଡି ମାଲିକ ଆକାଉନ୍ଟ କୁ ପରିବହନ ଭଡା ପ୍ରଦାନ କରିବା , ଗାଡି ମାଲିକଙ୍କ ନିରାପତା ପ୍ରତି ଧ୍ୟାନ ଦେବା , ଗାଡିକୁ ଅଧିକ କାର୍ଯ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯିବା ପାଇଁ ଉଦ୍ୟମ କରାଯିବା ସହିତ ଆବଶ୍ୟକ ସ୍ଥଳେ ଖଣି କମ୍ପାନୀମାନଙ୍କୁ ଚାପ ପ୍ରୟୋଗ କରାଯିବ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷେ ଏହି ନୂତନ ସଂଘକୁ ବିରୋଧ କରୁଥିବା ମାଇନିଂ ଏରିଆ ଟ୍ରକ ଓନର ଆସୋସିଏସନ(ମାଟୋଆ) ର ସଭାପତି ଚତୁର୍ଭୁଜ ପଲେଇ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଭିନ୍ନ ଖଣିରେ ହେଉଥିବା ହାଇଓା ଟ୍ରକ ଚଳାଚଳକୁ ସଂଘ ପକ୍ଷରୁ ବିରୋଧ କରାଯାଇଛି ଏବଂ ଅସନ୍ତୁଷ୍ଟ ଗାଡି ମାଲିକଙ୍କର ଅଭିଯୋଗ ପ୍ରତି ଦୃଷ୍ଟି ଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ