ତାଲିକା ସଂଶୋଧନ ଦାବିରେ ସଦର ବିଜେପିର ବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା) :ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆ ଓ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ପଦ ସଂରକ୍ଷଣ ଦାବିରେ ସଦର ବିଜେପି ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗାନ୍ଧୀସ୍ମୃତି ଭବନ ପରିସରରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଥିଲା । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ସଦର ବିଜେପି ନେତା ମାନସ କୁମାର ଦତ୍ତ ସଭାପତିତ୍ୱ କରିବା ସହିତ ପଦ ସଂରକ୍ଷଣ ତାଲିକା ପ୍ରସ୍ତୁତିରେ ସରକାରଙ୍କ ଦୂରଭିସନ୍ଧିକୁ ତୀବ୍ର ସମାଲୋଚନା କରିଥିଲେ । ୧୯୯୨ ମସିହାରୁ ଅଦ୍ୟାବଧି ଜିଲାର ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ ରହି ଆସିଥିବା ବେଳେ ୨୦୨୨ ନିର୍ବାଚନ ପାଇଁ ସଦର ବ୍ଲକର ପଦ ସଂରକ୍ଷଣରେ ଏହି ବର୍ଗଙ୍କୁ ତାଲିକାଭୁକ୍ତ କରା ନଯିବା ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଥିଲେ । ସେହିଭଳି ଓଡ଼ିଶାରେ ପଛୁଆବର୍ଗଙ୍କୁ ମଧ୍ୟ ଏହି ନିର୍ବାଚନରେ ରାଜ୍ୟ ସରକାର ପଦ ସଂରକ୍ଷଣରୁ ବଞ୍ôଚତ କରିଛନ୍ତି ବୋଲି ଶ୍ରୀ ଦତ୍ତ ଆରୋପ କରିଛନ୍ତି । ପୂର୍ବଭଳି ପଛୁଆ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଚିତ ସଂରକ୍ଷଣ ବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେ ଚେତାବନୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ରବିନାରାୟଣ ମହାପାତ୍ର, ସିପ୍ରା ବାଜପ୍ରେୟୀ, ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ୱାଇଁ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ସତ୍ୟଜିତ ମିଶ୍ର, ଗଙ୍ଗାଧର ରାଉତ, ରବୀନ୍ଦ୍ର ରାଜ, ସୁରେଶ ନାୟକ, ସର୍ବେଶ୍ୱର ମହାନ୍ତି, ଜୟନ୍ତୀ ର୍ମୁର୍ମୁ, ତପନ ଗିରି, କାର୍ତ୍ତିକ ରାଉତ, କୌସିକ ଚାନ୍ଦ ପ୍ରମୁଖ ଏଥିରେ ଯୋଗଦେଇ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ପଦ ସଂରକ୍ଷଣ ତାଲିକା ପ୍ରସ୍ତୁତିକୁ ନେଇ ସମାଲୋଚନା କରିଥିଲେ । ନିୟମ ଭିତ୍ତିରେ ଏହି ତାଲିକା ପ୍ରସ୍ତୁତ ସହ ସବୁ ବର୍ଗଙ୍କ ପାଇଁ ପଦ ସଂରକ୍ଷଣ ନିମନ୍ତେ ସେମାନେ ଦାବି କରିଥିଲେ । ଏହି ଅବସରରେ ଦଳ ପକ୍ଷରୁ ରାଜ୍ୟପାଳଙ୍କ ଉଷଦ୍ଦଶ୍ୟରେ ୮ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।


