ଡିସକସ୍ ଥ୍ରୋ ରେ ସର୍ବଭାରତୀୟ ଯୋଗ୍ୟତା ଲାଭ କଲେ ଦେବୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲାରେ ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଙ୍ଗଠନ, ଭୁବନେଶ୍ୱର ଓ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଙ୍ଗଠନ, କେନ୍ଦୁଝର ଦ୍ୱାରା ଆୟୋଜିତ ୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଖେଳକୁଦ ପ୍ରତିଯୋଗୀତା ୨୦୨୪-୨୫ ଗତ ବୁଧବାର ଦିନ ସ୍ଥାନୀୟ ଧରଣୀଧର ସ୍ପୋର୍ଟସ୍ କମ୍ଲେକ୍ସ ପରିସରରେ ଉଦଯାପିତ ହୋଇଯାଇଛି ।ଏହି ପ୍ରତିଯୋଗୀତାରେ ୧୪ ବର୍ଷରୁ କମ୍ ଡ଼ିସକସ୍ ଥ୍ରୋ ର ବାଳକ ବର୍ଗରେ ହାଟଡ଼ିହି ବ୍ଲକ୍ ଅନ୍ତର୍ଗତ କପୁଣ୍ତି ଗ୍ରାମର ତପନ କୁମାର ଜେନାଙ୍କ ପୁଅ ଦେବୀ ପ୍ରସାଦ ଜେନା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଦେବୀ ପ୍ରସାଦ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଅନ୍ତର୍ଗତ ଜାହାଡ଼ା ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣିରେ ଅଧ୍ୟୟନ କରୁଛନ୍ତି । ନଭେମ୍ବର ମାସ ୧୦ ତାରିଖରୁ ଆରମ୍ଭ ହୋଇ ୪ ଦିନ ଧରି ଚାଲିଥିବା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗୀତାର ଡିସକସ୍ ଥ୍ରୋ ରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ସର୍ବାଧିକ ୪୦.୧୬ ମିଟର ଫିଙ୍ଗି ଦେବୀ ପ୍ରସାଦ ପ୍ରଥମ ସ୍ଥାନ ଅଧିକାର କରିବା ସହ ଆସନ୍ତା ଡ଼ିସେମ୍ବର ମାସରେ ଲକ୍ଷ୍ନୋରେ ହେବାକୁ ଥିବା ଜାତୀୟସ୍ତର ପ୍ରତିଯୋଗୀତା ରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି । ଏହି ସଫଳତା ପରେ ବିଦ୍ୟାଳୟର ଖେଳଶିକ୍ଷକ ପାଣ୍ତବ ସ୍ୱାଇଁ, ସହଯୋଗୀ ରୋସନ ସ୍ୱାଇଁ ଖୁସି ବ୍ୟକ୍ତ କରିଛନ୍ତି । ଦେବୀ ପ୍ରସାଦ ହାଟଡ଼ିହି ବ୍ଲକ୍ ର ଜଣାଶୁଣା ଖେଳଶିକ୍ଷକ ପଦ୍ମନାଭ ସାମଲଙ୍କ ଠାରୁ ପ୍ରଶିକ୍ଷଣ ନେଉଥିଲେ । ଦେବୀ ପ୍ରସାଦ ଙ୍କ ସଫଳତା ବିଦ୍ୟାଳୟର ଛାତ୍ର-ଛାତ୍ରୀ, ଖେଳ ଶିକ୍ଷକ ମଧ୍ୟରେ ନୂତନ ଆଶା ସୃଷ୍ଟି କରିଛି । ଏଥିପାଇଁ ପ୍ରଶିକ୍ଷକ ପଦ୍ମନାଭ ସାମଲ ଦେବୀ ପ୍ରସାଦଙ୍କୁ ଶୁଭେଚ୍ଛା ଜଣାଇବା ସହ ଲକ୍ଷ୍ନୋରେ ହେବା କୁ ଥିବା ଜାତୀୟସ୍ତରର ପ୍ରତିଯୋଗୀତାରେ ସଫଳତା ପାଇବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ