ତାଲିବାନ୍ ଇଲାକାରେ ଅର୍କେଷ୍ଟ୍ରା ପାର୍ଟି

ଆଫଗାନିସ୍ତାନ ଏମିତି ଏକ ଦେଶ ଯେଉଁଠି ସଙ୍ଗୀତପ୍ରେମୀଙ୍କୁ ତାଲିବାନମାନେ ଜିଅନ୍ତା ଜାଳିଦିଅନ୍ତି । କିନ୍ତୁ ସେଠି ମହିଳାମାନେ ଏକତ୍ରିତ ହୋଇ କାହାକୁ ଖାତିର ନ କରି ଗଢ଼ିଛନ୍ତି ଏକ ଅର୍କେଷ୍ଟ୍ରା ପାର୍ଟି । ଏହି ପାର୍ଟିର ୩୦ ମହିଳା ଷ୍ଟେଜ୍ ପ୍ରୋଗ୍ରାମ କରି ସଙ୍ଗୀତର ମୂର୍ଚ୍ଛନାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଚାଲିଛନ୍ତି । ଏଠାରେ ମହିଳାମାନେ ପ୍ରଥମ ଥର ପାଇଁ “ଜୋହରା’ ନାମକ ଏକ ଅର୍କେଷ୍ଟ୍ରା ପାର୍ଟି ଗଢ଼ିଛନ୍ତି । ଏହି ଗ୍ରୁପ୍ର ୩୦ ମହିଳା ଲଣ୍ଡନରେ ଯାଇ ପରଫର୍ମ କରିଛନ୍ତି । ଗ୍ରୁପର ସଂଯୋଜିକା ଜରିକା ଅବିଦା କୁହନ୍ତି, ମହିଳାମାନେ ରାତିରେ ଷ୍ଟେଜରେ ସଙ୍ଗୀତ ପରିବେଷଣ କଲେ ସମାଜ ନାନା କଥା କହିଥାଏ । କିନ୍ତୁ ଆମେ ସେଥିପ୍ରତି ଭ୍ରୂକ୍ଷେପ ନ କରି ସଙ୍ଗୀତରେ ମନୋନିବେଶ କରିଛୁ । ଏପରିକି ଆମ ଗ୍ରୁପର ସମସ୍ତ ସଦସ୍ୟଙ୍କୁ ଲୋକଙ୍କ କଥା ପ୍ରତି ଧ୍ୟାନ ନ ଦେବାକୁ ପରାମର୍ଶ ଦିଆଯାଇଛି । ଆମର ସ୍ୱପ୍ନ ପୂରା କରିବା ପାଇଁ ପରିଶ୍ରମ କରୁଛୁ । ସେ କୁହନ୍ତି, ପରିବାର ଲୋକେ ତାଙ୍କ ସ୍କୁଲ ଯିବା ବନ୍ଦ କରି ଅଳ୍ପ ବୟସରେ ବିବାହ ଦେଇଥିଲେ । କିନ୍ତୁ ତାଙ୍କର ସଙ୍ଗୀତରେ ରୁଚି ଥିବାରୁ ସେ ୨୦୧୪ରେ ସଙ୍ଗୀତ ସ୍କୁଲ ଏଏନ୍ଆଇଏମ୍ରେ ନାମ ଲେଖାଇଥିଲେ । ଏ ସମ୍ପର୍କରେ ସେ ପରିବାରକୁ ମଧ୍ୟ ଜଣାଇ ନ ଥିଲେ । କାରଣ ଏଠାରେ ଝିଅମାନଙ୍କୁ ସଙ୍ଗୀତ ଶିଖିବା ପାଇଁ ଅନୁମତି ନାହିଁ । ୨୦୧୫ରେ “ଜୋହରା’ନାମକ ଏକ ଅର୍କେଷ୍ଟ୍ରା ପାର୍ଟି ଗଢ଼ି ସଙ୍ଗୀତ ପରିବେଷଣ କରିବାକୁ ଆମେରିକା ଯାଇଥିଲେ । ସେତେବେଳେ ଅନୁଭବ ହେଲା ଅଲଗା ଦେଶର ଲୋକେ ସଙ୍ଗୀତକୁ କେତେ ଭଲପାଆନ୍ତି । ଖାସ୍ କରି ଲୋକଙ୍କ ମନ ଜିଣିବାକୁ ସଙ୍ଗୀତ ପ୍ରତି ମନ ବଳାଇ ଆଜି ପର୍ଯ୍ୟନ୍ତ ସେ ପଛକୁ ଫେରିନାହାନ୍ତି କିମ୍ବା କୌଣସି କଥାରେ ଡରିଯାଇନାହାନ୍ତି । ଯେଉଁଥିପାଇଁ ୩୦ଜଣ ମହିଳାଙ୍କୁ ଏକାଠି କରି ଏହି ଅର୍କେଷ୍ଟ୍ରା ପାର୍ଟି ଗଢ଼ିଛନ୍ତି । ମହିଳାଙ୍କ ଏହି ସାହସିକତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ