ତିନି ଦିନ ବର୍ଷିବ !
ଭୁବନେଶ୍ୱର: ରାଜ୍ୟର ମୌସୁମୀ ବାୟୁ ସକ୍ରିୟ ଥିବାରୁ ପାଗ ମେଘୁଆ ରହିବା ସହ କିଛି କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି । ଏବେ ଅଧିକାଂଶ ଜିଲ୍ଲାରେ ବର୍ଷା କମିଥିବା ବେଳେ ଆସନ୍ତା ତିନି ଦିନ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଅଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆଜି ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୨ ତାରିଖ ଯାଏ ଉତ୍ତର ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଆକାଶ ମେଘୁଆ ରହୁଥିବାରୁ ତାତି ହ୍ରାସ ପାଇଲେ ବି ଗୁଳୁଗୁଳି ଲାଗି ରହିବ । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ସର୍ବାଧିକ ୨୯ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ୨୭.୫ ମିମି, ପାରଳା ଖେମୁଣ୍ଡିରେ ୧୩.୬ ମିମି, ବାରିପଦାରେ ୧୧ ମିମି ବର୍ଷା ହୋଇଛି ।