ଦାବି ପୂରଣ ନ ହେଲେ ମେ ୧୨ରୁ ଧାରଣାକୁ ଓହ୍ଲାଇବ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ନେତାଜୀ ଭବନ ଠାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଶିକ୍ଷକ ନେତୃତ୍ୱ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର ଜନ୍ମ ଦିନ ତା ୧୫.୧୦.୨୦୨୨ରେ ଐତିହାସିକ ଘୋଷଣା କରିଥିଲେ ଯେ, ରାଜ୍ୟରୁ ଠିକା ନିଯୁକ୍ତିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ଠିକା କାର୍ଯ୍ୟକାଳକୁ ନିୟମିତ ଚାକିରୀରେ ଗଣନା କରି ଗଣଶିକ୍ଷା ବିଭାଗର ମାଧ୍ୟମିକ ଶିକ୍ଷକମାନଙ୍କୁ ନିୟମିତ କରିବାର ପ୍ରାବଧାନ କରିବା ସଙ୍ଗେ ସଙ୍ଗେ ଅନ୍ୟ ବିଭାଗମାନଙ୍କରେ ମଧ୍ୟ ଲାଗୁ କରାଇଛନ୍ତି । ମାତ୍ର ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏଲିମେଣ୍ଟାରୀ ଶିକ୍ଷକମାନଙ୍କର କଥାକୁ ଦୁର୍ଭାଗ୍ୟଜନକ ଭାବେ ପାସୋରି ଯାଇଛନ୍ତି । ସେଥିପାଇଁ ୨୦୨୨ ନଭେମ୍ବର ୨୭ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୪ ଦିନ ପ୍ରାଥମିକ ଶିକ୍ଷକମାନେ ରାଜରାସ୍ତାରେ ଆନ୍ଦୋଳନ କରିଛନ୍ତି । ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବାର ୪ ମାସ ତଥା ଆନ୍ଦୋଳନ ହେବାର ୫ ମାସ ପୂରି ଯାଇଥିଲେ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଏଲିମେଣ୍ଟାରୀ ଶିକ୍ଷକମାନଙ୍କର କୌଣସି ଦାବୀକୁ ପୂରଣ କରିନାହାଁନ୍ତି । ଫଳରେ ୧ ଲକ୍ଷ ୨୫ ହଜାର ପ୍ରାଥମିକ ଶିକ୍ଷକ କହିବାକୁ ଗଲେ ସେମାନଙ୍କର ଉପରେ ନିର୍ଭରଶୀଳ ୬ ଲକ୍ଷ ଓଡ଼ିଆ ଆଜିର ମହଙ୍ଗା ବଜାରରେ ଅତି ସର୍ବନିମ୍ନ ଗ୍ରେଡ ପେ ୨୨୦୦ ଟଙ୍କାରେ ଅତି ଦୟନୀୟ ଅବସ୍ଥାରେ ଅଛନ୍ତି ।
ବିଦ୍ୟାଳୟ ଗଣଶିକ୍ଷା ବିଭାଗର ସର୍ବାଧିକ ଆଠଟି (୧ମରୁ ୮ମ ପର୍ଯ୍ୟନ୍ତ) ଶ୍ରେଣୀକୁ ଶିକ୍ଷାଦାନ ଦେଉଥିବା ତଥା ଶିକ୍ଷାର ଭିତ୍ତି ସ୍ଥାପନ କରୁଥିବା ଉଚ୍ଚ ଯୋଗ୍ୟତାଧାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମାତ୍ର ୨୨୦୦/- ଗ୍ରେଡ଼ ପେ ରେ ରହିଛନ୍ତି । ରାଜ୍ୟର ଗଣଶିକ୍ଷା ବିଭାଗରେ ରହି ସମାନ ଯୋଗ୍ୟତାଧାରୀ ଅନ୍ୟ ଶିକ୍ଷକମାନେ ୨୮୦୦/- ଗ୍ରେଡ଼ ପେ ପାଉଛନ୍ତି । ଦେଶର ପ୍ରାୟ ସମସ୍ତ ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କର ଗ୍ରେଡ଼ ପେ ୪୨୦୦/- ଥିଲାବେଳେ ଓଡ଼ିଶାର ପ୍ରାଥମିକ ଶିକ୍ଷକ ଗ୍ରେଡ଼ ପେ ମାତ୍ର ୨୨୦୦/-ରେ ରହିଛି । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରିଜୋଲେସନ ନଂ-୨୩୨୯୨ ତା ୨୯.୧୧.୨୦୧୭ ଅନୁଯାୟୀ ପ୍ରାଥମିକ ଶିକ୍ଷକମାନଙ୍କର ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା +୨ ସି.ଟିକୁ ଉତ୍ତୀର୍ଣ୍ଣ କରିଛନ୍ତି । ମାତ୍ର ପଦବୀକୁ ମାଟ୍ରିକ, ସି.ଟି ରଖିଛନ୍ତି । ଏଣୁ ୨୦୧୯ କ୍ୟାଡ଼ର ରୁଲ ସଂଶୋଧନ କରି ଆବଶ୍ୟକୀୟ ଯୋଗ୍ୟତାକୁ ହାଇୟର ସେକେଣ୍ଡାରୀ (+୨) ସି.ଟି / ଗ୍ରାଜୁଏଟ ସି.ଟି ବା ବି.ଏଡ୍ କରି ତଦନୁଯାୟୀ ୨୦୧୭ ମସିହା ଠାରୁ ଏଣ୍ଟ୍ରି ଲେବୁଲରେ ଗ୍ରେଡ଼ ପେ ୨୮୦୦/- ହିସାବରେ ଦିଅନ୍ତୁ ।ସାରା ଓଡ଼ିଶାରୁ ଠିକା ଉଚ୍ଛେଦ ହୋଇଥିବାରୁ ୨୦୧୮ ଠାରୁ ନିଯୁକ୍ତ ସମସ୍ତ ଜେଟି / ଜେଟିସି ମାନଙ୍କୁ ଅବିଳମ୍ବେ ନିୟମିତ କରି, ମାଧ୍ୟମିକ ବିଭାଗ ପରି ଠିକା କାର୍ଯ୍ୟକାଳକୁ ଗଣନା କରି ଏଣ୍ଟ୍ରି ଲେବୁଲରେ ୨୮୦୦/- ଗ୍ରେଡ ପେ ପ୍ରଦାନ କରନ୍ତୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଯେପରି ଯୁଗପୁରୁଷ ସ୍ୱର୍ଗତ ବିଜୁବାବୁ ୧୯୯୦-୧୯୯୧ମସିହାରେ ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଥିଲେ । ସେହିପରି୨୦୦୧ ମସିହା ଅର୍ଥାତ୍ ସେତେବେଳର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଠିକାରେ ନିଯୁକ୍ତ ଶିକ୍ଷକ/ ଶିକ୍ଷୟିତ୍ରୀମାନଙ୍କର ଦରମା ସୁରକ୍ଷା ପ୍ରଦାନ କରି ଆଦର୍ଶବାନ ପିତାଙ୍କର ପଥ ଅନୁସରଣ କରି ଏଲମିମେଣ୍ଟାରୀ ବିଭାଗର ଶିକ୍ଷକମାନଙ୍କର ଯୁକ୍ତିଯୁକ୍ତ ଦାବୀକୁ ଗ୍ରହଣ କରନ୍ତୁ ।ମାନବ୍ୟର ଓଡ଼ିଶା ସରକାର ପ୍ରାଥମିକ ଶିକ୍ଷକମାନଙ୍କର ଦୀର୍ଘଦିନର ସାମ୍ବିଧାନିକ ଦାବୀଗୁଡ଼ିକୁ ପୂରଣ କଲେ ଶିକ୍ଷକମାନଙ୍କର ଆର୍ଥିକ ଦୁର୍ଗତି ଦୂର ହେବା ସଙ୍ଗେ ସଙ୍ଗେ ଗୁଣାତ୍ମକ ଶିକ୍ଷାର କାୟାକଳ୍ପ ସୁଦୂର ପ୍ରସାରୀ ହେବ । ସରକାର ଆମର ଦାବୀଗୁଡ଼ିକୁ ପୂରଣ କରିବାରେ ଉଦାସୀନତା ମନୋଭାବ ପୋଷଣ ଥିବାରୁ ଆମ୍ଭେ ଆସନ୍ତା ୧୨.୦୫.୨୦୨୩ରିଖ (ଶୁକ୍ରବାର) ଠାରୁ ଦାବି ପୂରଣ ପର୍ଯ୍ୟନ୍ତ ଲୋୟର ପି.ଏମ୍‌.ଜିରେ ପ୍ରଚଣ୍ଡ ରୌଦ୍ରତାପକୁ ଭ୍ରୁକ୍ଷେପ ନକରି ଶାନ୍ତିପୂର୍ଣ୍ଣ ଭାବରେ ଧାରଣାରେ ବସିବୁ ବୋଲି ୟୁନାଇଟେଡ଼ ଏଲମିମେଣ୍ଟାରୀ ଟିଚରର୍ସ ମହାସଂଘର ଆବାହକ ପ୍ରବୀଣ କୁମାର ଦାସ କହିଛନ୍ତି । ଆଜିର ବୈଠକରେ ସୁବ୍ରତ କୁମାର ବଡ଼ଜେନା, ପ୍ରିୟମ୍ବଦା ଆଚାର୍ଯ୍ୟ, ଜିତେନ୍ଦ୍ର କୁମାର ନାୟକ, ସଲିଳ କୁମାର ପଟ୍ଟନାୟକ, ପ୍ରିୟତମା ଜେନା, ଅଭିମନ୍ୟୁ ପଲାଇ, ମଙ୍ଗୁଳି ଚରଣ ପରିଡ଼ା, ଜୟନ୍ତ ସାହୁ, ଜିତେନ୍ଦ୍ର ବାଗ, ବିଜୟିନୀ ନନ୍ଦ, କ୍ଷୀରୋଦ ଚନ୍ଦ୍ର ଜେନା, ବ୍ରହ୍ମାନନ୍ଦ ପରିଡ଼ା, ଆଶାଲତା ପାଣ୍ଡବ, ଅସିତ କୁମାର ପଣ୍ଡା, ମାନସ କୁମାର ପାଢୀ, ମାନସୀ ଦାଶ, ପୂର୍ଣ୍ଣ ଗୌଡ଼, ଗୌରାଙ୍ଗ ପାଲ, ଦିଲ୍ଲୀପ କୁମାର ଲୁହା, ମୃତ୍ୟୁଞ୍ଜୟ ମହାପାତ୍ର, ମାନସ ରଞ୍ଜନ ପଣ୍ଡା, ବିଭୂତି ଭୂଷଣ ଚାନ୍ଦ, ଅଶୋକ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ