ଦୁଇ ମାସ ହେଲା ଦେଖିବାକୁ ମିଳୁନାହାନ୍ତି ଆଲିବାବା ଗ୍ରୁପ୍‌ର ପ୍ରତିଷ୍ଠାତା ଜ୍ୟାକ୍‌ ମା’, ଜିନ୍‌ପିଙ୍ଗ୍‌ଙ୍କ ଆକ୍ରୋଶର ଶିକାର !

ନୂଆଦିଲ୍ଲୀ: ନିଜର ବିଚକ୍ଷଣ ବ୍ୟବସାୟ ପରିଚାଳନା କଳା ତାଙ୍କୁ ସାରା ଦୁନିଆରେ ପରିଚିତ କରାଇଛି। କେବଳ ଚୀନ୍ ନୁହେଁ ସମଗ୍ର ବିଶ୍ବର ଅନେକ ଉଦୀୟମାନ ଉଦ୍ୟୋଗୀଙ୍କ ପାଇଁ ସେ ପ୍ରେରଣାର ଉତ୍ସ। ଭାରତର ଅନେକ ଷ୍ଟାର୍ଟ-ଅପ୍ ସଂସ୍ଥାରେ ତାଙ୍କ କଂପାନି ପୁଞ୍ଜିନିବେଶ କରିଛି। ଚୀନ୍‌ର ସେହି ପ୍ରମୁଖ ଧନୀ ବ୍ୟକ୍ତି ହେଉଛନ୍ତି ଜ୍ୟାକ୍‌ ମା’। ବିଗତ ଦୁଇ ମାସ ଧରି ତାଙ୍କ ବିଷୟରେ କୌଣସି ଖବର ସାମ୍ନାକୁ ଆସୁନାହିଁ। ସର୍ବଦା ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଥିବା ଜ୍ୟାକ୍‌ ଏଭଳି ହଠାତ୍‌ ନିଖୋଜ ହୋଇଯିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ପଛରେ ଚୀନ୍‌ ସରକାରଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଜ୍ୟାକ୍ ମା’ ହେଉଛନ୍ତି ଆଲିବାବା ଗ୍ରୁପ୍‌ର ପ୍ରତିଷ୍ଠାତା। ସେ କେବଳ ଚୀନ୍ ନୁହେଁ ଏସିଆର ଅନ୍ୟତମ ପ୍ରମୁଖ ଧନୀ। କିଛି ମାସ ତଳେ ତାଙ୍କ ଅନ୍ୟତମ ସଂସ୍ଥା ‘ଆଣ୍ଟ୍‌ ଗ୍ରୁପ୍‌’କୁ ସେ ହଂକଂ ଆଣ୍ଡ୍‌ ସାଂଘାଇ ଷ୍ଟକ ଏକ୍ସଚେଞ୍ଜ୍‌ରେ ତାଲିକାଭୁକ୍ତ କରିବାକୁ ଉଦ୍ୟମ କରିଥିଲେ। ସେ ୩୭୦୦ କୋଟି ଟଙ୍କାର ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଆଣିବାକୁ ଯୋଜନା ରଖିଥିଲେ। ତାହାକୁ ଚୀନ୍‌ ସରକାର ଅଟକାଇ ଦେଇଥିଲେ। ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ର ନିର୍ଦେଶରେ ତାଙ୍କ ଆଇପିଓକୁ ଅଟକା ଦିଆଯାଇଥିଲା ବୋଲି ଚର୍ଚା ହେଉଛି। ସେ ଚୀନ୍ ସରକାର ଏବଂ ସେଠାକାର ନିୟାମକ ବ୍ୟବସ୍ଥା ବିରୋଧରେ ମୁହଁ ଖୋଲିଥିଲେ। ଚୀନ୍‌ର କେନ୍ଦ୍ରୀୟ ବ୍ୟାଙ୍କକୁ ସେ ବୁଢ଼ା ଲୋକମାନଙ୍କ କ୍ଲବ୍ ବୋଲି କହିବାକୁ ପଛାଇନଥିଲେ। ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ବ୍ୟାଙ୍କଗୁଡ଼ିକୁ ମଧ୍ୟ କଡ଼ା ସମାଲୋଚନା କରିଥିଲେ। ଗତ ଅକ୍ଟୋବର ୨୪ରେ ଏହି ଘଟଣା ଘଟିଥିଲା। ତାଙ୍କର ସେହି ମନ୍ତବ୍ୟକୁ ନେଇ ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି‌ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲା। ଏହା ପରେ ଜ୍ୟାକ୍‌ଙ୍କ ଅଧୀନରେ ପରିଚାଳିତ ହେଉଥିବା ବିଭିନ୍ନ ସଂସ୍ଥା ଉପରେ ସରକାର କଟକଣା ଲଗାଇବା ଆରମ୍ଭ କରିଥିଲେ। ସେହି ଦିନଠାରୁ ତାଙ୍କୁ ଆଉ ଦେଖିବାକୁ ମିଳିନାହିଁ। ‘ଆଫ୍ରିକାଜ୍ ବିଜନେସ୍ ହିରୋଜ୍‌’ ନାମରେ ତାଙ୍କର ଏକ ନିଜସ୍ବ ସୋ’ ଚାଲୁଥିଲା। ତାହାର ଶେଷ ଅଧ୍ୟାୟରେ ମଧ୍ୟ ଜ୍ୟାକ୍‌ଙ୍କୁ ଦେଖିବାକୁ ମିଳିନଥିଲା। ସେହି ସୋ’ର ପୋର୍ଟାଲ୍‌ରୁ ତାଙ୍କ ନାମ ହଟାଇ ଦିଆଯାଇଛି। ସେଥିପାଇଁ ତାଙ୍କୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ