ତରଭା-ସମଣା ବନ୍ଧ ନିର୍ମାଣ ହେଉ ନଥିବାରୁ ହାଟଡିହି ବ୍ଳକ ପ୍ରତି ବନ୍ୟା ବିପତ୍ତି ବଢ଼ୁଛି
ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ତରଭା ଠାରୁ ସମଣା ପର୍ଯ୍ୟନ୍ତ ଦୀର୍ଘ ୫କିଲୋମିଟର ଦୁର ବୈତରଣୀ ନଦୀବନ୍ଧ ନିର୍ମାଣ ହୋଇନଥିବାରୁ ହାଟଡିହି ବ୍ଳକ ପ୍ରତି ବନ୍ୟା ବିପତ୍ତି ବୃଦ୍ଧି ପାଉଛି । ଏହି ବ୍ଳକର ୫୦ରୁ ଉର୍ଦ୍ଧ ଗ୍ରାମ ପାଇଁ ବିପଦ ସୃଷ୍ଟି କରିଛି । ଆନନ୍ଦପୁର ଠାରୁ ତରଭା ଓ ସମଣାରୁ ହାବଳେଶ୍ୱର ପର୍ଯ୍ୟନ୍ତ ନଦୀବନ୍ଧ ଥିବାବେଳେ ମଝିରେ ତରଭା ଠାରୁ ସମଣା ଓ ହାବଳେଶ୍ୱର ଠାରୁ ଆମାଙ୍ଗମେଣ୍ଟ ପର୍ଯ୍ୟନ୍ତ ଏହି ନଦୀବନ୍ଧ ନିର୍ମାଣ ହୋଇ ନଥିବାରୁ ପ୍ରତିବର୍ଷ ବନ୍ୟା ଆସି ହାଟଡିହି ବ୍ଳକର ଆମ୍ବୋ, ସମଣା, ହାବଳେଶ୍ୱର, ଗେଡମା, ଆଇତିପୁର, ସୁଲଣ, ପଞ୍ଚଗୋଛିଆ ଆଦି ପଞ୍ଚାୟତର କରଗୋଳା, ତେଲସିଙ୍ଗା, ଆମ୍ବୋ, ଗିରିଗାଁ, ବହାରିପୁର, ଚାପୁଣ୍ଡିଆ, କଦମଡିହି, ବରାଙ୍ଗ, ସିମିଳିଆ, ଶଙ୍ଖୋ, ଅଣତିରା, ବିରିଡି, ଗୋବିନ୍ଦପୁର, ଜମ୍ଭରା, ହାବଳେଶ୍ୱର, ମଝିଗାଁ, ଡିମିରିଆ, ଆଗିରିଆ, ସମଣା, ଜାବିନିପୁର, ମଙ୍ଗରାଜପୁର, ଗେହମା, ଜଳସରପୁର, ସାହାପୁର, ଶାଳବଣୀ, ସରିଦା, ଢ଼ାଇପୋଖରୀ, ଆଇତିପୁର, ରାଘବପୁର, ଅମୃତପୁର, ନୁଆଗାଁ, ତରଭା, ସୁଲଣ, ଜଳସରପୁର, ଆବୁଲୁପୁରା, ପଞ୍ଚୁଗୋଛିଆ, ବଳଭଦ୍ରପୁର, ହୀରାପୁର, ନୀଳାପୁର ଆଦି ଗ୍ରାମର ଲୋକମାନେ ଜଳବନ୍ଦି ଜୀବନ ବିତାଉଛନ୍ତି । ବୈତରଣୀ ନଦୀରେ ସାମାନ୍ୟ ବର୍ଷା ଆସିଲେ ଏହିସବୁ ଗ୍ରାମ ଗୁଡିକ ପାଣିଘେରରେ ରହୁଥିବାବେଳେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ରହିଯାଉଛି । ଗତ ୨୦୧୧ ଓ ୨୦୧୩ ଓ ୨୦୧୭ବନ୍ୟାରେ ଏହିସବୁ ଅଞ୍ଚଳର ଲୋକମାନେ ଦୀର୍ଘଦିନ ହେବ ଘରଦ୍ୱାର ଛାଡି ବାହାରେ ଆଶ୍ରୟ ନେଇଥିଲେ । ୨୦୧୧ବନ୍ୟାର କରୁଣ ଦୃଶ୍ୟ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଲୋକମାନେ ଭୂଲିପାରି ନାହାନ୍ତି । ବୈତରଣୀ ନଦୀର ଦକ୍ଷିରପାଶ୍ୱର୍ରେ ଶାଳଦେଇ ପଟେ ବନ୍ୟାପ୍ରତିରୋଧକ ବନ୍ଧ ନିର୍ମାଣ କରାଯାଇଥିବାରୁ ବାମପାଶ୍ୱର୍ ଗ୍ରାମ ଗୁଡିକ ପ୍ରତି ଅଧିକ ବିପଦ ସୃଷ୍ଟି କରିଛି । ବନ୍ୟା ଆସିଲେ ବାମପାଶ୍ୱର୍ରେ ମାଡ କରି ଏହା ଏହି ଅଞ୍ଚଳକୁ ପସି ବ୍ୟାପକ କ୍ଷୟକ୍ଷତି କରିବା ଆଶଙ୍କାରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଗତବର୍ଷ ବନ୍ୟାରେ ଆଇତିପୁର ପଞ୍ଚାୟତର ନୁଆଗାଁ, ରାଘବପୁର, ହାବଳେଶ୍ୱର ପଞ୍ଚାୟତର ବାଲିପଦା, ସମଣା ପଞ୍ଚାୟତର ସମଣା, ଚାପୁଣ୍ଡିଆ, କଦମଡିହି, ଗୋବିନ୍ଦପୁର ଆମ୍ବୋ ପଞ୍ଚାୟତର କରଗୋଳା ଗ୍ରାମ ପାଣି ଘେରରେ ରହିଥିଲା । ଏହିସବୁ ଗ୍ରାମର ଚାରିପାଖେ ବନ୍ୟାପାଣି ମାଡିଯିବାରୁ ଗ୍ରାମଗୁଡିକୁ ଯୋଗାଯୋଗ ବିଛିନ୍ନ ହୋଇପଡିଥିଲା । ନୁଆଗାଁ ଓ ରାଘବପୁର ରାସ୍ତା, ଅଣା-ସମଣା ରାସ୍ତାର ଚାପୁଣ୍ଡିଆ ନିକଟରେ ରାସ୍ତା ଗୁଡିକ ପ୍ରତିବର୍ଷ ବୁଡିଯାଉଥିଲେବି ବିଭାଗ ପକ୍ଷରୁ ଏହାକୁ ଉଚ୍ଚା କରାଯାଉ ନାହିଁ । ଫଳରେ ଚାପୁଣ୍ଡିଆ, ସମଣା, କଦମଡିହୀ, ଗୋବିନ୍ଦପୁରକୁ ଯାତାୟତ ବନ୍ଦ ହୋଇଯାଉଛି । ସେହିପରି ଆମ୍ବୋ ପଞ୍ଚାୟତର କରଗୋଳା ଗାଁର ତେଲସିଙ୍ଗା ନିକଟରେ ପ୍ରତି ବନ୍ୟାରେ ରାସ୍ତା ଉପରେ ବହୁ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗ୍ରାମଟି ସମ୍ପୁର୍ଣ୍ଣ ରୁପେ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡୁଛି । ନଦୀବନ୍ଧ ନିର୍ମାଣ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି କରାଯାଉଥିଲେବି ସରକାର କିମ୍ବା ଜଳସମ୍ପଦ ବିଭାଗ କୌଣସି ପ୍ରତିକାର କରୁନଥିବା ଆମ୍ବୋ, ସମଣା, କରଗୋଳା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହି ନଦୀବନ୍ଧ ନିର୍ମାଣ କରାଗଲେ ହାଟଡିହି ବ୍ଲକରୁ ବନ୍ୟା ଦୁର ହୋଇପାରନ୍ତା ବୋଲି ସେମାନେ ମତ ଦେଇଛନ୍ତି । ଗତ ତିନିବର୍ଷ ତଳେ ଗୋବିନ୍ଦପୁର ଠାରୁ ସମଣା ପର୍ଯ୍ୟନ୍ତ ନଦୀବନ୍ଧ ଆରମ୍ଭ ହୋଇଥିବାବେଳେ ଏହା ଅତି ନିମ୍ନମାନର କରାଯାଉଥିବାରୁ ବନ୍ଧଟି ସୁରକ୍ଷିତ ଲାଗୁନାହିଁ । ଗତ୨୦୨୦ ବନ୍ୟାରେ ଏହି ନଦୀବନ୍ଧର ଅନେକ ସ୍ଥାନରେ ଫାଟ ହୋଇ ମାଟି ଧସିଯାଇଥିବାରୁ ସମଣା ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଥିଲେ । ଏ ସମ୍ପର୍କରେ ବୈତରଣୀ ଜଳସମ୍ପଦ ବିଭାଗର ଯନ୍ତ୍ରୀଙ୍କୁ ଯୋଗଯୋଗ କରିବାରୁ ଏହି ନଦୀବନ୍ଧ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର ହୋଇଛି । କିନ୍ତୁ କିଛି ଲୋକ ସେମାନଙ୍କ ଜମି ଛାଡୁ ନଥିବାରୁ ନଦୀବନ୍ଧ ନିର୍ମାଣ ରେ ବିଳମ୍ବ ଘଟିଛି ବୋଲି କହିଛନ୍ତି । ଅନ୍ୟପକ୍ଷରେ ଜମିହରା ମାନଙ୍କୁ ସରକାରୀ ମୁଲ୍ୟ ଠାରୁ ଅଧା ଦାମ ଦିଆଯାଉଥିବାରୁ ଲୋକମାନେ ଜମି ଛାଡୁ ନାହାନ୍ତି କି କ୍ଷତିପୁରଣ ନେଉ ନାହାନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଦାବି ହେଉଛି ।


