ଦିଲ୍ଲୀରେ ହେବ ପ୍ଲାଜମା ବ୍ୟାଙ୍କ

ନୂଆଦିଲ୍ଲୀ: କରୋନା ଉପଚାର ପାଇଁ ଦିଲ୍ଲୀ ସରକାର ପ୍ଲାଜମା ଥେରାପୀକୁ ଗୁରୁତ୍ୱ ଦେଇଛନ୍ତି । ତେଣୁ ଦିଲ୍ଲୀ ସରକାର ପ୍ଲାଜମା ବ୍ୟାଙ୍କ ତିଆରି କରିବେ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଘୋଷଣା କରିଛନ୍ତି। ଏମିତିକି ଡୋନରଙ୍କ ଗସ୍ତ ଖର୍ଚ୍ଚ ସରକାର ଦେବେ ବୋଲି ଜଣାପଡ଼ିଛି। ସୋମବାର ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ କେଜ୍ରିଓ୍ୱାଲ କହିଛନ୍ତି, କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏକ ପ୍ଲାଜମା ବ୍ୟାଙ୍କ ତିଆରି କରିବାକୁ ଯାଉଛୁ। ଏହା ସମଗ୍ର ଦେଶରେ ପ୍ରଥମ ପ୍ଲାଜମା ବ୍ୟାଙ୍କ ହେବ। ଯେଉଁମାନେ କରୋନାରୁ ଆରୋଗ୍ୟ ହୋଇଛନ୍ତି ସେମାନଙ୍କୁ ଡୋନର ହେବାକୁ କେଜ୍ରିଓ୍ୱାଲ ନିବେଦନ କରିଛନ୍ତି। ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ପିତ୍ତ ସାଇନ୍ସ ସଂସ୍ଥା (ଆଇଏଲବିଏସ୍) ରେ ଏହି ପ୍ଲାଜମା ବ୍ୟାଙ୍କ ନିର୍ମାଣ କରାଯିବ। ପ୍ଲାଜମା ଦେବାକୁ ଇଚ୍ଛୁକ ବ୍ୟକ୍ତିଙ୍କୁ ସରକାର ଗସ୍ତ ଖର୍ଚ୍ଚ ଦେବ। ଦୁଇ ଦିନ ମଧ୍ୟରେ ଏହି ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ ହେବ। ଏବେ କରୋନାରୁ ଆରୋଗ୍ୟ ହେଉଥିବା ଆକ୍ରାନ୍ତଙ୍କୁ ପ୍ଲାଜମା ଦେବାକୁ ଉତ୍ସାହିତ କରାଯିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୫୨,୦୦୦ ଲୋକ କରୋନାରୁ ଆରୋଗ୍ୟ ହୋଇଛନ୍ତି। ଆଗକୁ ଆରୋଗ୍ୟ ସଂଖ୍ୟା ବହୁତ ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦିଲ୍ଲୀରେ ଆକ୍ରାନ୍ତଙ୍କ ପାଇଁ ବେଡର ଅଭାବ ନାହିଁ। ଏବେ ସରକାରଙ୍କ ପାଖରେ ୧୩,୫୦୦ ବେଡ୍ ରହିଛି। ସେଥିମଧ୍ୟରୁ ୬୦୦୦ ବେଡରେ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି। ୭୫୦୦ ଖାଲି ରହିଛି ବୋଲି କେଜ୍ରିଓ୍ୱାଲ କହିଛନ୍ତି। ଏହି ଅବସରରେ କରୋନାରେ ମୃତ୍ୟୁ ବରଣ କରିଥିବା ଏଲଏନଜେପି ହସ୍ପିଟାଲର ବରିଷ୍ଠ ଡାକ୍ତର ଅସୀମ ଗୁପ୍ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟକ୍ଷେତ୍ରରେ ତାଙ୍କର ଅବଦାନ ଆମ ସମସ୍ତଙ୍କ ପାଇଁ ବହୁତ ବଡ ପ୍ରେରଣା ହେବ ବୋଲି ସେ କହିଛନ୍ତି। ତାଙ୍କ ପରିବାରକୁ ସରକାର ଏକ କୋଟି ଟଙ୍କା ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ମିଡିଆ ରିପୋର୍ଟ ଅନୁଯାୟୀ ପ୍ଲାଜମା ଥେରାପୀରେ ୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ ଆରୋଗ୍ୟ ହେଉଛନ୍ତି। କେରଳ ସରକାର ପ୍ରଥମେ ଏହି ଚିକିତ୍ସା ପଦ୍ଧତି ଆପଣାଇ ସଫଳ ହୋଇଛନ୍ତି। ଏହାପରେ ଅନ୍ୟାନ୍ୟ ରାଜ୍ୟ ପ୍ଲାଜମା ଥେରାପୀ ଚିକିତ୍ସାକୁ ଆପଣେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ