ଦାଦନ ଶ୍ରମିକଙ୍କ ପାଇଁ ଚାଲିବ ଅଧିକ ସ୍ୱତନ୍ତ୍ର ଟ୍ରେନ
ଭୁବନେଶ୍ୱର : ସ୍ୱତନ୍ତ୍ର ଟ୍ରେନ ଯୋଗେ ଏବେ ଦେଶାନ୍ତରୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଅଣାଯାଉଛି । କିନ୍ତୁ କମ ଟ୍ରେନ ଚଳାଚଳ କରୁଥିବାରୁ ଏବେବି ଲକ୍ଷ ଲକ୍ଷ ଶ୍ରମିକ ଅନ୍ୟ ରାଜ୍ୟରେ ଫସି ଯାଇଛନ୍ତି । ଏହାକୁ ଆଖିଆଗରେ ରଖି ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଇବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରମାନେ ରେଳ ମନ୍ତ୍ରଣାଳୟ ସହ ଆଲୋଚନା କରି ଅଧିକ ଟ୍ରେନ ଚଳାଚଳ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ଦେଶାନ୍ତରୀ ଶ୍ରମିକଙ୍କୁ ସ୍ୱତନ୍ତ୍ର ଟ୍ରେନରେ ଆଣିବା ବେଳେ ମହିଳା, ଶିଶୁ ଓ ବୟସ୍କଙ୍କ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ଏନେଇ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା କହିଛନ୍ତିଯେ, କରୋନା ସଂକ୍ରମଣ ଭୟ ଓ ଜୀବିକା ବୁଡ଼ିବା ଆଶଙ୍କାରେ ଦେଶାନ୍ତରୀ ଶ୍ରମିକମାନେ ଘରକୁ ଯିବାକୁ ଚାହୁଁଛନ୍ତି । ସେମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଓ ରେଳବାଇ ସ୍ୱତନ୍ତ୍ର ରେଳର ବ୍ୟବସ୍ଥା କରିପାରିବେ ବୋଲି ସେ କହିଛନ୍ତି ।


