ସପରିବାର କ୍ବାରେଣ୍ଟାଇନରେ ଗଲେ ନୱାଜୁଦ୍ଦିନ ସିଦ୍ଦିକି
ବଲିଉଡ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ମୁମ୍ବାଇରୁ ଉତ୍ତର ପ୍ରଦେଶ ମୁଜାଫରନଗର ଜିଲାର ବୁଢ଼ାନାସ୍ଥିତ ନିଜଘରେ ପହଞ୍ଚିଛନ୍ତି। ସେ ତାଙ୍କ ପରିବାର ସହିତ ୧୪ ଦିନ ପାଇଁ କ୍ବାରେଣ୍ଟାଇନରେ ଯାଇଛନ୍ତି। ଅଭିନେତା ଓ ତାଙ୍କ ପରିବାର ସଦସ୍ୟଙ୍କର ମେଡିକାଲ ସ୍କ୍ରିନିଂ କରାଯାଇଛି। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ମହାରାଷ୍ଟ୍ର ସରକାରଙ୍କ ଠାରୁ ଅନୁମତି ପତ୍ର ନେବା ପରେ ନୱାଜୁଦ୍ଦିନ ମେ ୧୫ରେ ନିଜ ଘରେ ପହଞ୍ଚି ଥିଲେ। ସେଠାରେ ନୱାଜୁଦ୍ଦିନ ଓ ତାଙ୍କ ପରିବାର ସଦସ୍ୟଙ୍କୁ ମେ ୨୫ ପର୍ଯ୍ୟନ୍ତ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଛି। ମୁମ୍ବାଇରୁ ବୁଢ଼ାନା ନୱାଜୁଦ୍ଦିନ ନିଜ ଗାଡ଼ିରେ ଆସିଥିଲେ। ତାଙ୍କ ସହିତ ତାଙ୍କ ମା’, ଭାଉଜ ଓ ଭାଇ ମଧ୍ୟ ଉପସ୍ଥିତ ଥିଲେ। ଏହି ଯାତ୍ରା ସମୟରେ ତାଙ୍କୁ ରାସ୍ତାରେ ୨୫ଟି ସ୍ଥାନରେ ସ୍କ୍ରିନିଂ କରାଯାଇଥିବା ନୱାଜୁଦ୍ଦିନ କହିଛନ୍ତି। ବୁଢ଼ାନା ପୋଲିସ ସର୍କଲର ଷ୍ଟେସନ ହାଉସ୍ ଏସ୍ଏସ୍ଓ କୁଶଲପାଲ ସିଂ କହିଛନ୍ତି ଯେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ନୱାଜୁଦ୍ଦିନଙ୍କ ଘରକୁ ଯାଇ ସେମାନଙ୍କୁ ୧୪ ଦିନ ପାଇଁ କ୍ବାରେଣ୍ଟାଇନରେ ରହିବାକୁ କହିଛନ୍ତି। ସୂଚନାଯୋଗ୍ୟ ଯେ ନୱାଜୁଦ୍ଦିନ ଖୁବଶୀଘ୍ର ୱେବସିରିଜ ‘ଘୁମକେତୁ’ରେ ନଜର ଆସିବାକୁ ଯାଉଛନ୍ତି। ଏଥିରେ ତାଙ୍କ ସହ ଅନୁରାଗ କଶ୍ୟପ, ଇଲା ଅରୁଣ, ସ୍ବନନ୍ଦ କିରକିରେ, ରଘୁବୀର ଯାଦବ, ରାଗିଣୀ ଖାନ୍ନା ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଏହା ମେ ୨୨ରୁ ଜୀ୫ରେ ଷ୍ଟ୍ରିମିଂ ହେବ।


