ଦୀପାବଳି ପୂର୍ବରୁ ଆମଦାନି ହେବ ୨୫ ହଜାର ଟନ୍ ପିଆଜ

ନୂଆଦିଲ୍ଲୀ: ଦେଶରେ ପିଆଜ ଅଭାବର ଭରଣା କରିବା ପାଇଁ ଆସନ୍ତା ଦୀପାବଳି ପୂର୍ବରୁ ଦେଶକୁ ୨୫ ହଜାର ଟନ ପିଆଜ ଆମଦାନି ହେବ। ଘରୋଇ ବ୍ୟବସାୟୀମାନେ ବର୍ତ୍ତମାନ ସୁଦ୍ଧା ୭ ହଜାର ଟନ୍ ପିଆଜ ଆମଦାନି କରି ସାରି ଥିବାବେଳେ ଆଉ ୨୫ ହଜାର ଟନ୍ ପିଆଜ ଦୀପାବଳି ପୂର୍ବରୁ ଆସି ପହଞ୍ଚିଯିବା ଆଶା ରହିଛି। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି। ଇଜିପ୍ଟ, ଆଫଗାନିସ୍ତାନ ଓ ତୁର୍କୀ ଆଦି ଦେଶରୁ ପିଆଜ ଆମଦାନି ହେଉଛି। ଏଥି ସହିତ ଭୁଟାନରୁ ଆମଦାନି ହୋଇଥିବା ୩୦ ହଜାର ଟନ ଆଳୁ ଆସନ୍ତା କିଛିଦିନ ମଧ୍ୟରେ ଭାରତରେ ପହଞ୍ଚିଯିବ। ସରକାର ପ୍ରାୟ ୧୦ ଲକ୍ଷ ଟନ ଆଳୁ ଆମଦାନି ଯୋଜନା ରଖିଛନ୍ତି ବୋଲି ସେ କହିଛନ୍ତି। ଉଭୟ ପିଆଜ ଓ ଆଳୁର ଉପଲବ୍ଧତା ବଢ଼ାଇ ଦରକୁ ନିୟନ୍ତ୍ରିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଅନ୍ୟ ପକ୍ଷରେ, ଦେଶରେ ପିଆଜ ଦର ବଢ଼ିଯିବା ପରେ କେନ୍ଦ୍ର ସରକାର ପିଆଜ ବିହନ ରପ୍ତାନି ଉପରେ କଟକଣା ଜାରି କରିଛନ୍ତି । ତୁରନ୍ତ ପିଆଜ ବିହନ ରପ୍ତାନିକୁ ନିଷିଦ୍ଧ କରାଯାଇଛି। ପୂର୍ବରୁ ପିଆଜ ବିହନ ରପ୍ତାନି ପ୍ରତିବନ୍ଧିତ ଶ୍ରେଣୀରେ ରହିଥିଲା। ପିଆଜ ବିହନ ରପ୍ତାନିକୁ ନିଷିଦ୍ଧ କରାଯାଇଥିବା ନେଇ ଗୁରୁବାର ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତରୁ ୩.୫ ନିୟୁତ ଡଲାର ମୂଲ୍ୟର ପିଆଜ ବିହନ ରପ୍ତାନି ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ୦.୫୭ ନିୟୁତ ଡଲାର ମୂଲ୍ୟର ପିଆଜ ବିହନ ରପ୍ତାନି ହୋଇଛି। ଇରାନ, ନେଦରଲ୍ୟାଣ୍ଡ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭାରତରୁ ସବୁଠୁ ଅଧିକ ପିଆଜ ବିହନ ଆମଦାନି କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ