ଦିନକ ପରେ ଶ୍ରାବଣ ମାସ ଆରମ୍ଭ : କାଉଡ଼ିଆ ତତ୍ପର – ବୋଲବମ ଶବ୍ଦରେ ଫାଟିବ ଗାଁ ଦାଣ୍ଡ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଆଉ ଦିନକ ପରେ ଅର୍ଥାତ ଗୁରୁବାର ଠାରୁ ପବିତ୍ର ଧାରାଶ୍ରାବଣ ମାସ ଆରମ୍ଭ ହେବ । ଶ୍ରାବଣ ମାସ ପାଖେଇ ଆସୁଥିବାରୁ ହିଞ୍ଜିିଳିକାଟୁ ସହର ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ଶୈବଭକ୍ତ ମାନେ ତତ୍ପର ହୋଇ ପଡିଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରମୁଖ ଶୈବପୀଠ ଗୁଡ଼ିକରେ ପୂଜା ପାଉଥିବା ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳଲାଗି କରିବା ଲାଗି ବିଭିନ୍ନ ଅଞ୍ଚଳର ଭକ୍ତ ମାନେ ମାନସିକ କରିଥିବା ବେଳେ ଏଥି ସକାଶେ ଆବଶ୍ୟକ ପଡୁଥିବା ସମସ୍ତ ସାମଗ୍ରୀ ଯୋଗାଡ଼େରେ ଳାଗି ପଡ଼ିଛନ୍ତି କାଉଡ଼ିଆ ଭକ୍ତ । କାଉଡ଼ିଆ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକରେ ବେପାର ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଆସନ୍ତା ୧୮ ତାରିଖ ଦିନ ପଡ଼ିବ ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଦିନ ଶୈବପୀଠ ଗୁଡ଼ିକରେ ଜଳ ଲାଗି ପାଇଁ କାଉଡ଼ିଆ ମାନେ ବର୍ତ୍ତମାନ ଠାରୁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଚଳିତ ବର୍ଷ ଶ୍ରାବଣ ମାସରେ ପଡ଼ୁଥିବା ସୋମବାର ଗୁଡ଼ିକରେ କେଉଁ ଦଳ କେଉଁ ସୋମବାରରେ କେଉଁ ଶୈବପୀଠକୁ ଯିବେ ସେଥିଲାଗି କାଉଡ଼ିଆ ଭକ୍ତ ମାନେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ସାରିଛନ୍ତି । ହିଞ୍ଜିିଳିକାଟୁ ସହର ପବିତ୍ର ଋଷିକୂଲ୍ୟା ନଦୀରୁ କାଉଡ଼ିଆ ମାନେ ପାଣି ନେଇ ଗଞ୍ଜାମ ଜିଲ୍ଲା ସମେତ ବହୁ ଦୁରଦୂରାନ୍ତରରେ ଅବସ୍ଥାପିତ ଶୈବପୀଠକୁ ଅତ୍ୟନ୍ତ ନିଷ୍ଠାର ସହ ଯାତ୍ରା କରିଥାନ୍ତି । କାଉଡ଼ିଆ ଭକ୍ତ ମାନେ ନଦୀପଠାରେ ପୂଜାପାଠ କରି ଗୌରିକ ବସ୍ତ୍ର ପରିଧାନ କରି ମାନସିକ ପୂରଣ ସକାଶେ କାନ୍ଧରେ ବାହୁଙ୍ଗି ଓ ବାହୁଙ୍ଗିର ଦୁଇ ପ୍ୱାଶ୍ୱର୍ରେ ପୁର୍ଣ୍ଣ ଜଳକୁମ୍ଭ ଧରି ତୁଣ୍ଡରେ ବୋଲବମ୍- ହରହର ବମ୍, ଜଟିଆ ବାବା ପାର କରେଗା ଇତ୍ୟାଦି ଉଚ୍ଚାରଣ କରି ଯାତ୍ରା କରିଥାନ୍ତି । ଓଡ଼ିଆ ଜାତିର ଧାର୍ମିକ ମାସ ରୂପେ ପରିଚିତ ଥିବା ଶ୍ରାବଣ ମାସରେ ଦିନରାତି ଓ ଖରାବର୍ଷାକୁ ଖାତିର ନକରି ମହାଦେବଙ୍କ ମସ୍ତକରେ ଜଳ ଢାଳିବା ସକାଶେ କାଉଡ଼ିଆ ମାନେ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରି ସାରିଲେଣି । ସମ୍ପ୍ରତି ହିଞ୍ଜିିଳିକାଟୁ ପୌରାଞ୍ଚଳ ସମେତ ଏହାର ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡ଼ିକରେ ଗତ କିଛିବର୍ଷ ହେଲା ଏହି ଧାର୍ମିକ ଯାତ୍ରାର ଲୋକପ୍ରିୟତା ଆଶାତୀତ ଭାବେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଗତ ୨ ବର୍ଷ ଧରି ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଜଳଲାଗି କରିବା ଲାଗି ପ୍ରଶାସନିକ କଟକଣା ଥିବା ବେଳେ ଚଳିତ ବର୍ଷ କାଉଡିଆ ଭକ୍ତ ମାନେ ଏହାର ସୁଯୋଗ ପାଇଥିବାରୁ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।