ତିନି ରଙ୍ଗିଆ

କେତେ କେତେ ରଙ୍ଗ ଅଛି ରହି
ସବୁ ରଙ୍ଗେ ତୋର ଶ୍ରଦ୍ଧା ନାହିଁ,
କଳା ଧଳା ନାଲି
ଶ୍ରୀଅଙ୍ଗରେ ବୋଳି
ଶ୍ରୀମୁଖ ସୁନ୍ଦର ଦିଶୁଥାଇ ।

ଧଳା ଡୋଳା ତୁମ ଚକା ଆଖି
ଦେଖ ପାପୀ ତପୀ ସର୍ବବ୍ୟାପୀ,
ଯେତେ କଳା କର୍ମ
ଅଣୁ ପ୍ରାୟ ଦେଖ
ଶିଖାଅ ନପାରୁ ଆମେ ଶିଖି ।

ନାସାରେ ବୋଳିଛ କଳା ରଙ୍ଗ
ସୁଗନ୍ଧ ଦୁର୍ଗନ୍ଧ ଏକା ଭାବ,
ନାକ ନଟେକିବ
ସେହି କଳାଭାବ
ସମଭାବ ନାହିଁ ଭେଦଭାବ ।

ଅଧରେ ଭରିଛ ନାଲି ରଙ୍ଗ
ହସିଦେଲେ ଖେଳଇ ତରଙ୍ଗ,
ମାନ ଅଭିମାନ
ହରି କିଣ ମନ
ତୁମ ଶ୍ରୀଅଙ୍ଗରେ ସର୍ବେ ଲୀନ ।

ତ୍ରିଗୁଣ ରଜ୍ଜୁକୁ ହସ୍ତେ ଧରି
ବ୍ରହ୍ମାଣ୍ଡ ନଚାଅ ନରହରି,
ସତ୍ତ୍ଵ ରଜ ତମ
ଗୁଣ ତିନି ରଙ୍ଗ
ସଭିଙ୍କୁ ଶିଖାଅ ମୁଖେ ଭରି ।

ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ