ତୁଳସୀ କ୍ଷେତ୍ରରେ ଆମ୍ ଆଦ୍ମୀ ପାର୍ଟି ମୂଳଦୁଆ ପକାଇଲା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ଠାରୁ ଆଶୀର୍ବାଦ ନେଇ ତୁଳସୀ କ୍ଷେତ୍ର ତଥା କେନ୍ଦ୍ରପଡ଼ାରେ ଆମ ଆଦମୀ ପାର୍ଟିର ମୂୂଳଦୁଆ ପକାଇଛନ୍ତି ଓଡିଶା ପ୍ରଭାରୀ ବୀରେନ୍ଦ୍ର ସିଂ କାଡିଆନ । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଆମ ଆଦ୍ମୀ ପାର୍ଟି କେନ୍ଦ୍ରାପଡ଼ାରେ ବିଧାୟକ ପ୍ରାର୍ଥୀ ଦେବ ବୋଲି ଅନୁମାନ କରାଯାଉଛି । ଏ ନେଇ ରାଜ୍ୟ ପ୍ରଭାରୀ ପ୍ରତ୍ୟେକ୍ଷ ଭାବେ କୌଣସି ସ୍ପଷ୍ଟ ସୂଚନା ଦେଇ ନଥିବା ବେଳେ ପରୋକ୍ଷ ଭାବେ କିନ୍ତୁ ଆଗାମୀ ସାଧାରଣ ନିର୍ବାଚନରେ ଆମ ଆଦମୀ ପାର୍ଟି ପକ୍ଷରୁ କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରରେ ବିଧାୟକ ପ୍ରାର୍ଥୀ ଦିଆଯିବ ବୋଲି ଇଙ୍ଗିତ କରିଛନ୍ତି । କାରଣ କାଡିଆନ୍ କହିଥିଲେ ଦିଲ୍ଲୀ ଓ ପଞ୍ଜାବ ମଡେଲ ଓଡିଶାରେ ଲାଗୁ କରିବାକୁ ତାଙ୍କ ଦଳ ଆଗ୍ରହୀ । ଏ ନେଇ ଏବେ ଘର ଘର ବୁଲି ଆମ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି ।୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ପ୍ରତି ପରିବାରକୁ ମାଗଣାରେ ବିଜୁଳି ଯୋଗାଇ ଦେବା ଏହି ଦସ୍ତଖତ ଅଭିଯାନର ମୂଳ ଲକ୍ଷ ବୋଲି ସେ କହିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଆଜିଠାରୁ ମୂଳଦୁଆ ପଡିଲା ବୋଲି ସେ କହିଥିଲେ । ଏହି ଅବସରରେ ଓଡିଶା ରାଜ୍ୟ ଆବାହକ ନିିଶିକାନ୍ତ ମହାପାତ୍ର କହିଥିଲେ ଯେ, ବିଜୁଳି, ପାଣି, ଶିକ୍ଷା, ସ୍ୱାସ୍ଥ୍ୟର ରାଜନୀତି ହେଉଛି ସାଧାରଣ ଲୋକଙ୍କ ରାଜନୀତି । କଂଗ୍ରେସ, ବିଜେପି ଓ ବିଜେଡି ଉପରେ ଲୋକେ ଅତିଷ୍ଠ ହୋଇ ଗଲେଣି । କାରଣ ଏହି ତିନି ଦଳ ଲୋକଙ୍କୁ ଲୁଟୁଛନ୍ତି । ଅରବିନ୍ଦ କେଜ୍ରିୱାଲଙ୍କ ଆଦର୍ଶରେ ଏବେ ଯୁବପିଡି ଅନୁପ୍ରାଣିତ ହେଉଛନ୍ତି । କେଜ୍ରିୱାଲଙ୍କ ଯେଉଁ ଆଦର୍ଶ ଓ ନୀତି ରହିଛି ତାହାଦ୍ୱାରା ଓଡିଶାର କୋଟି କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ତେଣୁ ଆଗାମୀ ଦିନରେ ଓଡିଶାରେ ମଧ୍ୟ ନିଶ୍ଚିତ ଭାବେ ଏକ ରାଜନୈତିକ ପରିବର୍ତ୍ତନ ଆସିବ ବୋଲି ସେ କହିଥିଲେ । କେନ୍ଦ୍ରାପଡ଼ାରେ ପୂର୍ବରୁ କଂଗ୍ରେସ ବିଧାୟକ ଥିଲେ । ଏହାପରେ ବିଜେପି-ବିଜେଡି ମେଣ୍ଟ ସରକାରରେ ବିଧାୟକ ହେଲେ । ୨୦୦୯ ପରଠାରୁ ବିଜେଡି ବିଧାୟକ କେନ୍ଦ୍ରାପଡ଼ାରେ କ୍ରମାଗତ ଭାବେ ବିଜୟୀ ହୋଇ ଆସୁଛନ୍ତି । ହେଲେ ଏହି ବିଧାୟକମାନଙ୍କ ଉପରେ କେନ୍ଦ୍ରାପଡ଼ାବାସୀ ଅତିଷ୍ଠ ହୋଇ ଗଲେଣି । ଠିକ ସେହିପରି କେନ୍ଦ୍ରାପଡ଼ା ବାସୀ ସବୁବେଳେ ନୂଆ ମୁହଁକୁ ପସନ୍ଦ କରନ୍ତି । ତେଣୁ ୨୦୨୪ରେ ଆମ ଆଦମୀ ପାର୍ଟି ବିଧାୟକ ପ୍ରାର୍ଥୀ ଦେଲେ କେନ୍ଦ୍ରାପଡ଼ାବାସୀ ତାଙ୍କୁ ପସନ୍ଦ କରି ବହୁମତ ଦେଇ ପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି । ଜଣେ ରାଜନୈତିକ ବିଶେଷଜ୍ଞଙ୍କ କହିବା ହେଲା କେନ୍ଦ୍ରାପଡ଼ା ଲୋକମାନେ ସବୁବେଳେ ପରିବର୍ତ୍ତନକୁ ପସନ୍ଦ କରନ୍ତି । କେନ୍ଦ୍ରା ପଡ଼ା ବାସୀ ଲଗାତାର କାହାକୁ ବିଧାୟକ ପଦବୀରେ ବସାନ୍ତି ନାହିଁ । ଠିକ ସେହିପରି ପୂର୍ବରୁ ଲୋକେ କଂଗ୍ରେସକୁ ପସନ୍ଦ କରୁଥିଲେ । ପରେ ବିଜେପି-ବିଜେଡି ମେଣ୍ଟନକୁ ପଦନ୍ଦ କଲେ । ଏହାପରେ ବିଜେଡି ପ୍ରାର୍ଥୀଙ୍କୁ ପସନ୍ଦ କରି ବିଧାୟକ ପଦରେ ବସାଇଛନ୍ତି । ତେଣୁ ଏବେଠାରୁ ଆମ ଆଦମୀ ପାର୍ଟି ଯଦି ଦସ୍ତଖତ ଅଭିଯାନ କରି ଲୋକଙ୍କ ମନ କିଣିନିଏ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଦର୍ଶରେ ଭୋଟର ଯଦି ଅନୁପ୍ରାଣିତ ହୁଅନ୍ତି ତାହା ହେଲେ ଆଗାମୀ ୨୦୨୪ରେ ଆମ ଆଦମୀ ପାର୍ଟି ମଧ୍ୟ କେନ୍ଦ୍ରାପଡ଼ାରେ ବହୁମତ ପାଇ ପାରିବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ରାଜନୈତିକ ବିଶେଷଜ୍ଞ ଜଣକ କହିଛନ୍ତି ।