ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଳ ଯୋଜନା ପ୍ରଶିକ୍ଷଣ ଶିବିର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଳ ଯୋଜନା କାର୍ଯ୍ୟକ୍ରମ ଅଧିନରେ ଗ୍ରାମାଞ୍ଚଳର ୧୮ରୁ ୩୫ବର୍ଷ ବୟସର ବେକାର ଯୁବକ ଓ ଯୁବତୀମାନଙ୍କୁ ଆତ୍ମ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ ପାଇଁ ଏକ ପ୍ରଶିକ୍ଷଣ ଶିବିର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଢୋଲ ପଞ୍ଚାୟତ କାର୍ଯ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ବ୍ଲକ ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଉଦ୍ୟମରେ ଏବଂ ଓଡିଶା ଜୀବିକା ମିଶନର କେନ୍ଦ୍ରାପଡା ବ୍ଲକ ବିପିଏମ ଆଦିତ୍ୟ ନାରାୟଣ ଲେଙ୍କାଙ୍କ ସହଯୋଗରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଏକ ଶହରୁ ଅଧିକ ବେକାର ଯୁବକ ଓ ଯୁବତୀମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ । ଏହି ଶିବିରରେ ବ୍ଲକ ଜୀବିକା ମିଶନ ସଂଯୋଜକ ନରେନ୍ଦ୍ର କୁମାର ନାୟକ, ଢୋଲ ସରପଞ୍ଚ ଝୁନା ମଲିକ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜି.ଆର.ଏସ. , ଗ୍ରାମ ପଞ୍ଚାୟତ ମିଶନ ଶକ୍ତିର ସଭାପତି ଓ ସମ୍ପାଦିକା, ଏମ.ବି.କେ., ସି.ଆର.ପି., କୃଷିମିତ୍ର, ପ୍ରାଣୀମିତ୍ର, ଭି.ଆର.ପି. ଏବଂ କାର୍ଯ୍ୟକାରୀ ପରିଷଦର ସଭ୍ୟାମାନେ ଉପସ୍ଥିତ ଥିଲେ ।