ଦିଲ୍ଲୀରେ ମାସ୍କ ନ ପିନ୍ଧିଲେ ୬ ମାସ ଜେଲ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରି ଦିଆଯାଇଛି । କୌଣସି ବ୍ୟକ୍ତି ଯଦି ମାସ୍କ ନ ପିନ୍ଧି ଘରୁ ବାହାରନ୍ତି, ତାଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ । ଦିଲ୍ଲୀ ସରକାର ଶନିବାର ଏକ ନିର୍ଦ୍ଦେଶନାମା ଜାରି କରି ଏହା ପ୍ରକାଶ କରିଛନ୍ତି । ନିର୍ଦ୍ଦେଶନାମାରେ କୁହାଯାଇଛି, କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ଏହି ନିୟମ ଉଲ୍ଲଘଂନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇପିସି ଧାରା ୧୮୮ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଧାରା ଅନୁସାରେ ସରକାରୀ ଆଦେଶ ତଥା ସରକାରୀ ଅଧିକାରୀଙ୍କ ଆଦେଶ ମାନୁନଥିବା ଲୋକଙ୍କୁ ଜରିମାନା ପୈଠ କରିବାକୁ ପଡ଼ିବ ଏବଂ ୧ ମାସ ଯାଏଁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ସରକାରଙ୍କ ଦ୍ୱାରା ଜାରି ନିୟମ ଉଲ୍ଲଂଘନ କରିବା ଦ୍ୱାରା ଯଦି କାହାର ଜୀବନ ପ୍ରତି ବିପଦ ଆସୁଛି ତେବେ ତାକୁ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡରେ ଦଣ୍ଡିତ କରାଯିବ । ଏଥିନିମନ୍ତେ ବ୍ୟକ୍ତି ଜଣଙ୍କୁ ୧ ହଜାର ଟଙ୍କା ଜରିମାନା ମଧ୍ୟ ପୈଠ କରିବାକୁ ହେବ । ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ନିମନ୍ତେ ସମାନ ନିୟମ ରହିବ । ନିଜ ଗାଡ଼ି କିମ୍ବା ସରକାରୀ ଗାଡ଼ି ମଧ୍ୟରେ ଯାଉଥିବା ଲୋକ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । କରୋନା ମୁକାବିଲା ନିମନ୍ତେ ଦିଲ୍ଲୀରେ ଆୟୋଜିତ ହୋଇଥିବା ବୈଠକରେ ଯୋଗ ଦେବା ସମୟରେ ମଧ୍ୟ ସରକାରୀ ଅଧିକାରୀ, ନେତା, ମନ୍ତ୍ରୀ ସମସ୍ତେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।