ଦକ୍ଷତା ବୃଦ୍ଧି ପାଇଁ ଆରମ୍ଭ ହେଲା ନୂଆ ପ୍ରକଳ୍ପ ‘ପ୍ରଗତି’
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ରାଜ୍ୟରେ ଜଳବାୟୁ ପରିବର୍ତ୍ତନର ଶିକାର ହୋଇ ପ୍ରଥମ ବିସ୍ଥାପିତ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ଖଣ୍ଡର ପାଞ୍ଚୋଟି ଗ୍ରାମର ୫୬୧ ପରିବାର ନିକଟରେ ଦକ୍ଷତା ଓ ଜୀବିକାର ନିଶ୍ଚିତତା ପାଇଁ ଆରମ୍ଭ ହୋଇଛି ପ୍ରକଳ୍ପ ‘ପ୍ରଗତି’ । ଅଗ୍ରଣୀ ସାମାଜିକ ସଂଗଠନ ଆରସିଡ଼ିସି ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାଙ୍କ ମିଳିତ ଉଦ୍ୟମରେ ବୁଧବାର ଏଠାରେ ଶୁଭାରମ୍ଭ ହୋଇଥିବା ‘ପ୍ରଗତି’ ପ୍ରକଳ୍ପ ବିସ୍ଥାପିତଙ୍କ ଆଶା ଓ ଆବଶ୍ୟକତାକୁ ନିର୍ଦ୍ଧାରଣ କରି ସେମାନଙ୍କ ସାଥୀରେ ନେଇ ଜୀବନ ଜୀବିକାର ସମୃଦ୍ଧି ଓ ଦକ୍ଷତା ବିକାଶରେ ଧ୍ୟାନ ଦେବ ବୋଲି ଅତିଥିମାନେ ମତପୋଷଣ କରିଛନ୍ତି । ପ୍ରାକ୍ତନ ବରିଷ୍ଠ ପ୍ରଶାସକ ଡଃ ଅରବିନ୍ଦ ବେହେରା, ୟୁଏନ୍ଡ଼ିପିର ପ୍ରତିନିଧି ଆଭା ମିଶ୍ର, ଆରସିଡ଼ିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ଦାସ, କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଟାଟାଷ୍ଟିଲ୍ର ସିଏସ୍ଆରର ମୁଖ୍ୟ ଡ. ଅମ୍ବିକା ନନ୍ଦ ଓ ବଗପାଟିଆ ସରପଞ୍ଚ ପ୍ରସନ୍ନ ପରିଡ଼ା ଏଥିରେ ଯୋଗଦେଇ ବଗପାଟିଆ ଥଇଥାନ କଲୋନୀର ସ୍ଥିତିରେ ପରିବର୍ତ୍ତନ ଆଣିବା ଦିଗରେ କଣ ସବୁ କାର୍ଯ୍ୟକ୍ରମ ନିଆଯିବାର ଆବଶ୍ୟକତା ରହିଛି ସୂଚାଇଥିଳେ । ସୂଚନାଯୋଗ୍ୟ ଯେ, ଉପକୂଳ କ୍ଷୟର ଶିକାର ହୋଇଛି ସାତଭାୟା । ୧୯୭୧, ୧୯୮୦ ଓ ୧୯୮୨ ମସିିହାରେ ସମୁଦ୍ରର ଉତ୍ତାଳ ଲହଡ଼ିରେ ଭାସିଯାଇଛି ବହୁ ଧନ ଓ ଜୀବନ । ଏଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ବଗପାଟିଆଠାରେ ୧୮୫ ଏକର ସରକାରୀ ଜମିରେ ସେମାନଙ୍କୁ ଥଇଥାନ କରାଯାଇଛି । କିଛିବର୍ଷ ଧରି ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ରାଜଧାନୀ ପାଲଟିଥିବା ବେଳେ ପୂର୍ବରୁ ପ୍ରଭାବିତ ହୋଇଥିବା ଏହି ପରିବାର ଗୁଡ଼ିକର ବିକାଶକୁ ଏବେ ‘ପ୍ରଗତି’ ପ୍ରକଳ୍ପରେ ଫୋକ୍ସ କରାଯାଇଛି । ସମୁଦ୍ର ଆଁ ଭିତରୁ ବର୍ତ୍ତି ଯାଇଥିବା ୫୬୧ଟି ପରିବାରକୁ ଥଇଥାନ ପାଇଁ ସରକାର ଆଗେଇ ଆସିଛନ୍ତି । ଏହି ପ୍ରକ୍ରିୟାକୁ ସହଯୋଗ କରିବା ପାଇଁ ସାମାଜିକ ସଂଗଠନ ଆରସିଡ଼ିସି ଏବଂ ଓଏସ୍ଡ଼ିଏମ୍ଏ ମିଳିତ ଭାବେ ଆଗେଇ ଆସିବା ଏକ ସୁସମ୍ବାଦ ବୋଲି କହିଛନ୍ତି ସଂଗଠନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ଦାସ । ଥଇଥାନ, ଦକ୍ଷତା, ବିକାଶ, ଜୀବିକା ଓ ଯେକୌଣସି ପରିସ୍ଥିତିକୁ ଖାପ ଖୁଆଇ ଚଳିବାରେ ବଗପାଟିଆ ବିସ୍ଥାପିତ ଗୋଷ୍ଠୀଙ୍କ ସାମର୍ଥ୍ୟ ଗଠନ ଦିଗରେ ପ୍ରଗତିର ପ୍ରୟାସ ଜାରି ରହିବ ବୋଲି କୁହାଯାଇଛି ।


