ଦିଗପହଣ୍ଡି ବନବିଭାଗର ଚଢ଼ଉ ; ପରିତ୍ୟକ୍ତ ଘରୁ ୩ ଲକ୍ଷ ଟଙ୍କାର କାଠପଟା ଜବତ
ଦିଗପହଣ୍ଡି, (ୱାଇଏନ୍ଏସ୍): ଗଞ୍ଜାମ ଜିଲା ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳ ଚିକିଟି ସେକ୍ସନ ଲିଆଖାଇ ଫରେଷ୍ଟ ବିଟ ଅଧିନ କେ . ନୂଆଗାଁ ଗ୍ରାମର ଏକ ପରିତ୍ୟକ୍ତ ଘର ଭିତରୁ ପ୍ରାୟ ୧ ଶହ ଘନଫୁଟ ଶାଗୁଆନ କାଠ ପଟା ଜବତ କରାଯାଇଛି । ଚିକିଟି ତହସିଲଦାର ତଥା ଏକ ଜି କ୍ୟୁଟିଭ ମାଜିଷ୍ଟ୍ରେଟ ହରପ୍ରସାଦ ଭୋଇ ଙ୍କ ଉପସ୍ଥିତିରେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ଙ୍କ ନେତୃତ୍ଵରେ ବହୁ ସଂଖ୍ୟକ ବନ କର୍ମଚାରୀ, ବ୍ରହ୍ମପୁର ବନବିଭାଗ ମୋବାଇଲ ସ୍କ୍ୟୁଆର୍ଡ କର୍ମଚାରୀ ମାନେ ଶୁକ୍ରବାର ଭୋର ରେ ଉକ୍ତ ଘର ଉପରେ ଅତର୍କିତ ଚଢ଼ାଉ କରାଯାଇ ବ୍ୟାପକ ଖାନ ତଲାସ କରାଯାଇଥିଲା। ଘର ଭିତରେ ଥିବା ପ୍ରାୟ ୧ ଶହ ଘନଫୁଟରୁ ଉର୍ଦ୍ଧ୍ବ ଶାଗୁଆନ କାଠପଟା ଥିବା ଜଣାପଡିଥିଲା। ପରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ କୁମାର ନାୟକ ଙ୍କ ନିର୍ଦ୍ଦେଶକ୍ରମେ ସେଗୁଡିକୁ ଜବତ କରାଯାଇ ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ କୁ ଅଣାଯାଇଥିବା ରେଞ୍ଜର ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଚିକିଟି ବ୍ଳକ କେ . ନୂଆଗାଁ ଥାନା ଅଧିନସ୍ଥ ଉକ୍ତ ଗ୍ରାମରେ କୈାଣସି ବ୍ୟକ୍ତି ଉକ୍ତ ପରିତ୍ୟକ୍ତ ଗୃହକୁ ଦୀର୍ଘଦିନ ଧରି ବ୍ୟବହାର କରିବା ସହ ସେଠାରେ ବେଆଇନଭାବେ ଶାଗୁଆନ,ଶିଶୁ,ପିଆଶାଳ,ଗମ୍ଭାରୀ,ନୀଳଗିରି ପ୍ରଭୃତି ବିଭିନ୍ନ କିସମର କାଠପଟା ମହଜୁଦ ରଖି କୌଶଳ କ୍ରମେ ଅତି ଚତୁରତାର ସହ ପୋଲିସ ଓ ବନବିଭାଗ କର୍ମଚାରୀ ଙ୍କ ଆଖିରେ ଧୁଳିଦେଇ ସେଠାରୁ ଚୋରାଚାଲାଣ କରୁଥିବା ବେଳେ କୈାଣସି ସୁତ୍ରରୁ ଖବରପାଇ ଦିଗପହଣ୍ଡି ରେଞ୍ଜର ଉକ୍ତ ପରିତ୍ୟକ୍ତ ଘର ଉପରେ ନଜର ରଖିବାକୁ ବିଭାଗୀୟ ବନ ପାଳ ଏବଂ ବନରକ୍ଷୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ସନ୍ଧ୍ୟା ରୁ ସେଠାରେ ସାଦା ପୋଷାକରେ କିଛି ପାରା ବନ କର୍ମଚାରୀ ମାନଙ୍କୁ ମୁତୟନ କରାଯାଇଥିଲା। ଏହି ଚଢ଼ଉ ଧରପଗଡ଼ ସମୟରେ ସହ ବନ ସଂରକ୍ଷକ ଏ. ମାଧବୀ ଲତା, ଅଶୋକ କୁମାର ବେହେରା ଙ୍କ ସମେତ ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ର ଏବଂ ବ୍ରହ୍ମପୁର ମୋବାଇଲ ସ୍କୁଆର୍ଡ୍ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଜବତ କାଠପଟା ଗୁଡ଼ିକର ମାପଚୁପ କରାଯିବା ପରେ ଏହାର ଆନୁମାନିକ ବଜାର ମୂଲ୍ୟ ୩ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଥିବା ଦିଗପହଣ୍ଡି ରେଞ୍ଜର କହିଛନ୍ତି । ଏନେଇ ବନବିଭାଗ ପକ୍ଷରୁ ୟୁ.ଡି ମାମଲା ନଂ.୧/୨୦-୨୧ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିଲେ ମଧ୍ୟ କାହାରିକୁ ଗିରଫ କରାଯାଇ ନଥିବା ସୂଚନା ମିଳିଥିବା ବେଳେ ମୂଲ୍ୟବାନ କାଠ ମହଜୁଦ ଓ ଚୋରା ଚାଲାଣ ରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ସମ୍ପର୍କରେ ରେଞ୍ଜର ତଦନ୍ତ ଚଳାଇଥିବା ଜଣାପଡ଼ିଛି ।


