ଡିଏସିପି ପାଇଁ ଓମ୍‌ସାର ଆନ୍ଦୋଳନ ପାଇଁ ସଜବାଜ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ସ୍ୱାସ୍ଥ୍ୟସେବା ସଂଘ (ଓମ୍‌ସା) ସ୍ୱାସ୍ଥ୍ୟସେବାରେ ଉନ୍ନତି ଓ ଭିତ୍ତିଭୂମି ସୁଦୃଢ ପାଇଁ ସର୍ବଦା କାର୍ଯ୍ୟକରି ଆସିଛି, ଯାହାକି ଓଡ଼ିଶାର ସର୍ବସାଧାରଣ ଓ ମୁଖ୍ୟମନ୍ତ୍ରୀ ହୃଦୟଙ୍ଗମ କରିଛନ୍ତି ଏବଂ କେତେକ ଡ଼ାକ୍ତର ମଧ୍ୟ କୋଭିଡ଼ ସମୟରେ ହରାଇଛନ୍ତି । ଏହି ସଂଘର ଡିଏସିପି ଦାବି ବିଷୟରେ ୨୦୦୯ମସିହାରୁ ବାରମ୍ବାର ଲିଖିତ ରୂପେ ଜଣାଇବା ପରେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ଗତ ୩ ବର୍ଷ ମଧ୍ୟରେ ଚାରିଜଣ ସ୍ୱାସ୍ଥ୍ୟ ସଚୀବ ଆସିଲେଣି ଓ ଓମ୍‌ସା ସହ ତିନିଥର ବୈଠକ କରିସାରିଛନ୍ତି । କିନ୍ତୁ ବୈଠକର ବିବରଣୀଟିଏ ଦେବା ପାଇଁ ଶ୍ରେୟ ମଣିନାହାଁନ୍ତି । ତେଣୁ ଓମ୍‌ସାର ମୁଖ୍ୟ ଦାବି ହେଲା ଡିଏସିପି ବା ସମାନୁବର୍ତ୍ତିତ ପଦୋନ୍ନତି । ୨୦୦୯ ମସିହାରୁ କେନ୍ଦ୍ର ସରକାର ଡ଼ାକ୍ତରମାନଙ୍କୁ କେନ୍ଦ୍ରୀୟ ହାରରେ ଡିଏସିପି ପ୍ରଦାନ କରି ଆସୁଥିବା ବେଳେ ୨୦୧୮ ମସିହାରେ ଭାରତର ପଡ଼ୋଶୀ ରାଜ୍ୟ ବିହାର ଭଳି ଗରିବ ରାଜ୍ୟ ମଧ୍ୟ ଡ଼ାକ୍ତରମାନଙ୍କୁ ଡିଏସିପି ପ୍ରଦାନ କରିଛନ୍ତି । ୧୬ରୁ ଅଧିକ ରାଜ୍ୟ ମଧ୍ୟ ଡାକ୍ତରଙ୍କୁ ସିଜିଏଚ୍‌ଏସ୍ ବା କେନ୍ଦ୍ରୀୟ ସ୍ୱାସ୍ଥ୍ୟସେବା ସମତୁଲ ଡିଏସିପି ୪,୯,୧୩,୨୦ ଚାକିରୀ ବୟସରେ ଦେଇଛନ୍ତି ଓ ଗ୍ରେଡ୍ ପେ ୧୦ ହଜାର ୨୦ ବର୍ଷରେ ଦେଇଛନ୍ତି । କିନ୍ତୁ ଓଡ଼ିଶା ରାଜ୍ୟରେ ଡିଏସିପି ନାମରେ ୭,୧୪,୨୧ ବର୍ଷରେ ପ୍ରମୋଶନ ବ୍ୟବସ୍ଥା କରି ଠକି ଦେଇଛନ୍ତି । ଦନ୍ତ ଚିକିତ୍ସକମାନେ ଓଏମ୍‌ଏଚ୍‌ଏସ୍ କ୍ୟାଡ଼ର ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ ଡିଏସିପି ବ୍ୟବସ୍ଥା ହୋଇନାହିଁ । ତେଣୁ ଆଜିର ସାଧାରଣ ବୈଠକରେ କେନ୍ଦ୍ରୀୟ ହାରରେ ସମସ୍ତ ଡ଼ାକ୍ତରଙ୍କୁ ସିଜିଏଚ୍‌ଏସ୍ ପରି ଡିଏସିପି ଦେବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଉଛି । ଆଜି ୧୦.୧୨.୨୦୨୨ରିଖ ଓମ୍‌ସାର ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଗଲା ଯେ, ଆସନ୍ତା ଏକମାସ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ପାଇଁ ସରକାର ଯଦି ନ ଡ଼ାକନ୍ତି, ତାହେଲେ ଓମ୍‌ସା ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ । ଏହି ବୈଠକରେ ଓମ୍‌ସା ରାଜ୍ୟ ସଭାପତି ଡଃ ନାରାୟଣ ରାଉତ, ସାଧାରଣ ସମ୍ପାଦକ ଡଃ ବିଶ୍ୱଜିତ ସାମଲ, କୋଷାଧ୍ୟକ୍ଷ ଡଃ କ୍ଷୀରୋଦ ଚନ୍ଦ୍ର ପାଲ ଓ ଅନ୍ୟାନ୍ୟ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଭ୍ୟ, କିଛି ସିଡ଼ିଏମ୍‌ଓ, ନିର୍ଦ୍ଦେଶକ ଓ ୪୦୦ରୁ ଉର୍ଦ୍ଧ୍ୱ ଡାକ୍ତର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ