ଦିନରେ ଜଳୁଛି ଷ୍ଟ୍ରିଟ୍ ଲାଇଟ୍ ସ୍ଥାନୀୟ ବିଦ୍ୟୁତ ବିଭାଗର ଦୃଷ୍ଟି ପଡୁନି
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ବିଦ୍ୟୁତ ଅପବ୍ୟବହାର ରୋକିବା ପାଇଁ ବିଦ୍ୟୁତ୍ ବିଭାଗ ତରଫରୁ ଲୋକଙ୍କୁ ସଚେତନ କରାଯାଉଛି । ମାତ୍ର ବିଭାଗ ସେଥିପ୍ରତି ନିଜେ କେତେ ସଚେତନ ରହୁଛି ତାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି ନାଉଗାଁ ବ୍ଲକ ଅନ୍ତର୍ଗତ ଗଂଗଦାହାଟରେ । ଏହି ହାଟରେ ଦିନ ରାତି ଷ୍ଟ୍ରିଟ୍ ଲାଇଟ୍ ଗୁଡିକ ଜଳୁଛି । ବହୁ ଦିନଧରି ଦିନସାରା ଷ୍ଟ୍ରିଟ୍ ଲାଇଟ୍ ଜଳୁଥିଲେ ହେଁ ଏଥିପ୍ରତି ସ୍ଥାନୀୟ ବିଦ୍ୟୁତ ବିଭାଗର ଦୃଷ୍ଟି ନପଡିବା ଅତ୍ୟନ୍ତ ପରିତାପର ବିଷୟ । ଏନେଇ ବିଭାଗ ଅବଗତ ଥାଇ ମଧ୍ୟ ଏଥିପ୍ରତି ଟିକେ ମାତ୍ର ଧ୍ୟାନ ନାହିଁ । ପ୍ରକାଶ ଯେ, ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ କାଟ୍ ଯୋଗୁଁ ଲୋକେ ଅସୁବିଧା ସମ୍ମୁଖୀନ ହେଉଥିବା ବେଳେ ଏଠାରେ ବିଦ୍ୟୁତ ଅପଚୟ ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଠାରେ ଲଗାଯାଇଥିବା ଷ୍ଟ୍ରିଟ୍ ଲାଇଟ୍ ଗୁଡିକର ତଥ୍ୟ ବିଦ୍ୟୁତ ବିଭାଗ ପାଖରେ ନାହିଁ । ବିଭାଗୀୟ ଅଧିକାରୀଙ୍କ କହିବା ମୁତାବକ ବ୍ଲକ ଓ ପଂଚାୟତ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟୁତ୍ ପୋଲରେ ଷ୍ଟ୍ରିଟ୍ ଲାଇଟ୍ ଗୁଡିକ ଲଗାଇବା ପାଇଁ ବିଭିନ୍ନ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ଉକ୍ତ ଏଜେନ୍ସମାନେ ବିଦ୍ୟୁତ ବିଭାଗକୁ ନ ଜଣାଇ ମନଇଛା ଲଗାଉଛନ୍ତି । ଯାହାକି ବିଭାଗ ପାଇଁ ସବୁ ବେଳେ ଅସୁରକ୍ଷିତ । ଏପରିକି ବିଦ୍ୟୁତ ସଂଯୋଗ ପାଇଁ ମଧ୍ୟ ଆବେଦନ କରାଯାଉନଥିବା ଜଣାଯାଇଛି । ଏ ସଂର୍ପକରେ ବିଭାଗୀୟ ବାଲିକୁଦା ଏସଡିଓ ଇଂ. ଦେବଦତ ଉପାଧ୍ୟାୟଙ୍କୁ ପଚାରିବାରୁ ବିଭାଗ ପକ୍ଷରୁ ଏହା ଉପରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।


