ତୁଳସୀ କ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ନୀତି ସମ୍ପନ୍ନ : ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ତୁଳସୀ କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ, ସାନ ଭାଇ ଶ୍ରୀଜଗନ୍ନାଥ ଓ ସୁନା ଭଉଣୀ ସୁଭଦ୍ରାଙ୍କ ସ୍ନାନ ପୂର୍ଣ୍ଣିମା ନୀତି ସମ୍ପନ୍ନ ହୋଇଛି । ଗଜାନନ ବେଶରେ ଶ୍ରୀଜୀଉମାନେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ହାତୀ ବେଶ ତଥା ଗଜାନନ ବେଶ ଦେଖିବା ପାଇଁ ତୁଳସୀ କ୍ଷେତ୍ରରେ ଭକ୍ତମାନଙ୍କ ପ୍ରବଳ ସମାଗମ ହୋଇଥିଲା । ଗାଁ ଗହଳିରୁ ହଜାର ହଜାର ସଂଖ୍ୟାରେ ଦର୍ଶକ ତୁଳସୀକ୍ଷେତ୍ର ରେ ପହଞ୍ଚିଥିଲେ । କୋଭିଡ଼ କଟକଣା ଯୋଗୁ ୨୦୨୦ ଓ ୨୦୨୧ ମସିହାରେ ଶ୍ରୀଜୀଉ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇ ନ ଥିଲେ । କେବଳ ବିଧି ରକ୍ଷା କରାଯିବା ପାଇଁ ମନ୍ଦିର ମଧ୍ୟରେ ସମସ୍ତ ନୀତି ସମ୍ପନ୍ନ ହୋଇଥିଲା । କିନ୍ତୁ ଚଳିତ ବର୍ଷ କରୋନା କଟକଣା ନ ଥିବାରୁ ଶ୍ରୀଜୀଉମାନେ ରତ୍ନ ସିଂହାସନରୁ ପହଣ୍ଡି ହୋଇ ସ୍ନାନ ବେଦୀକୁ ଆସିଥିଲେ । ୧୦୮ ଗରା ସୁବାଷିତ ଜଳରେ ଚତୁର୍ଦ୍ଦା ମୂର୍ତ୍ତିଙ୍କୁ ସ୍ନାନ କରାଯାଇଥିଲା । ତେଣୁ ସ୍ନାନ ବେଦୀରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର ବାହାରେ ଓ ଭିତରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ସକାଳ ୭ଟାରୁ ୮ଟା ମଧ୍ୟରେ ଶ୍ରୀଜୀଉମାନେ ସ୍ନାନ ବେଦୀକୁ ବିଜେ କରିଥିଲେ । ୮ଟାରେ ଜୟ ମଙ୍ଗଳା ଆରତୀ ହୋଇଥିଲା । ପୂର୍ବାହ୍ଣ ୧୨ଟାରେ ସ୍ନାନ ନୀତି ସମ୍ପନ୍ନ ହୋଇଥିଲା । ମଧ୍ୟାହ୍ଣ ଗୋଟାଏରେ ବଲ୍ଲଭ ମଣୋହୀ ନୀତି ସମ୍ପନ୍ନ ହୋଇଥିଲା । ଅପରାହ୍ଣ ସାଢେ ୨ଟା ଟାରେ ମଙ୍ଗଳାର୍ପଣ କରାଯାଇଥିଲା । ଅପରାହ୍ଣ ୩ଟାରେ ଗଜବଦନ ବେଶ ଅନୁଷ୍ଠିତ ହୋଇଥିଲା । ରାତ୍ର ୧୦ ଘଟିକାରେ ଚତୁର୍ଦ୍ଦା ମୂର୍ତ୍ତି ଧାଡି ପହଣ୍ଡିରେ ଅନବସର ଗୃହ ତଥା ଅଣସର ଗୃହରେ ପ୍ରବେଶ କରିଥିଲେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କେତେକ ଭକ୍ତ କହିଥିଲେ ଦୁଇ ବର୍ଷ ହେବ ଆମେ ଠାକୁରମାନଙ୍କ ଗଜାନନ ବେଶ ଦେଖି ନ ଥିଲୁ । କାରଣ କରୋନା କଟକଣା ବାଧ୍ୟ କରିଥିଲା ସମସ୍ତ ନୀତି ମନ୍ଦିର ମଧ୍ୟରେ କରିବା ପାଇଁ । ଠିକ ସେହିପରି ୧୪୪ ଧାରା ଜାରି ହୋଇଥିବାରୁ ଭକ୍ତମାନେ ବଳଦେବଜୀଉ ମନ୍ଦିରର ଏକଶହ ମିଟର ପରିଧି ମଧ୍ୟକୁ ପ୍ରବେଶ କରିବାର ସୁଯୋଗ ପାଇ ନଥିଲେ । କିନ୍ତୁ ଚଳିତ ବର୍ଷ କୈାଣସି କଟକଣା ନ ଥିବାରୁ ଆମେ ଆନନ୍ଦରେ ଶ୍ରୀଜୀଉମାନଙ୍କ ଗଜାନନ ବେଶ ଦର୍ଶନ କରିପାରିଲୁ । ଚଳିତ ବର୍ଷ ସ୍ନାନ ପୂର୍ଣ୍ଣିମାରେ ଠାକୁରଙ୍କ ସ୍ନାନ ନୀତି ଓ ହାତୀ ବେଶ ଦେଖିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା । ତେଣୁ ପୁରପଲ୍ଲୀରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଆସି ଶ୍ରୀଜୀଉମାନଙ୍କ ହାତୀ ବେଶ ଦର୍ଶନ କରିଥିଲେ । ସ୍ନାନ ପୂର୍ଣ୍ଣିମାରେ ତୁଳସୀକ୍ଷେତ୍ର ଭକ୍ତିମୟ ହୋଇ ପଡିଥିଲା । ଘଣ୍ଟା, ଘଣ୍ଟି, ଢୋଲ, କାହାଳୀ, ମାର୍ଦ୍ଦଳ ଶବ୍ଦରେ ତୁଳସୀକ୍ଷେତ୍ର ପ୍ରକମ୍ପିତ ହୋଇ ଉଠିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ଫୋର୍ସ ମୃତୟନ ହୋଇଥିଲେ । ଭକ୍ତମାନେ ଶାନ୍ତି ଶୃଙ୍ଖଳାର ସହ ଶ୍ରୀଜୀଉଙ୍କ ଗଜାନନ ବେଶ ଦର୍ଶନ କରିଥିଲେ ।


