ତନ୍ତ୍ରଦେବୀ ବରାହୀଙ୍କ ଶାରଦୀୟ ପାର୍ବଣ ପୂଜା

ସନ୍ତୋଷ କୁମାର ଦାଶ

ପ୍ରାଚୀ ଉପତ୍ୟକାରେ ରହିଥିବା ପ୍ରସିଦ୍ଧ ପ୍ରାଚୀନ ମନ୍ଦିର ମାନଙ୍କ ମଧ୍ୟରୁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତର ଚଉରାଶି ଗ୍ରାମରେ ଥିବା ବରାହୀ ମନ୍ଦିର ଅନ୍ୟତମ।ଐତିହାସିକ କେଦାରନାଥ ମହାପାତ୍ର, ଶ୍ୟାମ ସୁନ୍ଦର ତ୍ରିପାଠୀ, ଡ଼.କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପତ୍ନତତ୍ତ୍ଵ ବିଭାଗର ପୂର୍ବତନ ଅଧ୍ୟକ୍ଷ ଡ଼. ପ୍ରଶାନ୍ତ କୁମାର ରାୟ ପ୍ରମୁଖ ଙ୍କ ମତରେ ପ୍ରାଚୀ ଉପତ୍ୟକାର ବରାହୀ ମନ୍ଦିରଟି ୯ମ ଶତାବ୍ଦୀର କୀର୍ତ୍ତି ହୋଇଥିବାବେଳେ ଏହା ସେ ସମୟ ରେ ତନ୍ତ୍ର ସାଧନା ଓ ତନ୍ତ୍ର ଶିକ୍ଷା ପ୍ରଦାନର ମୁଖ୍ୟ ସ୍ଥଳୀ ଥିଲା। ସେ ସମୟରେ ମା ବରାହୀଙ୍କୁ ପଞ୍ଚମକାର (ମତ୍ସ୍ୟ, ମଦ, ମୁଦ୍ରା,ମୈଥୁନ ଓ ମାଂସ)ରେ ପୂଜା କରା ଯାଉଥିବା ବେଳେ ଏଠାରେ ଅଷ୍ଟ କାମକଳା ଯଥା, ବଶୀକରଣ, ସମ୍ମୋହନ, ଆକର୍ଷଣ, ଯୋନି ଅଭିଷେକ, ପୁନଃଶ୍ଚଚରଣ,ରଜ ପାନ, ପ୍ରସ୍ଥାୟ, ନିବୃତ୍ତି ଆଦି ଶିକ୍ଷା ପ୍ରଦାନ କରା ଯାଉଥିଲା। ଏଥିପାଇଁ ମନ୍ଦିର ଦେହରେ ୬୪ କାମ କଳାର ଚିତ୍ର ଅଙ୍କା ଯାଇଛି। ମନ୍ଦିରର ଆକୃତି ଏକ ଡମ୍ବରୁ ପରି ଓ ଏହା ଖାକ୍ରା ବା ଗଉରୀଚଉରା ଶୈଳୀ ର।ମୁଖଶାଳାର ଆକୃତି ଦେଶୀ ଡଙ୍ଗା ପରି।ମନ୍ଦିର ଟି ସୁକ୍ଷ୍ମ କାରୁକାର୍ଯ୍ୟରେ ପରିପୂର୍ଣ। ମନ୍ଦିରଟି କଳା ମୁଗୁନି ପଥରର ପୀଠ ଉପରେ କ୍ଲୋରାଇଟ ପଥରରେ ନିର୍ମିତ ହୋଇଛି। ମନ୍ଦିରର ପଶ୍ଚିମ ପାଶ୍ଵ କାନ୍ଥରେ ପାଶ୍ଵ ଦେବତା ଭାବେ ସୂର୍ଯ୍ୟ ନାରାୟଣ ପୂଜା ପାଉଥିବା ଦେଖିବାକୁ ମିଳେ। ତ୍ରୟୋଦଶ ଶତାବ୍ଦୀରେ କୋଣାର୍କ ଠାରେ ସୂର୍ଯ୍ୟ ମନ୍ଦିର ନିର୍ମାଣ ସମୟରେ ଏହି ମନ୍ଦିର ଠାରେ କିଛି ଶିଳ୍ପୀ (ବଢ଼େଇ) ଅବସ୍ଥାନ କରି କୋଣାର୍କ ମନ୍ଦିର ପାଇଁ ପଥର ଦେହରେ ସୂକ୍ଷ୍ମ କାରୁକାର୍ଯ୍ୟ କରୁଥିଲେ। ସେହି ପଥର ଗୁଡ଼ିକୁ ପ୍ରାଚୀ ନଦୀ ବକ୍ଷ ରେ ଭେଳା ସାହାଯ୍ୟରେ କୋଣାର୍କକୁ ନିଆ ଯାଉଥିଲା ବୋଲି ଗବେଷକ ମାନେ କୁହନ୍ତି। ବଢ଼େଇ ମାନେ ଏଠାରେ ଦିର୍ଘ କାଳ ଅବସ୍ଥାନ କରି ଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହି ମନ୍ଦିରକୁ ବଢ଼େଇ ଦେଉଳ କୁହା ଯାଇଥାଏ ବୋଲି ଗବେଷକ ଓ ଲେଖକ ଲକ୍ଷ୍ମୀଧର ସାହୁ ତାଙ୍କ ଦ୍ୱାରା ରଚିତ ବିଭିନ୍ନ ଐତିହାସିକ ପୁସ୍ତକରେ ପ୍ରକାଶ କରିଛନ୍ତି।ମା ବରାହୀଙ୍କ ମୂର୍ତ୍ତୀର ଉଚ୍ଚତା ପ୍ରାୟ ୪ଫୁଟ ହୋଇ ଥିବାବେଳେ ମସୃଣ କଳା ମୁଗୁନି ପଥରରେ ନିର୍ମିତ ହୋଇଛି। ମାଙ୍କ ଶରୀରର ରଙ୍ଗ କଳା ଓ ଶକ୍ତ।ମୂର୍ତ୍ତୀ ଟି ଜୀବନ୍ତ ଓ ଭୟଙ୍କର ଦେଖାଯାଏ। ମା ଙ୍କ ମୁହଁ ଟି ବରାହ ପରି ହୋଇ ଥିବାବେଳେ କାନ ରେ ରିଂ ପିନ୍ଧିଛନ୍ତି।
ବେକରେ ଏକ ଲମ୍ବା ହାର ଉନ୍ମୁକ୍ତ ସ୍ତନ ଯୁଗଳ ପର୍ଯ୍ୟନ୍ତ ଲମ୍ବି ଯାଇଛି।ମା ଙ୍କ କପାଳରେ ତୃତୀୟ ନୟନ ଥିବାବେଳେ ନାଭି ସ୍ଥାନରେ ଏକ ବିରାଟ ଗର୍ତ୍ତ ଦେଖାଯାଏ।ଗ୍ରାମବାସୀ ପ୍ରଭାତ କୁମାର ଦାଶ କୁହନ୍ତି ଯେ, ସେ ସମୟରେ ଆଲୋକର ବ୍ୟବସ୍ଥା ନ ଥିଲା।ବରାହୀ ମନ୍ଦିର ର ଗର୍ଭ ଗୃହ ସମ୍ପୂର୍ଣ ଅନ୍ଧକାର। ମାଙ୍କ ନାଭି ସ୍ଥାନରେ ଏକ ବୃହତ ହୀରା ଖଞ୍ଜା ଯାଇଥିଲା। ସେହି ହୀରା ଦ୍ୱାରାମନ୍ଦିରର ଅନ୍ଧକାର ଗର୍ଭ ଗୃହ ଆଲୋକିତ ହୋଇ ପାରୁଥିଲା। ଉକ୍ତ ହୀରା ଟିକୁ ପର୍ତ୍ତୁଗୀଜ ଦସ୍ୟୁ ମାନେ ଲୁଟ କରି ନେଇ ଯାଇଥିବା ଲୋକକଥା ରହିଛି। ମା ବରାହୀ ବୌଦ୍ଧ ମହାଯାନୀ ତାନ୍ତ୍ରିକ ମାନଙ୍କର ଆରାଧ୍ୟ ଦେବୀ ଥିଲେ ବୋଲି ଐତିହାସିକ ଓ ଗବେଷକ ମାନେ ମତ ପ୍ରକାଶ କରିଛନ୍ତି। ଏବେ ଆଉ ସେ ସମୟ ନାହିଁ। ଗ୍ରାମବାସୀ ମାନେ ତାଙ୍କୁ ହିନ୍ଦୁ ଧର୍ମର ଦେବୀ ଭାବେ ଗ୍ରହଣ କରି ପୁଜାର୍ଚ୍ଚନା କରି ଆସୁଛନ୍ତି। ପ୍ରତି ଦେବୀ ପୀଠ ପରି ଏଠାରେ ଶାରଦୀୟ ପାର୍ବଣ ପୂଜା ଧୁମ୍ ଧାମରେ ପାଳିତ ହୋଇଥାଏ। ମାଙ୍କ ପୂଜକ ବିଜୟ ପାଣି କୁହନ୍ତି ଯେ, ଆଶ୍ଵିନ ମୂଳାଷ୍ଟମୀ ଠାରୁ ଦଶହରା/ ବିଜୟା ଦଶମୀ ପର୍ଯ୍ୟନ୍ତ ପ୍ରତିଦିନ ମାଙ୍କୁ ଶୁଦ୍ଧ ସ୍ନାନ ପରେ ନବବସ୍ତ୍ର ପିନ୍ଧା ଯାଇଥାଏ। ସକାଳେ ବାଳ ଭୋଗ ସହିତ ଫଳ ମୂଳ, ମଧ୍ୟାହ୍ନରେ ଅନ୍ନ ଭୋଗ ସହିତ ଆମିଷ, ସଂଧ୍ୟାରେ ପୁନଃ ଫଳମୂଳ ଭୋଗ ଲାଗି କରା ଯାଇଥାଏ। ମାଙ୍କ ପୂଜକ ତ୍ରିଲୋଚନ ପାଣି କୁହନ୍ତି ଯେ, ମହାଷ୍ଟମୀ ରାତିରେ ମାଙ୍କ ସମ୍ମୁଖରେ ପୁରୋହିତଙ୍କ ଦ୍ଵାରା ଯଜ୍ଞ କରାଯାଇ ୧୦୮ ବେଲ ପତ୍ର ଅଗ୍ନିରେ ଆହୁତି ପ୍ରଦାନ କରା ଯାଇଥାଏ। ଯାହା ଆଉ କେଉଁଠି ଦେଖିବାକୁ ମିଳେ ନାହିଁ। ଗ୍ରାମବାସୀ ମାନେ ପାଳି ରେ ମାଙ୍କ ପାଇଁ ପୂଜା ସାମଗ୍ରୀ, ବସ୍ତ୍ର, ଭୋଗ ଯୋଗାଇ ଦେବା ସହିତ ପ୍ରତିଦିନ ଆମିଷ ଭୋଗ ଲାଗି କରିଥାନ୍ତି। ଦଶହରା ଦିନ ସମୂହ ଗ୍ରାମବାସୀଙ୍କ ପକ୍ଷରୁ ମାଙ୍କୁ ପଣା ଭୋଗ ଅର୍ପଣ କରା ଯାଇଥାଏ। ଶେଷ ହୁଏ ତନ୍ତ୍ର ଦେବୀ ମା ବରାହୀଙ୍କ ଶାରଦୀୟ ପାର୍ବଣ ପୂଜା। ମନ୍ଦିର ଓ ମା ବରାହୀଙ୍କ ମୂର୍ତ୍ତୀଟି ଅତ୍ୟନ୍ତ ସୁନ୍ଦର ଓ ସୂକ୍ଷ୍ମ କାରୁ କାର୍ଯ୍ୟ ପୂର୍ଣ୍ଣ ହୋଇଥିବାରୁ ଏହାକୁ ଦେଖିବାକୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ବର୍ଷ ସାରା ଏଠାରେ ଯାତ୍ରୀ ମାନଙ୍କ ଭିଡ଼ ଲାଗିଥାଏ। ଭୁବନେଶ୍ଵର – ଅସ୍ତରଙ୍ଗ ମୁଖ୍ୟ ରାସ୍ତାର ଅମରେଶ୍ୱର ବଜାର ଠାରୁ ଉତ୍ତର ଦିଗକୁ ଲମ୍ବି ଯାଇଥିବା ପିଚୁ ରାସ୍ତାରେ ପ୍ରାୟ ୩ କିମି ଗଲେ ମା ବରାହୀଙ୍କ ମନ୍ଦିର ପଡ଼େ.

ତୁଳସୀପୁର ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ