ଦାବି ପୁରଣ ନକଲେ ଆନ୍ଦୋଳନ ପାଇଁ ପ୍ରାଥମିକ ଶିକ୍ଷକଙ୍କ ସରକାରଙ୍କୁ ଚେତାବନୀ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ(ନୂତନ ପେନସନ ଯୋଜନା ଭୁକ୍ତ) ପକ୍ଷରୁ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ବ୍ଲକ ସଭାପତି ବିଶ୍ୱବନ୍ଧୁ ଜେନାଙ୍କ ସଭାପତିତ୍ୱରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନଭେମ୍ବର ୨୭ତାରିଖରୁ ୪ଦିନ ଧରି ଭୁବନେଶ୍ୱର ଠାରେ ହୋଇଥିବା ରାଲି ଏବଂ ସଙ୍ଘର ଦାବୀ ଗୁଡିକ ଉପରେ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ସଙ୍ଘର ଜିଲ୍ଲା ସଭାପତି ଅନନ୍ତ କୁମା ପରିଡା ମତ ରଖିଥିଲେ । ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୈାଣସି ଦାବି ପୁରଣ କରିବା ନିମନ୍ତେ ସ୍ପଷ୍ଟ ସୂଚନା ନଥିବାରୁ ସଭାରେ ଉପସ୍ଥିତ କର୍ମକର୍ତ୍ତା କ୍ଷୋଭ ପ୍ରକାଶ କରିଥିଲେ । ୩ଦଫା ଦାବି ଗ୍ରହଣ କରି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ୨୧ତାରିଖରେ ଅନୁଷ୍ଠିତ ବୈଠକରେ କୈାଣସି ନିଷ୍ପତ୍ତି ଗ୍ରହଣ କରାନଯାଇ କାଳକ୍ଷେପଣ ନୀତି ଅବଲମ୍ବନ କରାଯାଉଥିବାରୁ ସଙ୍ଘର କର୍ମକର୍ତ୍ତାମାନେ ବୈଠକରେ ବିଷୋଦଗାର କରିଥିଲେ । ସଙ୍ଘର ନିଷ୍ପତ୍ତିକ୍ରମେ ୬ର୍ବ ଠିକା କାର୍ଯ୍ୟକାଳକୁ ୬ଟି ନେସନାଲ ଇନକ୍ରୀମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା, କେନ୍ଦ୍ରୀୟ ହାରରେ ଦମା ପ୍ରଦାନ ଓ ପୁରୁଣା ପେନସନ ଯୋଜନାର ପୁନଃ ପ୍ରଚଳନ କରାଯିବା ଦାବି ଗୁଡିକ ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ପୁରଣ କରାନଗଲେ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକମାନେ ବିଧାନସଭା ଅଧିବେଶନ ସମୟରେ ରାଜାରାସ୍ତାକୁ ଓହ୍ଲାଇବେ ବୋଲି ବ୍ଲକ ସମ୍ପାଦକ ସେକ ଖାତିବ, କାର୍ଯ୍ୟକାରୀ ସଭାପତି ଅସଗର ଅଲ୍ଲୀ, ଉପସଭାପତି ମନୋରଞ୍ଜନ ମହାପାତ୍ର, ସହସମ୍ପାଦକ ଶ୍ରୀଧର ସାହୁ, ଦେବେନ୍ଦ୍ର ନାୟକ, ବୀରବର ଦାସ, କୋଷାଧ୍ୟକ୍ଷ ଗାଙ୍ଗେୟ ବିଶ୍ୱାଳ, ସୁରେନ୍ଦ୍ର ବାରିକ, ଅଚ୍ୟୁତାନନ୍ଦ ସାମଲ, ମହମ୍ମଦ ଫାୟାଜୁଦ୍ଦିନ, ପ୍ରମୁଖ ଚେତାବନୀ ଦେଇଥିଲେ । ଏଥିପାଇଁ ଶିକ୍ଷାଦାନରେ ଯେଉଁ ବ୍ୟାଘାତ ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି ।