ଦଶିପୁର ପଂଚାୟତରେ ଖାଉଟି ସାମଗ୍ରୀ ପ୍ରଦାନରେ ଅନୀୟମିତତା ଅଭିଯୋଗ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ପଂଚାୟତରେ ଖାଉଟି ସାମଗ୍ରୀ ପ୍ରଦାନରେ ଅନୀୟମିତତା ହୋଇଥିବା ବୁଧବାର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ପଂଚାୟତର ଖାଉଟି ଡିଲର ରବିନ୍ଦ୍ର ମଲ୍ଲିକ ନିଲମ୍ବିତ ହେବା ପରେ ଗିରିବନ୍ଧର ଡିଲର ପିତାମ୍ବର ବେହେରାଙ୍କୁ ଦଶିପୁର ପଂଚାୟତର ଖାଉଟି ସାମଗ୍ରୀ ଯୋଗାଣ ନିମନ୍ତେ ଟ୍ୟାଗିଂ କରାଯାଇଥିଲା । ଡିଲର ବେହେରା ୨ଥର ଖାଉଟି ସାମଗ୍ରୀ ଦେବାପରେ ପୁନର୍ବାର ନିଲମ୍ବିତ ଡିଲର ରବିନ୍ଦ୍ରକୁ ପିତାମ୍ବର ଖାଉଟି ସାମଗ୍ରୀ ବାଟିଂବା ଦାଇତ୍ୱ ଦେଇଦେଲେ । ଫଳରେ ନିଲମ୍ବିତ ଡିଲର ରବିନ୍ଦ୍ର ଖାଉଟିଙ୍କୁ ଏଲ.ଇ.ଡି.ବଲ୍ୱ ଦେଇ ଅର୍ଥ ଆଦାୟ କରିବା, ୬ମାସର କିରୋସିନ ନଦେଇ ଖାଉଟି କାର୍ଡରେ ଦେଇଛି ବୋଲି ଲେଖିଦେବା ଭଳି ଅଭିଯୋଗ ହେଲା । ସେହି ପଂଚାୟତର ବିବେକାନନ୍ଦ ଦାଶ ଖାଉଟି କାର୍ଡ ନମ୍ବର ୧୭୦୧୦୯୧୨୩୨୪ରେ ରବିନ୍ଦ୍ରଙ୍କ ଠାରୁ ଖାଉଟି ସାମଗ୍ରୀ ନଆଣିବାରୁ ଆଳି ବ୍ଲକର ବିଡିଓ ଏବଂ ମାର୍କେଟିଂ ଇନିସପେକ୍ଟରଙ୍କ ଉପସ୍ଥିିତିରେ ବ୍ଲକ କାର୍ଯ୍ୟାଳୟ ପରିସରରେ ରବିନ୍ଦ୍ର ବିବେକାନନ୍ଦଙ୍କୁ ଧମକ ଦେଇଥିଲା । ଏ ସମ୍ପର୍କରେ ପଂଚାୟତବାସୀ ଆଳି ବ୍ଲକର ମାର୍କେଟିଂ ଇନିସପେକ୍ଟର,ବିଡିଓ ଏବଂ ଉପଜିଲ୍ଲାପାଳଙ୍କୁ ପୂର୍ବରୁ ବାରମ୍ବାର ଅଭିଯୋଗ କଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ବୁଧବାର ପଂଚାୟତବାସୀଙ୍କ ପକ୍ଷରୁ ବିବେକାନନ୍ଦ ଦାଶ, ପ୍ରମୋଦ ପଣ୍ଡା, ନିରଞ୍ଜନ ସାହୁ, ଅକ୍ଷୟ ସାହୁ, ଶରତ ଦାସ, ଅମୁଲ୍ୟ ମଲ୍ଲିକ, ରତ୍ନାକର ମଲ୍ଲିକ, ମଞ୍ଜୁଲତା ମଲ୍ଲିକ, ମନୋରମା ଦାସ ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ । ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଏହି ସମସ୍ୟାର ସମାଧାନ ପାଇଁ ସେମାନଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।