ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ମାଲିକଙ୍କ ଠାରୁ ଦାଦାବଟି ମାଗିବା ଘଟଣା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗୁଲନଗର ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ମାଲିକ ତଥା ଜଣେ ଅସହାୟା ମହିଳାଙ୍କୁ ୫୦ହଜାର ଟଙ୍କା ଦାଦାବଟି ମାଗି ନମିଳିବାରୁ ସେଣ୍ଟରର ମାଲିକାଣୀଙ୍କୁ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ବନ୍ଦ କରିଦେବାକୁ ଧମକ ଦେବା ଏବଂ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଡ୍ରାଇଭିଂ ଟ୍ରେନିଂ ପାଇଁ ଭଡାରେ ଲାଗିଥିବା ଅଭିଯୋଗକାରିଣୀଙ୍କ ଗାଡିକୁ ସେଠାରୁ ହଟାଇ ଦେବାକୁ ଧମକ ଦେଇଥିବା ଅଭିଯୁକ୍ତଙ୍କ ବିରୋଧରେ ହିରନ୍ନମୟୀ ଧଳ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଥିଲେ । ସଦର ଥାନା ବହୁ ବିଳମ୍ବରେ ସେହି ଅଭିଯୋଗ ଉପରେ ମାମଲା ରୁଜୁ କରିଥିଲେବି ଅଦ୍ୟାବଧି ଅଭିଯୁକ୍ତଙ୍କୁ ଗିରଫ ନକରିଥିବାରୁ ସଂପୃକ୍ତ ଅଭିଯୁକ୍ତ ଜଣଙ୍କ ହିରନ୍ନମୟୀ ଧଳଙ୍କୁ ଧମକ ଦେଇ କହିଛି ଯେ ତୋ ଡ୍ରାଇଭିଂ ସେଣ୍ଟର ଉପରେ ପେଟ୍ରୋଲ ଢାଳି ପୋଡି ପାଉଁଶ କରିଦେବି । ଏଥିସହିତ ଆଞ୍ଚଳିକ ପରିବହନ ବିଭଗକୁ ଧମକ ଦେଇ ହିରନ୍ନମୟୀଙ୍କ ଭଡାଗାଡିକୁ ସେଠାରୁ ବାହାର କରିଦେବାକୁ କହିଛି ଅଭିଯୁକ୍ତ । ଏହାଛଡା ହିରନ୍ନମୟୀଙ୍କ ଫଟୋ ଓ ଗାଡିର ଫଟୋକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରି ତାଙ୍କୁ ଓ ତାଙ୍କ ସେଣ୍ଟରକୁ ବଦନାମ କରିଦେବାକୁ ଅଭିଯୁକ୍ତ ଉଦ୍ୟମ କରୁଥିବା ହିରନ୍ନମୟୀ ଆଜି କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କୁ ଭେଟି ଅଭିଯୋଗ କରିବା ସହିତ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ସନ୍ଥପୁରା ଗ୍ରାମର ହିରଣମୟୀ ଧଳଙ୍କ ପିତା ବସନ୍ତ କୁମାର ଧଳ ପ୍ରାୟ ୧୫ଦିନ ହେବ ମୃତ୍ୟୁବରଣ କରିଥିବା ବେଳେ ସେ ସଂପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯିବା ବେଳେ ଏନେଇ ପୋଲିସର ଉଦାସୀନତା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ହିରନ୍ନମୟୀ କହିଛନ୍ତି ।