ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ଅସୁସ୍ଥ
ନୂଆଦିଲ୍ଲୀ: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଅସୁସ୍ଥ ଥିବା ଜଣାପଡ଼ିଛି। କୋଭିଡ୍ ଭଳି ଉପସର୍ଗ ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ସୋମବାର ରାତିରେ ଜାତୀୟ ରାଜଧାନୀର ରାଜୀବ ଗାନ୍ଧୀ ସୁପର୍ ସ୍ପେସାଲିଟି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏଇ ସତ୍ୟେନ୍ଦ୍ର ଟ୍ବିଟ୍ କରି ଲେଖିଛନ୍ତି, ଗତରାତିରେ ଖଇଫୁଟା ଜର ଏବଂ ଅମ୍ଳଜାନସ୍ତର ହ୍ରାସ ପାଇବାରୁ ମତେ ଆର୍ଜିଏସ୍ଏସ୍ଏଚ୍ରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟାବସ୍ଥା ବିଷୟରେ ସଦ୍ୟତମ ସୂଚନା ଦେଇ ଚାଲୁଥିବି। ସତ୍ୟେନ୍ଦ୍ର ନଭେଲ୍ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ କି, ନାହିଁ ସୁନିଶ୍ଚିତ ହେବା ପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ତାଙ୍କର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ନମୁନା ପରୀକ୍ଷା ଫଳାଫଳକୁ ଅପେକ୍ଷା କରାଯାଇଛି। ଏବେ ତାଙ୍କୁ ଅମ୍ଳଜାନ ସହାୟତାରେ ରଖାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ତାଙ୍କର ଆରୋଗ୍ୟ କାମନା କରି ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, ଦେହ ପ୍ରତି ଧ୍ୟାନ ନ ଦେଇ ଜନତାଙ୍କ ପାଇଁ ଆପଣ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ଏବେ ନିଜର ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତି। ଏଠାରେ ସ୍ମରଣ କରାଯାଇପାରେ ଯେ, ରବିବାର ସତ୍ୟେନ୍ଦ୍ର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏବଂ ଅନ୍ୟାନ୍ୟ ଶୀର୍ଷସ୍ତରୀୟ ମନ୍ତ୍ରୀ ଓ ସରକାରୀ ଅଧିକାରୀମାନେ ଯୋଗ ଦେଇଥିବା ବୈଠକରେ ଅଂଶ ଗ୍ରହଣ କରିଥିଲେ।