ଥାଲସେମିଆ ରୋଗୀଙ୍କ ସୁସ୍ଥତା ପାଇଁ ସରକାରଙ୍କୁ ଚେତାବନୀ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ): ସାରା ଓଡ଼ିଶାରେ ଥାଲସେମିଆ ରୋଗ ପାଇଁ କୁନି କୁନି ପିଲାମାନଙ୍କର ୧୮-୨୦ ବର୍ଷ ମଧ୍ୟରେ ଜୀବନ ଯାଉଛି । ଏହି ରୋଗରେ ପିଲାମାନଙ୍କ ଶରୀରରେ ରକ୍ତ ନଷ୍ଟ ହୋଇଯାଏ । ଯାହା କାରଣରୁ ସେମାନଙ୍କୁ ବାରମ୍ବାର ରକ୍ତ ନେବାକୁ ପଡ଼ି ଥାଏ । କିନ୍ତୁ ଏହି ରକ୍ତ ନେବା ମଧ୍ୟରେ ସେମାନଙ୍କୁ ହୋଲ୍ ବ୍ଲଡ଼୍ ଦିଆଯାଇଥାଏ । ମାତ୍ର ଡାକ୍ତରୀ ବିଜ୍ଞାନର ଗବେଷଣା ପରେ ସମ୍ ହସ୍ପିଟାଲ୍ର ହେମାଟୋଲଜିଷ୍ଟ ଡ. ହେମଲତା ଦାସ; ଏହି ରୋଗରେ ଶରୀର ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବ ଏବଂ ଏହି ରୋଗ କିପରି ଭବିଷ୍ୟତରେ ନ ହେବ, ସେ ବାବଦରେ ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ହୋଲ ବ୍ଲଡ଼୍ ପାଇଁ ଥାଲସେମିଆ ରୋଗୀଙ୍କ ଶରୀରର ଲିଭର୍, ପ୍ଲିହା, ହାର୍ଟ୍, ଅନାଳଗ୍ରନ୍ଥୀ, ଅଣ୍ଡକୋଷ / ଡିମ୍ବକୋଷ ପ୍ରଭୃତିରେ ଆଇରନ୍ ଅଧିକ ହୋଇଯାଏ । ଯାହା ପାଇଁ ସେମାନଙ୍କର ଜୀବନ ଯାଇଥାଏ । ଏମାନଙ୍କୁ ହୋଲ୍ ବ୍ଲଡ଼୍ ବଦଳରେ ପେକ୍ଡ ବ୍ଲଡ଼୍ ନେବାର ଆବଶ୍ୟକତା ଥାଏ । ଗତ ଦେଢ଼ ବର୍ଷ ପୂର୍ବରୁ ତକ୍ରାଳୀନ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଆସି ପ୍ରତିଶୃତି ଦେଇଥିଲେ, ଏକମାସ ମଧ୍ୟରେ ବାଲେଶ୍ୱରରେ ପେକ୍ଡ ବ୍ଲଡ଼୍ ଷ୍ଟୋର୍ ପ୍ରସ୍ତୁତ ହେବ । ମାତ୍ର ଦେଢ଼ ବର୍ଷ ବିତିଗଲା ପରେ ମଧ୍ୟ ଏ ପର୍ଯ୍ୟନ୍ତ ଏହା ହୋଇନାହିଁ । ଏହି ଘଟଣା ଆଚ୍ଛା ସଂଗଠନ ନଜରକୁ ଆସିଲା ପରେ ଆଜି ସଂଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ କୁମାର ପୃଷ୍ଟି, ଉପସଭାପତି ସରିତା ସାହୁ, ପ୍ରକାଶ ମହାନ୍ତି, ସଂଯୋଜକ ରାକେଶ କୁମାର ଶିଅଳ, ରାଜେଶ ପାଣ୍ଡିଆ, ସମାଜସେବୀ ଗୋପାଳକୃଷ୍ଣ ଦାସ ଏବଂ ଅଭିଭାବକଙ୍କ ମଧ୍ୟରେ ଉଦୟଭାନୁ ନାୟକ, ସୁଷମା ବେହେରା, ସେକ୍ ସମିନ୍, ସିଦ୍ଧାର୍ଥ ଶଙ୍କର ଜେନା, ନିର୍ମଳା ସିଂ, ଆରତୀ ପରିଡ଼ା, ବନ୍ଦନା ଦେ, ଜୟନ୍ତ ଦଳେଇ, ଶ୍ରାବଣୀ ପରିଡ଼ା, ସୁରମା ମହାନ୍ତି, ଗୌରୀ ଦାସ ପ୍ରଭୃତି ଶତାଧିକ ଅଭିଭାବକ ଉପସ୍ଥିତ ରହି ଜିଲ୍ଲା ଚିକିତ୍ସାଧିକାରୀ ବାନାର୍ଜୀ ପ୍ରସାଦ ଛୋଟରାୟ ଙ୍କ ଜରିଆରେ ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି, ଆଗାମୀ ଏକମାସ ମଧ୍ୟରେ ଏହି ରୋଗୀମାନଙ୍କ ସୁସ୍ଥତା ପାଇଁ ସରକାର ଉଚିତ ପଦକ୍ଷେପ ନ ନେଲେ ଆଚ୍ଛା ସଂଗଠନ ପକ୍ଷରୁ ସମସ୍ତ ଅଭିଭାବକ ମାନଙ୍କ ସହ ଦିବାରାତ୍ର ଆମରଣ ଅନଶନରେ ବସିବେ ।