ତାରାତାରିଣୀ ମନ୍ଦିରରେ ସେବା କାର୍ଯ୍ୟ ନିମନ୍ତେ ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) :ଦୀର୍ଘ ଦୁଇବର୍ଷ ବନ୍ଦ ରହିବା ପରେ ଚଳିତ ବର୍ଷ ମା ତାରାତାରିଣୀଙ୍କର ଚଇତି ପର୍ବ ଗତ ମଙ୍ଗଳବାର ତା ୨୨-୦୩-୨୦୨୨ ରିଖଠାରୁ ଆରମ୍ଭ ହୋଇଛି। ତା ୨୯ ମାର୍ଚ୍ଚ, ୫ଏପ୍ରିଲ ଓ ୧୨ ଏପ୍ରିଲରେ ମଙ୍ଗଳବାର ପଡ଼ୁଥିବାରୁ ମନ୍ଦିରରେ ଅସମ୍ଭାଳ ଭିଡକୁ ନଜରରେ ରଖି ସବୁବେଳେ ସମାଜସେବା କରି ଚର୍ଚ୍ଚାରେ ରହୁଥିବା ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଉକ୍ତ ମନ୍ଦିରରେ କିପରି ସାଧାରଣ ଦର୍ଶନାର୍ଥୀଙ୍କୁ ସେବା ଯୋଗାଇ ହେବ ସେ ବିଷୟରେ ଛତ୍ରପୁରର ସମାଜସେବୀ ଏସ ରାମକୃଷ୍ନା, ଉଗେଶ ଓ ଚିନାଙ୍କ ଆଲୋଚନା କରି ନିଷ୍ପତ୍ତି ନେଇଥିଲେ ଯେ, ଛତ୍ରପୁରର ଏକ ୫୦ଜଣିଆ ସ୍ୱେଚ୍ଛାସେବୀ ସେଠାରେ ରହି ମନ୍ଦିରରେ ଶାନ୍ତିଶୃଙ୍ଖଳା ରଖିବାରେ, ପାଣି ବାଣ୍ଟିବାରେ, ମନ୍ଦିର ପରିଷ୍କାର କରିବାରେ ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ଯଥାସମ୍ଭବ ସାହାଯ୍ୟ କରିବେ । ଏହି କ୍ରମରେ ଆଜି ଏକ ପୂର୍ବ ପ୍ରସ୍ତୁତି ବୈଠକ ପୁତିଗୋପାଳପୁର ସ୍ଥିତ ବିଶ୍ୱେଶ୍ୱର ମନ୍ଦିରରେ ଅନୁଷ୍ଠିତ ହୋଇଯାଇଥିଲା। ଏଥିରେ ୪୦ଜଣ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ । ବୈଠକ ଆରମ୍ଭରେ ଛତ୍ରପୁର ଥାନା ଆଇଆଇସି ସତ୍ୟ ରଞ୍ଜନ ପ୍ରଧାନ ଯୋଗଦେଇ ସ୍ୱେଚ୍ଛାସେବୀଙ୍କୁ ସେବା ପାଇଁ ଉତ୍ସାହିତ କରିବା ସହ ଲୋକଙ୍କ ପାଇଁ ଜନହିତକର କାମ କରିବାକୁ ଆହ୍ୱାନ ଦେଇଥିଲେ। ପରେ ଶ୍ରୀ ମିଶ୍ର ସମସ୍ତଙ୍କୁ ବିଭିନ୍ନ ନୀତିନିୟମ ମାନି ଶୃଙ୍ଖଳା ରକ୍ଷା କରିବାକୁ ଚେଷ୍ଟା କରିବା କଥା କହି ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ ଯେ, ଉକ୍ତ ଯାତ୍ରାର ଏହି ପାଳିରେ ଦୁଇରୁ ତିନି ଲକ୍ଷ ଲୋକଙ୍କର ସମାଗମ ହେବାର ସୂଚନା ରହିଛି। ତେଣୁ ଭୁବନେଶ୍ୱରରୁ ଏକ ୨୦ଜଣିଆ ଟିମ ସେବା ପ୍ରତିନିଧି ସଙ୍ଗଠନର ବିଶିଷ୍ଟ ସମାଜସେବୀ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ଆସି ସୋମବାର ରାତିରେ ଛତ୍ରପୁର ଟିମରେ ଯୋଗଦେବେ ବୋଲି କ୍ୟାଡ଼ର ଏପିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।