ଢିଙ୍କିଆରେ ରକ୍ତମୁଖା ପୋଲିସ୍‌କୁ ସମାଜବାଦୀ ପାର୍ଟିର ନିନ୍ଦା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କର୍ପୋରେଟ ସ୍ୱାର୍ଥ ପାଇଁ ଦୀର୍ଘ ଦେଢମାସ ଧରି ଅବରୋଧ ଅବସ୍ଥାରେ ଥିବା ଢିଙ୍କିଆ ଅଞ୍ଚଳବାସୀଙ୍କୁ ହଠାତ୍ ପୋଲିସ୍ ନିର୍ମମ ଲାଠିଚାଳନା କରି ଆହତ କରିବା ଗଣତାନ୍ତ୍ରିକ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ବୋଲି ସମାଜବାଦୀ ପାର୍ଟି ରାଜ୍ୟ କମିଟି ପକ୍ଷରୁ କୁହାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ଧାନ, ପାନ, ମୀନର ସ୍ୱାବଲମ୍ବୀ ଢିଙ୍କିଆବାସୀଙ୍କୁ ଜିନ୍ଦଲ ଇସ୍ପାତ ପ୍ରକଳ୍ପ ପାଇଁ ଭିଟାମାଟିରୁ ଉଚ୍ଛେଦ କରିବାକୁ ପୋଲିସ୍ ଜୋରଜବରଦସ୍ତ ଆଜି ରକ୍ତମୁଖା ହୋଇ ଲାଠିଚାର୍ଜ କରିବା ମାନବିକ ଅଧିକାରର ଘୋର ଉଲଂଘନ । ପୋଲିସ୍ ଲାଠିମାଡ଼ ଯୋଗୁ ଶତାଧିକ ଗ୍ରାମବାସୀ ଆହତ ହୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ଏଭଳିକି ମହିଳାମାନେ ମଧ୍ୟ ଏହି ଲାଠିମାଡ଼ରୁ ବାଦ୍ ପଡ଼ିନାହାଁନ୍ତି । ଆଜି ହଠାତ୍ ଯେତେବେଳେ କିଛି ଲୋକ ନିଜର ପାନ ବରଜର ରକ୍ଷଣାବେକ୍ଷଣ ପାଇଁ ଗାଁରୁ ବାହାରି ପାନବରଜ ଆଡ଼କୁ ଯାଉଥିଲେ, ପୋଲିସ୍ ସେମାନଙ୍କୁ ଗାଁମୁଣ୍ଡରେ ଅଟକାଇ ଲାଠିମାଡ଼ କରିବା ତାଙ୍କର ନିଜ ଜମି ଉପରେ ଥିବା ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ଢିଙ୍କିଆରୁ ତୁରନ୍ତ ପୋଲିସ୍ ପ୍ରତ୍ୟାହାର କରିବା, ଆଜିର ଲାଠିମାଡ଼ ପାଇଁ ମୁଖ୍ୟତଃ ଦାୟୀ ଅଭୟଚାନ୍ଦପୁର ଥାନା ଆଇଆଇସି ଓ ଜଗତସିଂହପୁର ଏସ୍‌.ପି. ଅଖିଳେଶ୍ୱର ସିଂଙ୍କୁ ସେଠାରୁ ଅପସାରଣ କରିବା ଏବଂ ଘଟଣାସ୍ଥଳକୁ ଏକ ଉଚ୍ଚସ୍ତରୀୟ ତଦନ୍ତକାରୀ ଦଳ ପଠାଇ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା, ଆହତ ଢିଙ୍କିଆବାସୀଙ୍କୁ ମାଗଣାରେ ଚିକିତ୍ସା କରିବା ଓ ପୋଲିସ୍ ଘେରାଉ କରିଥିବା ଦେବେନ୍ଦ୍ର ସ୍ୱାଇଁଙ୍କ ସମତେ ୫ଜଣଙ୍କୁ ତୁରନ୍ତ ବିନା ସର୍ତ୍ତରେ ଖଲାସ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । କର୍ପେର୍ାରେଟ ଜିନ୍ଦଲ ପ୍ରକଳ୍ପ ପାଇଁ ସାଧାରଣ ଲୋକଙ୍କ ଉପରେ ପୋଲିସ୍‌ର ନିର୍ମମ ଲାଠିଚାଳନାକୁ ଆଗାମୀ ଦିନରେ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ବେହେରା ପୋଲିସ୍ ପ୍ରଶାସନକୁ ସତର୍କ କରାଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ