ତେଲେଙ୍ଗାନାରେ ଉପାସଭୋକରେ ଦିନବିତାଉଛନ୍ତି ଓଡିଶା ଶ୍ରମିକ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କରୋନା ମହାମାରୀ ସଂକ୍ରମଣ ହେତୁ ସାରା ଦେଶରେ ଲକଡାଉନ ଜାରି ରହିଥିବା ବେଳେ ତେଲେଙ୍ଗାନା ରାଜ୍ୟରେ ଭୋକଉପାଶରେ ପଡିରହିଛନ୍ତି ଓଡିଶା ଶ୍ରମିକ । ସାମାଜିକ ଗଣମାଧ୍ୟମରେ ଅତି କରୁଣ ଭାବରେ ନିଜର ଦୁଃଖ ବର୍ଣ୍ଣନା କରି ସେମାନଙ୍କୁ ସେଠାରୁ ଯଥାଶ୍ରୀଘ୍ର ଉଦ୍ଧାର କରିବାକୁ ନିବେଦନ କରିଛନ୍ତି ସେହି ଗରୀବ ଦିନମଜୁରିଆ ଶ୍ରମିକମାନେ । ତେଲେଙ୍ଗାନାକୁ ଏକ ଠିକାଦାର ମାଧ୍ୟମରେ ରଡବାଇଡିଂ କାମ କରିବାକୁ ପ୍ରାୟ ଏକବର୍ଷ ତଳେ ଯାଇଥିବା କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ବ୍ରାହ୍ମଣସାହି ପଂଚାୟତର ବିନ୍ଧାନାଉକଣା ଗ୍ରାମର ଗୋବର୍ଦ୍ଧନ ପଢିହାରୀ ଓ ଶ୍ରୀମତ ମଲ୍ଲିକ,କୋଇଲିପୁର ପଂଚାୟତର ବଡମରିଚାପଲ୍ଲୀ ଗ୍ରାମର କୃଷ୍ଣ ରାଉତ ଓ ତାଙ୍କ ପତ୍ନୀ ତୁଳସୀ ରାଉତ,ବିଲିକଣା ପଂଚାୟତର ତେରେଇ ଗ୍ରାମର ପରେଶ ଧଳ ପ୍ରମୁଖ ତେଲେଙ୍ଗାନା ରାଜ୍ୟର ରାଙ୍ଗାରେଡି ଜିଲ୍ଲାର ଗୋଲେଡି ଠାରେ ରହି ଶ୍ରମିକ ଭାବରେ କାମ କରୁଥିଲେ । ଏବେ ସେମାନେ ଗୋଲେଡିର ନିଆର କେଆର ସର୍ଭିସିଂ ସେଂଟରରେ ରହୁଥିବା କହିଛନ୍ତି ଶ୍ରୀମତ ମଲ୍ଲିକ । ସେହିଭଳି କେଉଁଝର ଜିଲ୍ଲାର ରୁଦୁରାମପୁର ଗ୍ରାମର ଜିତେନ୍ଦ୍ର ନାଏକ ଓ ରାହାସବିହାରୀ ନାଏକ, ସେହି ଜିଲ୍ଲାର ଖିରେଇଡାଙ୍ଗିରି ଗ୍ରାମର ହୃଦାନନ୍ଦ ନାଏକ ଏବଂ ଜମୁନାବତୀ ଗ୍ରାମର ପଙ୍କଜ କୁମାର ନାଏକ ପ୍ରମୁଖ ମଧ୍ୟ ରଡବାଇଡିଂ କାମ କରିବାକୁ ଯାଇ ସେଠାରେ ରହୁଛନ୍ତି । ଉଭୟ ଜିଲ୍ଲାର ୧୦ଜଣ ନିର୍ମାଣ ଶ୍ରମିକ ଠିକାଦାର ମାଧ୍ୟମରେ ସେଠାକୁ ଯାଇ କାମ କରୁଥିବା ବେଳେ କରୋନା ଲକଡାଉନ ହେତୁ ଭୋକଉପାଶରେ ସେଠାରେ ଫସିରହିଥିବା ଜଣାଇଛନ୍ତି । ସେମାନେ ସହାୟତା ନିମନ୍ତେ ଭୂବନେଶ୍ୱରର ୦୬୭୪-୨୩୯୨୧୧୫ନମ୍ବରକୁ ୧୦ଥରରୁ ଉର୍ଦ୍ଧ୍ୱ ଯୋଗାଯୋଗ କରି ଦୁଃଖ ଜଣାଇଥିଲେବି ଅଦ୍ୟାବଧି ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ । ଏଭଳି ପରିସ୍ଥିତିରେ ସେହି ଗରୀବ ଦିନମଜୁରିଆମାନଙ୍କ ଦୁଃଖ ବୁଝି ତୁରନ୍ତ ସମାଧାନ କରିବାକୁ ସେମାନେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ।


