ସବୁଜିମା ଦେଖିନଥିବା ଦୃଷ୍ଟିବାଧିତ ବିଦ୍ୟାର୍ଥୀ ସୃଷ୍ଟି କରିବେ ସବୁଜିମା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆମେ ଗଢିବୁ ସ୍ୱଚ୍ଛ, ସୁନ୍ଦର ଓ ସବୁଜ ପୃଥିବୀ । ଟାଙ୍ଗରା, ପତିତ ଭୂଇଁ ହେବ ସବୁଜିମାମୟ । ଜଳବାୟୁ ପରିବର୍ତ୍ତନକୁ ରୋକିପାରିବୁ । ଆମ ଦ୍ୱାରା ହେବ ପ୍ରଭାବୀ ବନୀକରଣ । ଯଦିଓ ଆମେ ସବୁଜିମାକୁ ଦେଖିପାରୁ ନଥିଲେ ମଧ୍ୟ ଆମେ ସୃଷ୍ଟି କରିବୁ ସବୁଜିମା । ଏପରି ଦୃଢ ମନୋବଳ, ଆତ୍ମବିଶ୍ୱାସ, ପ୍ରୟାସ ଓ ସବୁଜ ସଂକଳ୍ପ ନେଇ ଆଗେଇ ଆସିଛନ୍ତି ଆମ ରାଜ୍ୟର କିଛି ଦୃଷ୍ଟିବାଧିତ ମହିଳା ବିଦ୍ୟାର୍ଥୀ । ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ଶ୍ରୀ ସତ୍ୟସାଈ ମହିଳା ମହାବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ଏକ ସିଡ୍‌ସ ବଲ୍ ଅର୍ଥାତ୍ ବିହନ ପେଣ୍ଡୁ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦୃଷ୍ଟିବାଧିତ ମହିଳା ବିଦ୍ୟାର୍ଥୀମାନେ ଯୋଗଦେଇ ନିଜର କାର୍ଯ୍ୟଦକ୍ଷତାକୁ ପରିପ୍ରକାଶ କରିଛନ୍ତି । ପରିବେଶବିତ୍ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରସ୍ତୁତି କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନେ ମାଟି, ଗୋବର ଖତ ସହିତ ପେସ୍ତାବାଦାମ ମଞ୍ଜିକୁ ଗୋଳାଇ ୫ଶହରୁ ଉର୍ଦ୍ଧ୍ୱ ସିଡ୍‌ସ ବଲ୍ ପ୍ରସ୍ତୁତ କରିପାରିଛନ୍ତି । ସ୍ୱଳ୍ପଖର୍ଚ୍ଚ, କମ୍ ସମୟ ଓ ପରିଶ୍ରମରେ ଏହି ପଦ୍ଧତିରେ ପ୍ରଭାବୀ ବନୀକରଣ ସମ୍ଭବ ହୋଇ ପାରୁଥିବାରୁ ଏହା ବୃକ୍ଷଶୂନ୍ୟ ସ୍ଥାନକୁ ସବୁଜିମା ପୂରଣ କରିବାରେ ବେଶ୍ ସହାୟକ ହୋଇ ପାରିବ ବୋଲି ଶ୍ରୀ ସାହୁ ମତପ୍ରକାଶ କରିଥିଲେ । ବର୍ଷାଋତୁରେ ଏହି ବଲ୍‌ଗୁଡ଼ିକୁ ଚନ୍ଦକା ଜଙ୍ଗଲରେ ପକାଯିବ ବୋଲି ଜଣାପଡ଼ିଛି । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ମାନସୀ ବସ୍ତିଆ, ଦର୍ଶନଶାସ୍ତ୍ର ବିଭାଗର ଅଧ୍ୟାପିକା ଡ. ମୃଣମୟୀ ରଥ, ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପିକା ମୀନା ମହାନ୍ତି, ଶାରିରୀକ ଶିକ୍ଷା ଅଧିକାରୀ ଶାଶ୍ୱତି ପତି, ସାମାଜିକ କର୍ମୀ ସନ୍ତୋଷୀ ଜୈନ, ଚନ୍ଦ୍ରକଳା ବିନ୍ଦାଲ, ରାମଚନ୍ଦ୍ର ସାହୁ, ପ୍ରଦୀପ୍ତ ରଞ୍ଜନ ରାଉତ, ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥୀମାନଙ୍କର ଏତାଦୃଶ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ