ଦିପକ ସାହୁଙ୍କୁ ପରିବେଶ ରତ୍ନ ସମ୍ମାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମନୋନୀତ ବ୍ୟକ୍ତିବିଶେଷଙ୍କୁ ଏଥିରେ ସମ୍ମାନିତ କରାଯାଇଥିଲା । ପରିବେଶବିତ୍ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ଦିପକ କୁମାର ସାହୁଙ୍କୁ ଉତ୍ସବର ମୁଖ୍ୟ ଅତିଥି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ ‘ପରିବେଶ ରତ୍ନ’ ସମ୍ମାନରେ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଉପରେ ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଫାଉଣ୍ଡେସନର ସଭାପତି ଡଃ ବିପିନ ବିହାରୀ ମିଶ୍ର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବ ମନୋରଞ୍ଜନ ମହାପାତ୍ର, ପରିବେଶବିତ୍ ପ୍ରଫେସର ଜୟକୃଷ୍ଣ ପାଣିଗ୍ରାହୀ, ସଂଗ୍ରାମ କେଶରୀ ପାଇକରାୟ, ବୈଜ୍ଞାନିକ ଡଃ ପ୍ରମୋଦ କୁମାର ପଣ୍ଡା, ଡିଏଫ୍ଓ ଅଜିତ କୁମାର ଶତପଥୀ, ଆୟୋଜକ ରବୀନ୍ଦ୍ରନାଥ ରାଉତରାୟ ପ୍ରମୁଖ ଯୋଗଦାନ କରିଥିଲେ । ଶ୍ରୀ ଦିପକ କୁମାର ସାହୁ ପେଶାରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହେଲେ ମଧ୍ୟ ନିଶାରେ ଜଣେ ପରିବେଶପ୍ରେମୀ । ପରିବେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବହୁ ସେବା ଅନୁଷ୍ଠାନର ଉପଦେଷ୍ଟା ଭାବରେ ସେ କାର୍ଯ୍ୟ କରୁଛନ୍ତି ।