ଦିନରେ ରଙ୍ଗମିସ୍ତ୍ରୀ ଓ ରାତିରେ କରୁଥିଲେ ଲୁଟ

ବାଲେଶ୍ୱର, (ସରୋଜ ପଣ୍ଡା):ବିଳମ୍ବିତ ରାତିରେ ଜାତୀୟ ରାଜପଥରେ ଯାତ୍ରୀଙ୍କଠାରୁ ଲୁଟ କରୁଥିବା ଅଭିଯୋଗରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଲୁଟେରା ଗ୍ୟାଙ୍ଗର ମୁଖ୍ୟ ସହଦେବଖୁଣ୍ଟା ଥାନା ବଡ଼ ନୂଆପୁର ଅଞ୍ଚଳର ଧର୍ମେନ୍ଦ୍ର ପରିଡ଼ା ଓରଫ ଟୁଙ୍ଗୁରୁ, ଦୁଇ ସହଯୋଗୀ ସଦର ଥାନା ଆଳଦିଆ ଅଞ୍ଚଳର ରିପୁନ ଜେନା ଓରଫ ଜାଫରୋଲ ଓ ଟାଉନ ଥାନା ଗୋପାଳ ଗାଁ ଅଞ୍ଚଳର ଗଜେନ୍ଦ୍ର ଦାସ ଓରଫ କହ୍ନେଇ । ସେମାନଙ୍କୁ ସହଯୋଗ କରୁଥିବା ସଦର ଥାନା ଓଳନ୍ଦାସାରଗାଁ ଅଞ୍ଚଳର ସୂର୍ଯ୍ୟକାନ୍ତ ଦାସ ଓରଫ ବାପୁନୁ ଓ ସହଦେବଖୁଣ୍ଟା ଥାନା ବଡ଼ନୂଆ ପୁର ଅଞ୍ଚଳର ଆକାଶ ଲେଙ୍କା ଓରଫ ପୁନିଆଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କଠାରୁ ୧୬ଟି ମୋବାଇଲ, ଗୋଟିଏ ଟାବଲେଟ, ଚୋରି ହୋଇଥିବା ଗୋଟିଏ ଟାଟା ଏସି ଗାଡ଼ି, ତା ଭିତରେ ଥିବା ସମସ୍ତ ସାମଗ୍ରୀ, ଗୋଟିଏ ନୂଆ ବୁଲେଟ ଗାଡ଼ି ଜବତ କରାଯାଇଛି । ଦିନରେ ରଙ୍ଗମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଅଭିଯୁକ୍ତମାନେ ରାତିରେ ରାଜପଥରେ ଲୁଟ କରୁଥିବା ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି ଏସପି ସାଗରିକା ନାଥ । ଗତ୨୯ ତାରିଖରେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଖୁସୀ ଢାବା ନିକଟରେ ମୋଟର ସାଇକେଲ ଛିନତାଇ ଟଙ୍କା ଲୁଟ ଘଟଣା ପରେ ଏସପି ହାଇୱେ ଲୁଟେରାଙ୍କ ଉପରେ ତୀକ୍ଷ୍‍ଣ ନଜର ରଖିବାକୁ ସମ୍ପୃକ୍ତ ଥାନାଗୁଡ଼ିକୁ ସଜାଗ କରି ଦେଇଥିଲେ । ଫଳରେ ୮ ଦିନ ଭିତରେ ଏହି ଗ୍ୟାଙ୍ଗର ପର୍ଦାଫାଶ କରିବାକୁ ପୁଲିସ ସକ୍ଷମ ହୋଇଥିଲା । ଡକାୟତମାନେ ହାଇୱେର ଅନ୍ଧାରିଆ ସ୍ଥାନରେ ଲୁଟ ଅପରେସନ କରୁଥିଲେ । ଛୁୁରି ଓ ଭୁଜାଲି ଦେଖାଇ ଲୋକଙ୍କୁ ଭୟଭୀତ କରି ସେମାନଙ୍କଠାରୁ ଟଙ୍କା ଓ ଦୁଇଚକିଆ ଯାନ ଛଡ଼ାଇ ନେଉଥିଲେ ବୋଲି ଏସପି କହିଛନ୍ତି ।ଗିରଫ ଅଭିଯୁକ୍ତଙ୍କ ନାମରେ ଥାନାରେ ଏକାଧିକ ମାଲା ରହିଛି ବୋଲି ଏସପି ଶ୍ରୀମତୀ ନାଥ କହିଛନ୍ତି । ଅଭିଯୁକ୍ତଠାରୁ ଜବତ ହୋଇଥିବା ଗାଡ଼ିଗୁଡ଼ିକୁ ଛିନତାଇର ଶିକାର ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯାଇଛି । ଏସପି ଚାବି ଓ କାଗଜପତ୍ର ଦେଇଥିଲେ । ସଦର ଏସଡିପିଓ ଡ. ଶଶାଙ୍କ ଶେଖର ବେହେରା ଓ ସଦର ଥାନାଧିକାରୀ ଜୟନ୍ତ ବେହେରା ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ