ଡାକ ବିଭାଗ କର୍ମଚାରୀ ଦ୍ୱାରା ୰ ଜୀବନକୃଷ୍ଣ ଦାସଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ସମାରୋହ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଡାକଘର କର୍ମଚାରୀ ଓ ପେନସନ୍ଭୋଗୀଙ୍କ ତରଫରୁ ସହଦେବଖୁଣ୍ଟାସ୍ଥିତ ସଂଘଗୃହ ଜୀବନକୃଷ୍ଣ ଭବନରେ ପ୍ରତିଷ୍ଠାତା ସଭ୍ୟ ସ୍ୱର୍ଗତ ଜୀବନକୃଷ୍ଣ ଦାସଙ୍କ ୨୫ତମ ଶ୍ରାଦ୍ଧ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ତୃତୀୟଶ୍ରେଣୀ ସଂଘର ସଭାପତି ସାଥୀ ଅଜୟ ନାରାୟଣ ଦାସ ସଭାପତିତ୍ୱ କରିଥିଲେ । ପୂର୍ବତନ କେନ୍ଦ୍ର ସଂଘର ନେତା ସାଥୀ ନିରଞ୍ଜନ ରାଉତ, ପୂର୍ବତନ ସଂପାଦକ ସାଥୀ ଅକ୍ଷୟ କୁମାର ତ୍ରିପାଠୀ, ଗୋପାଳ ଚନ୍ଦ୍ର ପଢ଼ିଆରୀ, କୁଞ୍ଜବିହାରୀ ଦାଶ, ସଂପାଦକ ରାଜେନ୍ଦ୍ର କୁମାର ମଲ୍ଲିକ ମଞ୍ଚାସୀନ ହୋଇ ସେମାନଙ୍କ ବକ୍ତବ୍ୟରେ ସ୍ୱର୍ଗତ ଦାସଙ୍କୁ ଜଣେ ଆଦର୍ଶ, ନୀତିବାନ, ଜଣେ ଟାଣୁଆ ନେତା ଥିବାର କହିଥିଲେ । ତାଙ୍କର କାର୍ଯ୍ୟକାଳ ସମୟରେ ବାଲେଶ୍ୱରରେ ସର୍ବଭାରତୀୟ ଡାକ ସମ୍ମିଳନୀ, କର୍ମଚାରୀଙ୍କ ପାଇଁ ସମବାୟ ସମିତିର ପ୍ରତିଷ୍ଠା ଓ ଡାକ କର୍ମଚାରୀଙ୍କର ସୁରକ୍ଷା ଓ ବହୁ ଜନହିତକାରୀ କାର୍ଯ୍ୟ କରିଥିଲେ । ତାଙ୍କର ସ୍ମୃତି ପାଇଁ ବାଲେଶ୍ୱର ସହଦେବଖୁଣ୍ଟାରେ ତାଙ୍କ ନାମରେ ଏକ ତିନି ମହଲା ବିଶିଷ୍ଟ ସଭାଗୃହ ନିର୍ମାଣ ହୋଇଅଛି । ସାଥୀ ମହେଶ୍ୱର ନାୟକ, ବଳରାମ ଜେନା, ବୁଧୁରାମ ସିଂ, ସରୋଜ କୁମାର ସାହୁ, ଅଂଶୁମାନ କୁଣ୍ଡୁ, ମନୋଜ କୁମାର ମଲ୍ଲିକ ପ୍ରମୁଖ ବହୁ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ଶ୍ରୀ ରବି କୁମାର ପାଣିଗ୍ରାହୀଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସଂଘର କୋଷାଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।