ଦିଗପହଣ୍ଡିରେ ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା ଶୁଭାରମ୍ଭ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ସୋମବାର ବିଳମ୍ବିତ ରାତି ରୁ ଶୁଭାରମ୍ଭ ହୋଇଛି । ଯାତ୍ରା ପରିଚାଳନା କମିଟି ଏବଂ ସହରବାସୀଙ୍କ ସହଯୋଗରେ ମାଁ ଙ୍କୁ ବାଦ୍ୟ ବାଜଣା ସହକାରେ ବଜାର ସାହି ଗାନ୍ଧୀଛକ ସ୍ଥିତ ଅସ୍ଥାୟୀ ଯାତ୍ରା ପୀଠକୁ ଅଣାଯାଇଥିଲା । ଠାକୁରାଣୀ ଯାତ୍ରା ନିମନ୍ତେ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଆଶ୍ୱିନ ଶୁକ୍ଳପକ୍ଷ ମହାସପ୍ତମୀ ତିଥି ଠାରୁ ମାଁ ଙ୍କ ଯାତ୍ରା ଦୀର୍ଘ ୯ ଦିନ ବ୍ୟାପୀ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି । ଆଶ୍ୱିନ ଶୁକ୍ଳପକ୍ଷ କୁମାର ପୂର୍ଣ୍ଣମୀ ତିଥି ଅକ୍ଟୋବର ୭ ତାରିଖ ସକାଳେ ଏହି ଯାତ୍ରା ଉଦଯାପିତ ହେବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ବିଳମ୍ବିତ ସନ୍ଧ୍ୟାରେ ମୁଖ୍ୟ ପୁରୋହିତ ପଣ୍ଡିତ ସନାତନ ରଥଙ୍କ ତତ୍ତ୍ଵାବଧାନରେ ମନ୍ଦିର ସେବାୟତ ବୃନ୍ଦ , କମିଟି ସଦସ୍ୟ ଓ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ରହି ରୀତିନୀତି ଅନୁସାରେ ମନ୍ତ୍ର ପାଠ ସହ ପୂଜାର୍ଚ୍ଚନା କରାଯାଇ ମାଁ ଙ୍କୁ ଅସ୍ଥାୟୀ ମଣ୍ଡପକୁ ଆବାହନ କରାଯାଇଥିଲା । ମାଁ ଙ୍କ ମସ୍ତକ ରୁ ଫୁଲମଣ୍ଡା ଖସିବା ପରେ ସେହି ଆଜ୍ଞା ମାଳକୁ ଏକ ଚାଙ୍ଗୁଡିରେ ଧରି ବିରାଟ ଶୋଭାଯାତ୍ରାରେ ସେବାୟତ ମାନେ ଅସ୍ଥାୟୀ ଯାତ୍ରା ପୀଠରେ ପହଞ୍ଚିଥିଲେ । ଆତସବାଜି , ବାଦ୍ୟ ବାଦନ ସହ ପାରମ୍ପରିକ ଘୋଡ଼ା ନାଚ ଓ ମହିଳାଙ୍କ ହୁଳହୁଳି ଧ୍ୱନୀରେ ଯାତ୍ରା ପୀଠ ପ୍ରକମ୍ପିତ ହୋଇଥିଲା । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମାଁ ଙ୍କ ଘଟ ସାହି ବସ୍ତି ପରିକ୍ରମା କରିବ। ଭକ୍ତଙ୍କ ଗହଳି ଓ ସୁରକ୍ଷା ପାଇଁ ଯାତ୍ରା କମିଟି ର ସ୍ୱେଚ୍ଛାସେବୀ ସମେତ ଥାନା ପକ୍ଷରୁ ବ୍ୟାପକ ପୁଲିସ ମୁତୟନ ରହିବେ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମିନା ବଜାର , ସାହି ସାହିରେ କଳାକୁଞ୍ଜ ଏବଂ ଆଲୋକ ମାଳା ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବେଶ୍ ଆକର୍ଷିତ କରିବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି। ଯାତ୍ରା ପରିଚାଳନା କମିଟି ସଭାପତି ବିକାଶ ପଶୁପାଳକ , ଉପସଭାପତି ଆଲୁ. ସୁଶାନ୍ତ , ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ , ସହ ସମ୍ପାଦକ ତଥା କାଉନସିଲର ଦୀପକ କୁମାର ମିଶ୍ର , କୋଷାଧ୍ୟକ୍ଷ ଆଶିଷ କୁମାର ପଟ୍ଟନାୟକ , ସହ କୋଷାଧ୍ୟକ୍ଷ କେ. ରାଜେନ୍ଦ୍ର , ଉପଦେଷ୍ଟା ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ଶିବ ଶଙ୍କର ମହାଙ୍କୁଡ , ସତ୍ଯ ନାରାୟଣ ଦାଶ , ହରପ୍ରସାଦ ରଥ , ଅର୍ଦ୍ଦୁ. ଗୋବିନ୍ଦ , କୁରେଶୁ ମହାରଣା , ପ୍ରଦୀପ କୁମାର ପଣ୍ଡା , କାଉନସିଲର ନୀଳମାଧବ ଗୌଡ , ସୁଶାନ୍ତ କୁମାର ପାତ୍ର , ରବିନ୍ଦ୍ର କୁମାର ମାର୍ଥା , କାପୁଲୁ କୁନା ଏବଂ ଦୁର୍ଗା ମେକାପ ସମେତ ବହୁ ସଂଖ୍ୟକ ସହରବାସୀ ଯାତ୍ରା ପୀଠ ରେ ଉପସ୍ଥିତ ଥିଲେ ।