ଡିଜିଟାଲ ଓଜନ କଣ୍ଟାରେ ହେରଫେର
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଠକାମୀର ଶିକାର ହେଉଛନ୍ତି ଚାଷୀ, ଆଉ ଚାଷୀଙ୍କୁ ଠକି ମାଲାମାଲ ହେଉଛନ୍ତି ଧାନ ବେପାରୀ। ଧାନ କିଣିବା ବେଳେ ଚାଷୀଙ୍କୁ ଠକିବାର ନୂଆ ତରିକା ଆପଣେଇଛନ୍ତି ଧାନ ବେପାରୀ ଆଉ ଡିଜିଟାଲ ଓଜନ କଣ୍ଟାରେ ହରଫେର କରି ରିମୋଟ ମାଧ୍ୟମରେ ଠକୁଛନ୍ତି ବ୍ୟାପାରି ! ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ସୁନାପୋଷି ଗ୍ରାମରେ !ଲ୍ୟାମ୍ପରେ ମିଲର ଏବଂ ବ୍ୟାପାରି ମାନଙ୍କ ରାଜୁତି ଚାଲୁଥିବା ବେଳେ ଟୋକନ ପାଇ ମଧ୍ୟ ଚାଷି ଧାନ ବିକି ପାରୁ ନଥିବାବେଳେ ବହୁ ଚାଷି ଟୋକନ ପାଇ ପାରୁ ନାହାନ୍ତି। ଫଳରେ ଲ୍ୟାମ୍ପରେ ସରକାରୀ ଦର ୧,୮୮୮ ଟଙ୍କା ରହିଥିବାବେଳେ ୧,୨୦୦ ଟଙ୍କା ଦରରେ ବେପାରୀଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ ! ବ୍ୟାପାରୀ ମାନେ ଗାଁ ଗାଁ ବୁଲି କମ୍ ଦରରେ ଧାନ କିଣୁଥିବା ବେଳେ ଡିଜିଟାଲ ଓଜନ କଣ୍ଟାରେ ସର୍କିଟ୍ ଲଗାଇ ରିମୋଟ ଦ୍ୱାରା ନିୟନ୍ତ୍ରଣ କରି ପ୍ରତ୍ୟକ ଧାନ ବସ୍ତାରେ ୧୨ରୁ ୧୫ କେଜି ଓଜନ କମ ଦେଖାଇ ଠକୁଥିବା ଜଣାପଡ଼ିଛି ! ଯାହାଫଳରେ ଚାଷୀ ଦିନରାତି ପରିଶ୍ରମ ଦ୍ବାରା ଉପାର୍ଜିତ ନିଜ ଅମଳର ସଠିକ ମୂଲ୍ୟ ପାଇ ନପାରି କ୍ଷତି ସହୁଥିବା ବେଳେ ଠକାମିର ଶିକାର ହେଉଥିବା ପରି ଘଟଣା ଲୋକଲୋଚନକୁ ଆସିଛି! ସୁନାପୋଷି ଗ୍ରାମର ଚାଷୀ ନର୍ସିଂ ବାସ୍କେଙ୍କ ଠାରୁ ବହଳଦା ନିକଟସ୍ଥ ମହୁଲବୋରେଇ ଗ୍ରାମର ମଙ୍ଗଲ ସିଂ ନାମକ ଜନୈକ ଧାନ ବେପାରୀ ଧାନ କିଣୁଥିବାବେଳେ ଏହା ପ୍ରମାଣିତ ହୋଇଛି ! ତେବେ ବ୍ୟାପାରିଙ୍କ ଦ୍ବାରା ଓଜନ କରାଯାଉଥିବା ବେଳେ ସନ୍ଦେହ ହେବାରୁ ଓଜନ କଣ୍ଟାରେ ୩’ କିଲୋଗ୍ରାମ ଓଜନର ବଟକରା ରଖି ଓଜନ କରାଯିବାରୁ ତାହା ୨’କିଲୋ ୫୦୦’ ଗ୍ରାମ ଦେଖାଇଥିଲା। ଅନ୍ୟ ଏକ ଓଜନ କଣ୍ଟାରେ ଧାନ ବସ୍ତା ଓଜନ କରାଯିବା ପରେ ଗୋଟିଏ ଧାନବସ୍ତାରୁ ୧୨ ରୁ ୧୫’ କିଲୋଗ୍ରାମ ଠକୁଥିବା ଜଣା ପଡିଥିଲା। ତେବେ ବ୍ୟାପାରୀ ଜଣକ ଗ୍ରାମବାସୀଙ୍କୁ ଠକୁଥିବା ଘଟଣା ପଦାକୁ ଆସିଲା ପରେ ସାହିପଡିଶା ଲୋକେ ଏବଂ ଗ୍ରାମବାସୀ ଏକତ୍ରୀତ ହେଉଥିବା ଦେଖି ଭୟରେ ଗାଡି ଓ କର୍ମଚାରୀଙ୍କୁ ଛାଡି ଫେରାର ହୋଇଯାଇଥିଲେ ବେପାରୀ ଜଣକ। ଓଡି୧୧ଏନ୍-୨୯୧୪’ ନଂ ବିଶିଷ୍ଠ ଟାଟା ଏସିଇ ଧାନ ବୋଝେଇ ଗାଡି ଓ ଓଜନ କଣ୍ଟା ସହିତ ଧାନ ବ୍ୟାପାରରେ ନିୟୋଜିତ ଶ୍ରମିକ’ଙ୍କୁ ଅଟକ ରଖି ପୋଲିସକୁ ଖବର ଦେବା ସହିତ ଲିଖିତ ଅଭିଯୋଗ କରିଥିଲେ ଗ୍ରାମବାସୀ। ତିରିଂ’ଥାନା ପୋଲିସ୍ ଗତକାଲି ରାତିରେ ଘଟଣାସ୍ଥଳକୁ ପହଞ୍ଚି ଫେରି ଯାଇଥିବାବେଳେ ଦୁଇଦିନ ଧରି ଗାଡି ଓ ଓଜନ କଣ୍ଟା ଗ୍ରାମବାସୀ’ଙ୍କ ନିକଟରେ ରହିଛି। ଏପରି ଏକ ସମେଦନଶୀଳ ଘଟଣାରେ ପୋଲିସ୍ ର ଶିଥିଳତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଗାଡି ଓ ଓଜନକଣ୍ଟା କୁ ଜବତ କରାଯାଇ ଓଜନକଣ୍ଟାରେ କରାଯାଇଥିବା ହେରଫେର ର ଯାଞ୍ଚ କରାଯିବା ସହିତ ଦୋଷିଙ୍କ ବିରୁଦ୍ଧରେ ଆଇନ ଅନୁଯାଇ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।ତେବେ ସମଗ୍ର ବାମଘାଟୀ ଅଞ୍ଚଳରେ ଏପରି ଶହଶହ ଧାନ ବ୍ୟାପାରୀ କାରବାର ଚଲାଇଥିବାବେଳେ ପ୍ରଶାସନ ଏବଂ ଓଜନ ଓ ମାପ ବିଭାଗ ସମସ୍ୟା ପ୍ରତି ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନେଇ ସାଧାରଣରେ ଦାବି ହେଉଛି।