ତୂଳୀରେ ସ୍ୱଚ୍ଛ ଭାରତ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ବୟସ ମାତ୍ର ୭ । ଚପଳ ବୟସରେ ପାଦ ଥାପିଥିଲେ ବି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିରାଟ । ସେହି କଅଁଳ ମନରେ ରହିଛି ପରିବେଶ ସୁରକ୍ଷାର ଚିନ୍ତା । ନିଜର ମନର କଥାକୁ ଚିତ୍ର ମାଧ୍ୟମରେ ଆଙ୍କି ମନ ଜିଣିଛି କଅଁଳ ବାଳକ ଶାନ୍ତନୁ ଶାନ୍ତିସ୍ୱରୂପ । ଜାତୀୟତାର ମହାନ୍ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀ ଅବସରରେ ସ୍ୱଚ୍ଛତାକୁ ନେଇ ରଙ୍ଗ, ତୂଳୀରେ ବିଭିନ୍ନ ଚିତ୍ରମାନ ନିଖୁଣ ରୂପେ ଆଙ୍କି ଜନସାଧାରଣଙ୍କୁ ସଚେତନତା ଉଦ୍ଦେଶ୍ୟରେ ବଳିଷ୍ଠ ବାର୍ତ୍ତା ଦେଇଛନ୍ତି । ଚିତ୍ରକଳା ଗୁଡ଼ିକ ଗ୍ରୀନ୍ୱାଲ୍ରେ ପ୍ରଦର୍ଶିତ ବି କରାଇଛନ୍ତି । ପ୍ରଦର୍ଶନୀଟିର ନାମ ‘ଦ ଡଷ୍ଟବିନ୍’ ବୋଲି ନାମିତ କରିଛନ୍ତି । ଏ ସମ୍ପର୍କରେ ସେ କୁହନ୍ତି ଘର, ହୋଟେଲ, ଅଫିସ୍, ପାର୍କ ଆଦି ସ୍ଥାନମାନଙ୍କରେ ଡଷ୍ଟବିନ୍ର ବ୍ୟବହାର ନିତାନ୍ତ ଜରୁରୀ । ଅଳିଆ ଏଣେତେଣେ ନ ପକାଇ ଡ଼ଷ୍ଟବିନ୍ରେ ପକାଇବା ପାଇଁ ସେ ଜନସାଧାରଣଙ୍କୁ ଏ ପରିପ୍ରେକ୍ଷୀରେ ନିବେଦନ କରିଛନ୍ତି । ତେବେ ଯାଇ ଆମେ ଏକ ସ୍ୱଚ୍ଛ ଓ ସୁସ୍ଥ ଭାରତ ଗଠନ କରିପାରିବାରେ ସହାୟକ ହୋଇପାରିବା ବୋଲି ସେ କୁହନ୍ତି । ପ୍ରଦର୍ଶନୀରେ ଥିବା ପ୍ରତ୍ୟେକ ଚିତ୍ରରେ ରହିଛି ମନଛୁଆଁ ସ୍ଲୋଗାନ୍ ଯଥା-ୟୁଜ୍ ଡ଼ଷ୍ଟବିନ୍, ଗ୍ରୀନ୍ସିଟି-କ୍ଲିନ୍ସିଟି-ମାଇଁ ଡ୍ରିମ୍ସିଟି, ବି କ୍ଲିନ୍-ବି ହେଲ୍ଦି, ବ୍ରେକ୍ ଦ ଜର୍ମ ସାଇକେଲ୍, କ୍ଲିନ୍ନେସ୍ ଷ୍ଟାର୍ଟସ୍ ଫ୍ରମ୍ ହୋମ୍, ହାଇଜିନ୍ ଇଜ୍ ଇନ୍ ଇୟୋର ହ୍ୟାଣ୍ଡ, ଥିଙ୍କ୍ କ୍ଲିନ୍ ଆଣ୍ଡ୍ ୟୁଜ୍ ଡ଼ଷ୍ଟବିନ୍, ରିୟୁଜ୍-ରିଡ୍ୟୁସ୍-ରିସାଇକେଲ୍ ପରି ଅନେକ ବାର୍ତ୍ତା । ସୂଚନାଯୋଗ୍ୟ, ପୋଖରୀପୁଟ ଇନ୍ଦ୍ରପ୍ରସ୍ଥ କଲୋନୀ ଫେଜ୍-୨ଠାରେ ରହୁଛନ୍ତି ପରିବେଶବିତ୍ ସୁଶାନ୍ତ ସାହୁ । ବାପାଙ୍କ ପଦାନୁସରଣ କରିବା ସହ ମାଆ ଅନସୂୟାଙ୍କ ମାର୍ଗଦର୍ଶନରେ ପୁଅ ଶାନ୍ତନୁ ପରିବେଶ ସୁରକ୍ଷା ପାଇଁ କଅଁଳ ବୟସରେ ତୂଳୀ ଧରିବା ଶିଖିଛି । ବର୍ତ୍ତମାନ ସେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅରିଶଲର ଦ୍ୱିତୀୟ ଶ୍ରେଣୀର ଛାତ୍ର । ଚିତ୍ରକଳା ପ୍ରଦର୍ଶନୀଟିକୁ ଭର୍ଚୁଆଲ ମାଧ୍ୟମରେ ଓଡ଼ିଶା ଲଳିତକଳା ଏକାଡ଼େମୀ ସଚିବ ପଞ୍ଚାନନ ସାମଲ ଆନୁଷ୍ଠାନିକ ରୂପେ ଉଦ୍ଘାଟନ କରିଥିଲେ । ଚିତ୍ରଗୁଡ଼ିକ ଉଚ୍ଚକୋଟୀର, ସମୟୋପଯୋଗୀ ଓ ଶିକ୍ଷଣୀୟ ବୋଲି ଶ୍ରୀ ସାମଲ ପ୍ରଶଂସା କରିବା ସହ ଶାନ୍ତନୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଶାନ୍ତନୁଙ୍କ ଚିତ୍ର ପ୍ରଦର୍ଶନୀ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସିତ ହୋଇଛି ।


