ଡାକ୍ତର କଫିଲ୍‌ ଖାଁଙ୍କ ସମେତ ଉତ୍ତରପ୍ରଦେଶର ଗୋରଖପୁର ଅପରାଧୀ ତାଲିକାର ୮୦ଜଣ ରହିବେ ପୁଲିସ ରାଡାର୍‌ରେ

ଏକାଧିକ ଥର ଉତ୍ତର ପ୍ରଦେଶ ସରକାରଙ୍କ ସହ ପ୍ରତ୍ୟକ୍ଷ ବିବାଦରେ ସମ୍ପୃକ୍ତ ଥିବା ଗୋରଖପୁରର ଡାକ୍ତର କଫିଲ୍‌ ଖାଁଙ୍କ ସମେତ ଜିଲ୍ଲାର ୮୦ଜଣଙ୍କୁ ଅପରାଧୀ ତାଲିକାଭୁକ୍ତ କରାଯାଇଛି। ସେମାନେ ପୁଲିସ ରାଡାର୍‌ରେ ରହିବେ। ୨୦୧୭ରେ ଅମ୍ଳଜାନ ଅଭାବଜନିତ ଶିଶୁମୃତ୍ୟୁରେ ସମ୍ପୃକ୍ତି ଥିବା ଅଭିଯୋଗରେ ଗୋରଖପୁରସ୍ଥିତ ‘ବିଆର୍‌ଡି ମେଡିକାଲ୍‌ କଲେଜ’ରୁ ଡାକ୍ତର କଫିଲ୍‌ ଖାଁଙ୍କୁ ନିଲମ୍ବିତ କରାଯାଇଥିଲା।ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଯୋଗେନ୍ଦ୍ର କୁମାରଙ୍କ ନିର୍ଦେଶରେ ଗୋରଖପୁର ପୁଲିସ ୮୧ଜଣ ବ୍ୟକ୍ତିଙ୍କ ବିରୋଧରେ ‘ହିଷ୍ଟ୍ରି-ସିଟ୍ସ୍‌’ ବା ଅପରାଧିକ ତାଲିକା ପ୍ରସ୍ତୁତ କରିଛି। ଗୋରଖପୁର ଥାନାର ଜଣେ କର୍ମଚାରୀ କହିଛନ୍ତି ଯେ, ଏବେ ସମୁଦାୟ ଅପରାଧିକ ରେକର୍ଡ ଥିବା ବ୍ୟକ୍ତିଙ୍କ ସଂଖ୍ୟା ୧,୫୪୩ରେ ପହଞ୍ଚିଛି। କଫିଲ୍‌ ଖାଁଙ୍କ ଭାଇ ଆଦିଲ୍‌ ଖାଁ ଗଣମାଧ୍ୟମକୁ କହିଛନ୍ତି ଯେ, ଅପରାଧିକ ତାଲିକା ୨୦୨୦ ଜୁନ୍‌ ୧୮ ତାରିଖରେ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଶୁକ୍ରବାର ଦିନ ଗଣମାଧ୍ୟମକୁ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଥିଲା। ଶନିବାର ଦିନ ରିଲିଜ୍‌ ହୋଇଥିବା ଏକ ଭିଡିଓ ବାର୍ତ୍ତାରେ କଫିଲ୍‌ ଖାଁ କହିଛନ୍ତି, ଉତ୍ତର ପ୍ରଦେଶ ସରକାର ମୋ ଅପରାଧିକ ତାଲିକା ଉନ୍ମୁକ୍ତ କରିଛନ୍ତି। ଜୀବନବ୍ୟାପୀ ମୋ ଉପରେ ନଜର ରଖିବେ ବୋଲି ସେମାନେ କହିଛନ୍ତି। ଭଲକଥା, ମୋତେ ଜଗିବାକୁ ଦୁଇଜଣ ନିରାପତ୍ତା ରକ୍ଷୀ ଦିଆଯାଉ। ଅନ୍ତତଃ, ମିଛ ମାମଲାରୁ ମୁଁ ରକ୍ଷା ପାଇପାରିବି। ସେ ଆହୁରି ମଧ୍ୟ କହିଛନ୍ତି, ଉତ୍ତର ପ୍ରଦେଶରେ ପରିସ୍ଥିତି ଏମିତି ଯେ, ଅପରାଧିଙ୍କ ପ୍ରତି ନଜର ନାହିଁ। କିନ୍ତୁ, ନିରୀହ ବ୍ୟକ୍ତିମାନଙ୍କର ଅପରାଧିକ ତାଲିକା ଖୋଲାଯାଇଛି। ଏଥିରେ ସେ ମଧ୍ୟ କହିଛନ୍ତି ଯେ, ଗୋରଖପୁରର ‘ବିଆର୍‌ଡି ମେଡିକାଲ୍‌ କଲେଜ୍‌’ରେ ତାଙ୍କୁ ପୁନଃନିଯୁକ୍ତି ଦିଆଯାଉ ବୋଲି ଅନୁରୋଧ କରି ସେ ଉତ୍ତର ପ୍ରଦେଶ ସରକାରଙ୍କୁ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ କି, ଡାକ୍ତର କଫିଲ ଖାଁଙ୍କ ନିଲମ୍ବନ ଆଦେଶକୁ ପୁନର୍ବିଚାର କରିବା ଲାଗି ‘ଦି ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌’ ମଧ୍ୟ ଉତ୍ତର ପ୍ରଦେଶ ସରକାରଙ୍କୁ ଅନୁରୋଧ କରି ପତ୍ର ଲେଖିଛି। ‘ସିଏଏ’ ପ୍ରତିବାଦ ସମୟରେ ୨୦୧୯ ଡିସେମ୍ବର ୧୯ରେ ଆଲିଗଡ଼ ମୁସ୍‌ଲିମ୍‌ ବିଶ୍ୱବିଦ୍ୟାଳୟରେ ଘୃଣ୍ୟ ଭାଷଣ ଦେବା ପରେ ୨୦୨୦ ଜାନୁଆରିରେ ଡାକ୍ତର କଫିଲ୍‌ ଖାଁଙ୍କୁ ଗିରଫ କରାଯାଇଥିଲା। ୨୦୨୦ ସେପ୍ଟେମ୍ବର ୧ରେ ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଆଦେଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ