ସି.ପି.ଆଇ.ର ଦୁଇଦିନିଆ ସାଂଗଠନିକ ସମ୍ମିଳନୀ ଉଦ୍ଘାଟିତ

ବାଲେଶ୍ୱର(ଯୁଗାବ୍ଦ ନ୍ୟୁଜ): ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସାଂଗଠନିକ ସମ୍ମିଳନୀ ଶନିବାର ଅପରାହ୍ନରେ ସ୍ଥାନୀୟ ଉଠାଜଳସେଚନ କର୍ମଚାରୀ ଭବନରେ ଉଦ୍ଘାଟିତ ହୋଇଛି । ଏହି ଦୁଇଦିନିଆ ସମ୍ମିଳନୀ ରବିବାରଦିନ ଅପରାହ୍ନରେ ଉଦ୍ଯାପିତ ହେବ । ଏହି ଦୁଇଦିନର ସମ୍ମିଳନୀରେ ପାର୍ଟିର ଜିଲ୍ଲା ସଂଗଠନକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଦେଶ ଓ ରାଜ୍ୟ ରାଜନୀତିରେ ଶ୍ରମିକ, କୃଷକ, କୃଷି ଶ୍ରମିକ, କ୍ଷୁଦ୍ରବ୍ୟବସାୟୀ, ଛାତ୍ର, ମହିଳା ଓ ବେକାରୀ ସମସ୍ୟାର ସମାଧାନ ପାଇଁ ନୀତି ନିର୍ଦ୍ଧାରଣ କରାଯିବ । ଦରଦାମ୍ ବୃଦ୍ଧି ବିରୁଦ୍ଧରେ ଓ ବେକାରମାନଙ୍କୁ ନିଯୁକ୍ତି, ଅର୍ଥନୈତିକ ମାନ୍ଦାବସ୍ଥା, କୃଷିଋଣ ଛାଡ଼ ପ୍ରଭୃତି ସମସ୍ୟାକୁନେଇ ଆନ୍ଦୋଳନର କାର୍ଯ୍ୟକ୍ରମ ଗୃହୀତ ହେବ । ସାଂଗଠନିକ ସମ୍ମିଳନୀର ଲାଲ୍ ପତାକାକୁ ବର୍ଷିୟାନ୍ କମ୍ୟୁନିଷ୍ଟ୍ ବେଣୁଧର ବାରିକ ଉତ୍ତୋଳନ କରିଥିଲେ । ସି.ପି.ଆଇ. ରାଜ୍ୟ ସଂପାଦକ ଆଶୀଷ କାନୁନ୍ଗୋ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କେନ୍ଦ୍ରରେ ବି.ଜେ.ପି. ନେତୃତ୍ୱାଧୀନ ସରକାର ଓ କେନ୍ଦ୍ର ସରକାରଙ୍କୁ ଅଘୋଷିତଭାବେ ସମର୍ଥନ ଜଣାଉଥିବା ଓଡ଼ିଶାରେ ବିଜେଡ଼ିର ମିଥ୍ୟା ପ୍ରତିଶ୍ରୁତିରେ ଭୋଟରମାନେ ପ୍ରଭାବିତହୋଇ ଆଜି ପ୍ରତାରିତ ହୋଇଛନ୍ତି ବୋଲି ସେ କହିଥିଲେ । ସମ୍ମିଳନୀ ଆରମ୍ଭରେ ପୂର୍ବତନ ସାଂସଦ ତଥା ପ୍ରବୀଣ କମ୍ୟୁନିଷ୍ଟ ଗୁରୁଦାସ ଦାସଗୁପ୍ତା, ଓଡ଼ିଶାରେ କୃଷିଶ୍ରମିକମାନଙ୍କୁ ସଂଗଠିତ କରିଥିବା ପ୍ରହଲ୍ଲାଦ ସେଠୀ ଓ ଶ୍ରମିକନେତା ରତ୍ନାକର ମହାନ୍ତି ପ୍ରମୁଖଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ସହସଂପାଦକ ଭାଗବତ ପ୍ରତିହାରୀ ଶୋକପ୍ରସ୍ତାବ ଆଗତ କରିଥିଲେ । ଜିଲ୍ଲା ସଂପାଦକ ନିରଞ୍ଜନ ବାରିକ ସାଂଗଠନିକ ଚିଠା ପ୍ରସ୍ତାବ ଆଗତ କରିବା ପରେ ଏହା ଉପରେ ପ୍ରତିନିଧିମାନେ ଆଲୋଚନା ଆରମ୍ଭ କରିଛନ୍ତି । ଏହା ୨ୟ ଦିନର ପ୍ରଥମ ଅଧିବେଶନରେ ଗୃହୀତ ହେବ । ଅଖିଳ ଭାରତ ଛାତ୍ରସଂଘର ପ୍ରତିନିଧିମାନେ ବୈପ୍ଳବିକ ସଂଗୀତ ଗାନ କରିଥିଲେ । ସମ୍ମିଳନୀର ସମସ୍ତ ଅଧିବେଶନରେ କୈଳାସ ଚନ୍ଦ୍ର ପଣ୍ଡା, ଗୌରାଙ୍ଗ ପାଣିଗ୍ରାହୀ ଓ ବନ୍ଦନା ବିଶ୍ୱାସ ସଭାପତି ମଣ୍ଡଳୀ ଭାବେ ପରିଚାଳନା କରୁଛନ୍ତି । ପ୍ରାୟ ୮୨ଜଣ ପ୍ରତିନିଧି ଯୋଗ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ