ତୁଳସୀଚଉରା ରେ ହେଲା ପଣା ଲାଗି
ନିମାପଡା, (ସନ୍ତୋଷ ଦାଶ):ପବିତ୍ର ପଣା ସଂକ୍ରାନ୍ତି। ଓଡିଆ ଘରେ ଏହା ଏକ ବିଶେଷ ଉତ୍ସବ ଭାବେ ପାଳିତ ହୋଇଥାଏ। ପ୍ରତ୍ୟେକ ଘରେ ପୂଜା ପାଉଥିବା ତୁଳସୀ ଚଉରା ମୂଳରେ ପାରମ୍ପରିକ ପ୍ରଥା ଅନୁସାରେ ପଣା ଭୋଗ ଲାଗି କରାଯାଇଛି। ଚଉରା ମୂଳର ଦୁଇ ପାଶ୍ଵ ରେ ଦୁଇଟି ବାଉଁଶ ପୋତା ଯାଇ ତା ଦେହରେ ଆଉ ଗୋଟିଏ ବାଉଁଶ ଉପରକୁ ବନ୍ଧା ଯାଇଥାଏ। ଉପରେ ବନ୍ଧା ଯାଇଥିବା ବାଉଁଶ ଟି ରେ ଶିକାରେ ଗୋଟିଏ ଘଡି ବନ୍ଧା ଯାଏ। ଉକ୍ତ ଘଡି ରେ ଛିଦ୍ର କରାଯାଇ କୁଟା ଦିଆଯାଏ। ଯେପରି ଘଡି ରେ ଦିଆଯାଇଥିବା ପାଣି କୁଟା ଦେଇ ବୁନ୍ଦାଏ ବୁନ୍ଦାଏ ପଡେ। ଉକ୍ତ ଘଡି କୁ ପଣା ଘଡି କୁହାଯାଇଥାଏ। ପଣା ଘଡି କୁ ଏପରି ବନ୍ଧାଯାଇଥାଏ ଯେ ତାର ଛିଦ୍ର ଦେଇ ପାଣି ଚଉରା ର ତୁଳସୀ ଗଛ ମୂଳରେ ବୁନ୍ଦା ବୁନ୍ଦା ହୋଇ ଦିନ ସାରା ପଡ଼ିଥାଏ। ପ୍ରାତଃ ରେ ପ୍ରତ୍ୟେକ ଘର ର ସଧବା ମହିଳା ମାନେ କଦଳୀ, ଛେନା, ବିଭିନ୍ନ ଫଳ ମୂଳ, ବେଲ, କ୍ଷୀର ରେ ପଣା ପ୍ରସ୍ତୁତ କରି ଘର ଠାକୁର, ଗ୍ରାମ ଦେବତୀ ଙ୍କୁ ପୂଜା ଲାଗି କରିଥାନ୍ତି। କିଛି ପଣା କୁ ଚଉରା ନିକଟରେ ତୁଳସୀ ଗଛ କୁ ପୂଜା ଲାଗି କରି ସେହି ପଣା କୁ ପୁର୍ବରୁ ବନ୍ଧାଯାଇଥିବା ପଣା ଘଡ଼ି ରେ ପୁରାଇଥାନ୍ତି। ପଣା ଥପ ଥପ ହୋଇ ତୁଳସୀ ଗଛ ମୂଳରେ ପଡି ଥାଏ। ଅନ୍ୟଦିନ ପଣା ଘଡ଼ି ରେ ଶୁଦ୍ଧ ପବିତ୍ର ଜଳ ଭର୍ତି କରାଯାଇଥାଏ । ମାସ ସାରା ଏପରି ଚଉରା ମୂଳରେ ପଣା ଘଡ଼ି ରେ ଶୁଦ୍ଧ ପବିତ୍ର ଜଳ ଭର୍ତି କରାଯାଇଥାଏ। ଏହାପରେ ଘରର ସମସ୍ତେ ଠାକୁର ଓ ଚଉରା ମୂଳ ରେ ପୂଜା କରାଯାଇଥିବା ପଣା ପାଇଥାନ୍ତି। ପଣା ସଂକ୍ରାନ୍ତି ଓଡିଆ ଘରର ଏକ ଉତ୍ସବ ଭାବେ ପାଳିତହୋଇଆସୁଛି କାହିଁ କେତେକାଳରୁ।