ଦଲାଲଙ୍କ ମାୟା ଜାଲରେ ମୁଖ୍ୟ ଚିକିତ୍ସାଳୟ ଦୁର୍ଦ୍ଦଶା ଭୋଗୁଛନ୍ତି ରୋଗୀ
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ୍): ରାଜ୍ୟର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାଭାବେ ପରିଚିତ ବାଲେଶ୍ୱର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପ୍ରତି ଜନସାଧାରଣଙ୍କ ଆବେଗ ଭାବନା ସମ୍ପୂର୍ଣ୍ଣ ଭିନ୍ନ । ପ୍ରତୈକ ଦିନ ହଜାର ହଜାର ରୋଗୀ ମୁଖ୍ୟ ଚିକିତ୍ସାଳୟ ସହିତ ମେଡିକାଲ କଲେଜକୁ ଆସିଥାନ୍ତି । ଅଧିକାଂଶ ରୋଗୀ କଟକ ଯିବା ପରିବର୍ତ୍ତେ ବହୁ ଦୂର ଦୂରାନ୍ତରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥାନ୍ତି । କିନ୍ତୁ ଏଠି ଆସି ଦେଖନ୍ତି ତ ଗାଁ ମାନଙ୍କରେ ସରକାରଙ୍କର ବିଶେଷ କିଛି ସୁବିଧା ନଥାଇ ମଧ୍ୟ ଯାହାକିଛି ଚିକିତ୍ସା ମିଳିଥାଏ, ମୁଖ୍ୟ ଚିକିତ୍ସାଳୟରେ ସବୁ ପ୍ରକାର ସୁବିଧା ସୁଯୋଗ ଥାଇ ମଧ୍ୟ ରୋଗୀ ହନ୍ତସନ୍ତ ହୋଇ ବିଭିନ୍ନ ପ୍ରାଇଭେଟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି । ଫଳରେ ଜନସାଧାରଣ ମୁଖ୍ୟ ଚିକିତ୍ସାଳୟ ପ୍ରତି ଆସ୍ଥା ହରାଇ ବସିଛନ୍ତି । ପ୍ରାଥମିକ ସ୍ତରରେ ପ୍ରତ୍ୟେକ ଜାଗାରେ ସ୍ୱଚ୍ଛତା ପ୍ରତି ବିଶେଷ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ ହେଉଥିବା ବେଳେ ମୁଖ୍ୟ ଚିକିତ୍ସାଳୟରେ ସ୍ୱଚ୍ଛତା ସ୍ୱପ ପାଲଟିଛି । ୧୦୮ ଆମ୍ବୁଲାନ୍ସ କଥା ନ କହିବା ଭଲ । ଫୋନ ଦ୍ୱାରା ଯୋଗାଯୋଗ କଲେ ନାମ, ବେଡ ନମ୍ବର ଅସୁବିଧା କଣ ବୁଝିନେଇ ସାରିଲା ପରେ ଭୁବନେଶ୍ୱର କଣ୍ଟ୍ରୋଲରୁମରୁ କହୁଛି ଗାଡି ଉପସ୍ଥିତ ନଥିବା କହି ୧ଘଣ୍ଟା ପରେ କଲ କରନ୍ତୁ କହି ରାତି ପାହିଦେଇଥାନ୍ତି । କିନ୍ତୁ ରୋଗୀର ଅବସ୍ଥା ଜଟିଳ ହେବାରେ ଲାଗି ରହିଥିବା ବେଳେ ବାଧ୍ୟ ହୋଇ ରୋଗୀ ପ୍ରାଇଭେଟ ବ୍ୟବସ୍ଥା କରି ଯିବା ପାଇଁ ବାଧ୍ୟ ହୁଅନ୍ତି । ବ୍ଲଡବ୍ୟାଙ୍କରେ ବ୍ଲଡର ଅଭାବ ଲାଗିରହୁଥିବା ବେଳେ ସାଧାରଣ ଲୋକ ରକ୍ତ ପାଇଁ ଦଲାଲଙ୍କ ଶୋଷଣର ଶିକାର ହେଉଛନ୍ତି । ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ତରଫରୁ ଶହ ଶହ ୟୁନିଟ ରକ୍ତ ଦାନ କରାଯାଉ ଥିବା ବେଳେ ସଂଗ୍ରହ ହେଉଥିବା ରକ୍ତ ଯାଉଛି କୁଆଡେ । ମାଗଣାରେ ମିଳୁଥିବା ଔଷଧ ମଧ୍ୟ ସମ୍ପୂର୍ଣ୍ଣ ମାତ୍ରାରେ ଉପସ୍ଥିତ ରହିବା କେବେ ପରିଲକ୍ଷିତ ହୋଇନାହିଁ । ସିଟି ସ୍କାନ ଓ ବା ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ଡାକ୍ତର ମାନଙ୍କୁ ଲାଞ୍ଚ ଦେବାକୁ ପଡୁଛି ଓ ଏହା ସହ ପ୍ରସୂତି ବିଭାଗରେ ନର୍ସ ମାନଙ୍କ ଅତ୍ୟାଚାର ସମସ୍ତ ସିମା ଉଲଂଘନ ହେଉଥିବାର ଅଭିଯୋଗ ହେେଇଛି । ରୋଗୀ ଆଶା ବିଶ୍ୱାସ ନେଇ ଡାକ୍ତରଙ୍କ ପାଖକୁ ଆସିଥିବା ସମୟରେ ଡାକ୍ତରମାନେ ରୋଗୀ ମାନଙ୍କୁ ଦୁବ୍ୟବହାର କରିବା ସହ ରୋଗୀ ମାନଙ୍କୁ ଘରୋଇ ମେଡିକାଲ ଓ କଟକ କୁ ପଠାଇଦେଉଛନ୍ତି । ମେଡିକାଲ ପରିରରେ ପ୍ରତିଦିନ ଶହ ଶହ ଦଲାଲ ମାନଙ୍କୁ ଟଙ୍କା ଦେଲେ ରୋଗୀ ମାନଙ୍କର କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ଚିକିତ୍ସା କେନ୍ଦ୍ରକୁ ଲୋକ ପ୍ରତିନିଧି, ବରିଷ୍ଠ ନାଗରିକ ମଂଚର କର୍ମକର୍ତ୍ତା, ମେଡିକାଲ କଲେଜ କ୍ରିୟା ଅନୁଷ୍ଠାନର କର୍ମକର୍ତ୍ତା, ଅବସରପ୍ରାପ୍ତ ସେନା କର୍ମକର୍ତ୍ତା, ବହୁ ସ୍ୱଚ୍ଛାସେବୀ ସଂଗଠନ ଓ ରାଜନୈତିକ ପୁରୋଧା ସମୟ ମସୟରେ ପରିଭ୍ରମଣରେ ଆସୁଥିବା ବେଳେ ନାନା କଥା ମଧ୍ୟ ବୁଝନ୍ତି, ଓ ବିଭିନ୍ନ ପ୍ରକାର ସାହାଯ୍ୟ ସହାନୁଭୂତି ମଧ୍ୟ ଦେଇଥାନ୍ତି । ଏହା ପରେ ମଧ୍ୟ ଚିକିତ୍ସାରେ ଏପରି ଅବ୍ୟବସ୍ଥା ଉଦବେଗ ଓ କ୍ରୋଧ ସୃଷ୍ଟି କରିଛି । ଏଥି ପାଇଁ ଦାୟୀ କିଏ ? ମୁଖ୍ୟ ଚିକିତ୍ସା ଅଧିକାରି ଓ ମେଡିକାଲ କଲେଜ ନିର୍ଦ୍ଦେଶକଙ୍କ ମଧ୍ୟରେ ମତ ପ୍ରାର୍ଥକ୍ୟ, ଉଭୟଙ୍କ ମଧ୍ୟରେ ସୁସମନ୍ୱୟର ଅଭାବ ଓ ପଦର ଗାରିମାକୁ ନେଇ ବାକ୍ ଯୁଦ୍ଧ ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି କରିଛି । ବେଳେ ବେଳେ ଏମିତି ଲାଗୁଛି ଯେ ଚିକିତ୍ସାଳୟରେ ମାନବିକତାର ମୁଲ୍ୟବୋଧ ନାହିଁ । ଜନ ସାଧାରଣ ଡାକ୍ତରଙ୍କୁ ଭଗବାନଙ୍କର ଦ୍ୱିତୀୟ ଅବତାର ବୋଲି ବିବେଚିତ କରୁଥିବା ବେଳେ ମୁଖ୍ୟ ଚିକିତ୍ସାଳୟରେ ତାହା ଭୁଲ ପ୍ରମାଣିତ ହେଉଛି । ଜିଲ୍ଲାର ଅଖଣ୍ଡ କ୍ଷମତା ସମ୍ପନ୍ନ ବ୍ୟକ୍ତି ନିଜେ ଜିଲ୍ଲାପାଳ ମୋହଦୟ । ତୁରନ୍ତ ଦଲାଲ ମାନଙ୍କ ବିରୋଦ୍ଧରେ କାର୍ଯ୍ୟନ୍ୁଷ୍ଠାନ ଗ୍ରହଣ କରିବା ସହ ରୋଗୀ ମାନଙ୍କର ଅତ୍ୟାଧୁନିକ ସେବା ଯୋଗାଇଦେବା ପାଇଁ ଓ ସରକାରୀ ସୁବିଧା ଦେବା ନିମନ୍ତେ ସାଧାରଣ ଜନତା ପ୍ରଶାସନ ଜଲଦି ଏହା ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଛନ୍ତି ।