ଦଣ୍ଡଯାତ୍ରା ରାତି ନାଚରେ ଅଘଟଣ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବର୍ତ୍ତମାନ ସାରା ଗଞ୍ଜାମ ଜିଲ୍ଲାରେ ଉତ୍ସାହର ସହିତ ପାଳିତ ହେଉଛି ଜିଲ୍ଲାର ପ୍ରସିଦ୍ଧ ଗଣପର୍ବ ଦଣ୍ଡଯାତ୍ରା I ଏହି ଅବସରରେ ବିଭିନ୍ନ ଗ୍ରାମରେ ମାନସିକଧାରୀ ଘର ଆଗର୍ରେ ପାରମ୍ପରିକ ଦଣ୍ଡ ନାଚ ସହିତ ରାତିରେ ବିଭିନ୍ନ ପୌରାଣିକ ଏବଂ ସାମାଜିକ ନାଟକ ମଧ୍ୟ ମଞ୍ଚସ୍ଥ ହେଉଛି, ଯାହା ଦେଖିବାପାଇଁ ଦର୍ଶକ ମାନଙ୍କ ଅସମ୍ଭବ ଭିଡ଼ ହେଉଛି I କିନ୍ତୁ ବେଳେ ବେଳେ ଏହି ରାତି ନାଚରେ ସାମାନ୍ୟ ବିଶୃଙ୍ଖଳାରୁ ଗଣ୍ଡଗୋଳ ଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି I ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ନିକଟସ୍ଥ ନୂଆଁ ମହୁଲିଆ ଗ୍ରାମରେ I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ଘୁ.ନୂଆଁଗାଆଁର ଦଣ୍ଡଦଳ ରବିବାର ଦିନ ନିକଟସ୍ଥ ମହୁଲିଆ ଗ୍ରାମକୁ ନୃତ୍ୟ ପରିବେଷଣ କରିବାକୁ ଯାଇଥିଲେ I ସେଠାରେ ଦିନବେଳା ଧୂଳି ଦଣ୍ଡ ଏବଂ ପାଣିଦଣ୍ଡ ରୀତିନୀତି ମୁତାବକ ସରିଥିଲା I ସନ୍ଧ୍ୟାରେ ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଲାପଡ଼ା ଗ୍ରାମର କିଛି ଯୁବକ ଏବଂ ମହୁଲିଆର କିଛି ଯୁବକଙ୍କ ମଧ୍ୟରେ କଥା କଟାକଟି ହୋଇ ଯୁକ୍ତିତର୍କ ହୋଇଥିଲା I ରାତିରେ ମହୁଲିଆ ଗ୍ରାମରେ ମେଲୋଡ଼ି କାର୍ଯ୍ୟକ୍ରମ ସରିବା ପରେ ଗୋଲାପଡ଼ାର କିଛି ଯୁବକ ମଞ୍ଚ ଉପରକୁ ଯାଇ ନାଚ ବନ୍ଦ କର ବୋଲି ପାଟିତୁଣ୍ଡ କରିବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ I ଏଥିରେ ନୂଆଁଗାଆଁର ଯୁବକ ମାନେ ଉତ୍ତ୍ୟକ୍ତ ହୋଇ ଗୋଲାପଡ଼ା ଯୁବକମାନଙ୍କୁ ପ୍ରତିବାଦ କରିବା ସହ ଠେଲାପେଲା କରିଥିଲେ I ଏହା ସହିତ ମଞ୍ଚ ଉପରେ ଚଢ଼ିଯାଇ ଯୁବକ ମାନେ ଠେଙ୍ଗା ବାଡ଼ିରେ ଆକ୍ରମଣ କରି ଗୋଲାପଡ଼ା ଗ୍ରାମର ଦିଲ୍ଲୀପ କୁମାର ପଣ୍ଡାଙ୍କ ପୁଅ ଅଶ୍ୱିନୀ କୁମାର ପଣ୍ଡା(32) ଏବଂ ସନ୍ତୋଷ ନାମକ ତାର ଏକ ସାଙ୍ଗଙ୍କୁ ଆକ୍ରମଣ କରିଥିଲେ I ଅଶ୍ୱିନୀ ଗୁରୁତର ଆହତ ହୋଇ ଘଟଣା ସ୍ଥଳରେ ରହିଯାଇଥିବା ବେଳେ ସନ୍ତୋଷ ସେଠାରୁ ଚାଲିଯାଇଥିଲା I ଏହା ସହିତ ଗୋଲାପଡା ଗ୍ରାମର ଅନ୍ୟ ପାଞ୍ଚ ଜଣ ମଧ୍ୟ ଆହତ ହୋଇଥିଲେ I ଘଟଣା ସମ୍ପର୍କରେ ଖବର ପାଇ ବେଲଗୁଣ୍ଠା ପୋଲିସ୍ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅଶ୍ୱିନୀକୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲା I ଅଶ୍ୱିନୀର ପଛପଟେ ବେକ ତଳକୁ କେହି ଛୁରୀରେ ଭୁସିଥିବା ଜଣାପଡ଼ିଛି କିନ୍ତୁ ସେଠାରେ ଅଶ୍ୱିନୀର ଅବସ୍ଥା ଅଧିକ ଗୁରୁତର ହେବାରୁ ତାକୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ମେଡ଼ିକାଲ୍ କୂ ସ୍ଥାନାନ୍ତର କରାଯାଇଥିଲା I ଘଟଣାରେ ଉତ୍ତ୍ୟକ୍ତ ହୋଇ ପୁଣି ଥରେ ଗୋଲାପଡ଼ାର କିଛି ଯୁବକ ଆସି ନୂଆଁଗାଆଁର କଳାକାର ମାନେ ଆସିଥିବା ବସ୍ କୁ ଭଙ୍ଗାରୁଜା କରିଥିଲେ I ଘଟଣା ପରେ ନୂଆଁଗାଆଁ,ମହୁଲିଆ ଏବଂ ଗୋଲାପଡାରେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୋଲିସ୍ ମୁତୟନ ରହିଥିବା ଜଣାପଡିଛି I