ଦକ୍ଷିଣ ଓଡିଶାର ପ୍ରଖ୍ୟାତ ପାରଳା ରଥଯାତ୍ରା ବନ୍ଦ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆନ୍ଧ୍ର ଓ ଦକ୍ଷିଣ ଓଡିଶାରେ ଅତ୍ୟନ୍ତ ପ୍ରଖ୍ୟାତ ଥିବା ପାରଳାଖେମୁଣ୍ଡି ରଥଯାତ୍ରା ଚଳିତ ବର୍ଷ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦେଶର ଉଚ୍ଚତମ ନ୍ୟାୟାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ କୌଣସି ସ୍ଥାନରେ ରଥଯାତ୍ରା ପାଳନ ହେବ ନାହିଁ ବୋଲି ରାୟ ପ୍ରକାଶ କରିଛନ୍ତି । ଏ ନେଇ ପାରଳାଖେମୁଣ୍ଡି ଉପଜିଲାପାଳ ତଥା ରଥଯାତ୍ରା ପାଳନ କମିଟିର ସମ୍ପାଦକ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି,ଗଜପତିରେ କରୋନାର ସଂକ୍ରମଣ ବଢି ଚାଲିଥିବାରୁ ପାରଳାଖେମୁଣ୍ଡି ଜନସାଧାରଣ ଏଥି ପୂର୍ବରୁ ରଥଯାତ୍ରା ବନ୍ଦ ପାଇଁ ଗଜପତି ପ୍ରଶାସନକୁ ଅନୁରୋଧ କରିଥିଲେ । ତେଣୁ ସେହି ସମୟରୁ ରଥଯାତ୍ରା ପାଳନ ନ ହୋଇ ୩ଦିଅଁଙ୍କ ନୀତି ଓ ବିଭିନ୍ନ ପୂଜା ବିଧିକୁ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା । ବର୍ତ୍ତମାନ ସୁପ୍ରିମକୋର୍ଟର ରାୟ ଅନୁଯାୟୀ ମଧ୍ୟ ପାରଳାଖେମୁଣ୍ଡି ସହରରେ ଚଳିତ ବର୍ଷ ରଥଯାତ୍ରା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ବୋଲି ସେ ସୂଚନା ଦେଇଛନ୍ତି ।


