ତରାପୁର ଗ୍ରାମରେ ମା’ ଶାରଳା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ତରାପୁରଗ୍ରାମରେ ପ୍ରାୟ ୨ଏକର ପରିମିତ ସ୍ଥାନରେ ଶ୍ରୀ ଶ୍ରୀ ମା’ ଶାରଳା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଏବଂ ଯଜ୍ଞାଧିବାସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଦଶଦିନ ବ୍ୟାପି ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଅଙ୍କୁରାରୋପଣ, ବିଗ୍ରହଙ୍କ ଅଗ୍ୟୁଭାରଣ, ଜଳାଧିବାସ ଓ ଧାନ୍ୟାଧିବାସ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ଦିବସରେ ଘୃତାଧିବାସ ଓ ଗନ୍ଧାଧିବାସ, ତୃତୀୟ ଦିବସରେ ପୁଷ୍ପାଧିବାସ ଓ ଧୂପାଧିବାସ, ଚତୁର୍ଥ ଦିବସରେ ବତ୍ସାଧିବାସ ଓ ଫଳାଧିବାସ, ପଞ୍ଚମ ଦିବସରେ ମିଷ୍ଟାନ୍ନାଧିବାସ, ଔଷଧାଧିବାସ ଏବଂ ଦେବୀଙ୍କ ସ୍ନାନ ଅନୁଷ୍ଠିତ ହୋଇଥିଲା । ସେହିପରି ଷଷ୍ଠ ଦିବସରେ ଜଳଯାତ୍ରା, ଘଟନିମର୍ଜନ, ଦେବୀଙ୍କ ଦୋଳରୋହଣ, ଗ୍ରାମ ପରିକ୍ରମା, ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜା, ତର୍ପଣ, ଶାଳା ମାର୍ଜନ, ମନ୍ଦିରାଧିବାସ, ଯଜ୍ଞାନୁଷ୍ଠାନିକ କର୍ମ, ଯଜ୍ଞାଗ୍ନି ସ୍ଥାପନ ତଥା ଯଜ୍ଞାହୁତି କରାଯାଇଥିଲା । ସପ୍ତମ ଦିବସରେ ମନ୍ଦିର ପ୍ରତିଷ୍ଠା, ବାସ୍ତୁପୂଜା, ମଣ୍ଡଳ ପୂଜା ଓ ଦେବୀଙ୍କ ଗର୍ଯ୍ୟାଧିବାସ ତଥା ନବ ଦିବସାତ୍ମକ ପ୍ରତିଷ୍ଠା ଏବଂ ଯଜ୍ଞାହୁତି, ଅଷ୍ଟମ ଦିବସରେ ଦେବୀଙ୍କ ବିଗ୍ରହ ପ୍ରତିଷ୍ଠା, ଚକ୍ଷୁଦାନ, ନ୍ୟାସ ଓ ଷୋଡଷୋପଚାର ପୂଜା, ଦୀପ ଉତ୍ସର୍ଗ ତଥା ଝୁଣାଦାହ କରାଯାଇଥିଲା । ଶେଷ ତଥା ଦଶମ ଦିନରେ ଦେବୀଙ୍କ ରାଜରାଜେଶ୍ୱରୀ ବେଶ, ପୂର୍ଣ୍ଣାହୁତି, ପୂର୍ଣ୍ଣାଳତି, ପୁଷ୍ପାଞ୍ଜଳି, ବଳିଦାନ ଓ ବିସର୍ଜ୍ଜନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୁରୋହିତ ପ୍ରସନ୍ନ ଷଡଙ୍ଗୀ ଓ ଗଙ୍ଗାଧର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଦଶଦିିନବ୍ୟାପି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଝଙ୍କଡସ୍ଥିତ ମା’ଶାରଳାଙ୍କ ମନ୍ଦିରର ମୁଖ୍ୟ ପୂଜକ ପିତାମ୍ବର ଆଚାର୍ଯ୍ୟ, ଯାଜପୁରସ୍ଥିତ ମା’ ବିରଜାଙ୍କ ମନ୍ଦିରର ପୁରୋହିତ ସରୋଜପତି ଏବଂ ତାଙ୍କ ସହଯୋଗୀ, ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିରର ସେବାୟତ ଓ ତାଙ୍କ ସହଯୋଗୀ, କାକଟପୁର ମଙ୍ଗଳାଙ୍କ ପୁରୋହିତ ଏବଂ ତାଙ୍କ ସହଯୋଗୀମାନେ ଯୋଗଦେଇ ମା’ଶାରଳାଙ୍କ ପୂଜାର୍ଚ୍ଚନା ରୀତିନୀତି ଓ ବିଧିବିଧାନ ପୂର୍ବକ ସମାପନ କରିଥିଲେ । ପୂଣ୍ୟତ୍ୱୟା ଲୁଣା ଓ ଚିତ୍ରୋତ୍ପଳା ନଦୀରୁ ମନ୍ଦିର ପ୍ରତିଷ୍ଠା ପାଇଁ କଳସରେ ଜଳପୂର୍ଣ୍ଣ ପୂର୍ବକ ଶତାଧିକ କଳସ ଯାତ୍ରା ଆସି ମନ୍ଦିର ସ୍ଥଳରେ ପହଞ୍ଚିଥିଲା । ପ୍ରତ୍ୟେହ ସନ୍ଧ୍ୟାରେ ଭଜନ ଓ ସାଂସ୍କୃତିକ କାର୍ଯ୍ୟାକ୍ରମ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପ୍ରତିଷ୍ଠାତା ତରାପୁର ଗ୍ରାମର ଜୀତେନ୍ଦ୍ର ଦାସ, ମୁଖ୍ୟ କର୍ତ୍ତା ରବୀନ୍ଦ୍ର ଦାସ, ସହଯୋଗୀ ଭିକାରି ଚରଣ ଦାସ, ଜନ୍ମେଜୟ ରାଉତ, ବିଶ୍ୱରଞ୍ଜନ ଦାସ, ମୃତ୍ୟୁଞ୍ଜୟ ରାଉତ, ଦାମୋଦର ଜେନା, ବସନ୍ତ ଜେନା, ରାଜେଶ ପଣ୍ଡା ପ୍ରମୁଖ ଉତ୍ସବ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ଉତ୍ସବରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ, ବରୀ ବିଧାୟିକା ସୁନନ୍ଦା ଦାସ, କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଡଃ. ସିପ୍ରା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରାକ୍ତନ ବିଧାୟକ ଉତ୍କଳକେଶରୀ ପରିଡା, ଚିନ୍ମୟ ପ୍ରସାଦ ବେହୁରା, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ସମାଜସେବୀ ଇଂ ମୁରଲୀଧର ସେଠୀ,କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକର ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ସାହୁ, ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀମାନେ ଏଥିରେ ଯୋଗଦେଇ ମା’ଙ୍କ ଦର୍ଶଣ କରିବା ସହ ଆଶ୍ରିର୍ବାଦ ଲାଭ କରିଥିଲେ । ଭାଗବତପୁର, ଜମଧର ଓ ଚକ୍ରୋଡା ଗ୍ରାମପଞ୍ଚାୟତର ସରପଞ୍ଚମାନେ ଉପସ୍ଥିତ ରହି ପାନୀୟ ଜଳ, ପରିମଳ, ସଫେଇ ଏବଂ ଶାନ୍ତିଶୃଙ୍ଖଳା ରକ୍ଷାର ଦାୟୀତ୍ୱ ନିର୍ବାହ କରିଥିଲେ । ଏହି ଉପଲକ୍ଷେ ସ୍ଥାନୀୟ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇ ପୂଜ୍ୟପୂଜାର ଏକ ଅନନ୍ୟ ପରମ୍ପରା ସୃଷ୍ଟି କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟଯେ ଗତ୨୦୧୧ମସିହାରେ ଏହି ମା’ଶାରଳାଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଝଙ୍କଡର ମା’ଶାରଳାଙ୍କ ମନ୍ଦିର ପରି ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ କରାଯିବା ପାଇଁ ପ୍ରୟାସ କରାଯାଇଛି । ଦଶଦିନବ୍ୟାପି ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ୧୫ହଜାରରୁ ଉର୍ଦ୍ଧ୍ୱ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ମା’ ଶାରଳାଙ୍କ ଦର୍ଶନ କରିବା ସହ ଆଶ୍ରିର୍ବାଦ ଭିକ୍ଷା କରିଥିଲେ ।