ଦୁଡୁଗାଁରେ ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ
ହାଟଡିହି, (ବିକାଶ ବିଶ୍ୱାଳ) :-ତରତରା ପଞ୍ଚାୟତ ଦୁଡୁଗାଁ ଗ୍ରାମରେ ୫ଦିନ ଧରି ଚାଲିଥିବା ପ୍ରସିଦ୍ଧ ଜଗତ ଜନନୀ ଅଗ୍ନି ସ୍ୱରୁପା ମା ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ ହୋଇଛି । ୧୯୬୪ ମସିହାରେ ଏହି ଗ୍ରାମରେ ୯୦ଭାଗ ଘର ନିଆଁରେ ପୋଡି ଧ୍ୱଂସ ହୋଇଯିବାପରେ ମାଙ୍କ ସ୍ୱପ୍ନାଦେଶ ପାଇ ଗ୍ରାମବାସୀ ମାନେ ପାଟନାଳ କୁଳରୁ ମା ହିଙ୍ଗୁଳାଙ୍କ ମୁର୍ତ୍ତୀକୁ ଆଣି ସ୍କୁଲ ପଡିଆରେ ରଖି ସେହିଦିନ ଠାରୁ ମା ହିଙ୍ଗୁଳାଙ୍କ ଯଜ୍ଞ ଆରମ୍ଭ କରିଛନ୍ତି । ତତକାଳୀନ ପଣ୍ଡିତ ଶିବ ନାରାୟଣ ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଆରମ୍ଭ ହୋଇଥିବା ଏହି ହିଙ୍ଗୁଳା ଯଜ୍ଞ ଏବେ ୫୫ବର୍ଷରେ ପଦାର୍ପଣ କରିଛି । ମା”ଙ୍କ ପାଖରେ ଯାହା ଗୁହାରୀ କଲେ ତାହା ଅଚିରେ ପୁରଣ ହୋଇଥାଏ ବୋଲି ଗ୍ରାମବାସୀ ତଥା ଆଖାପଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ବିଶ୍ୱାଷ ରହିଛି । ଏଥିପାଇଁ ଯଜ୍ଞ ସମୟରେ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ପାଖରେ ଭୋଗଲାଗି କରିବା ସହିତ ମାନସିକ କରି ମା’ଙ୍କ ଶରଣାପର୍ଣ୍ଣ ହୋଇ ମାଟିଘୋଡା ଚଢ଼ାଇଥାନ୍ତି । ପଣ୍ଡିତ ବାବୁଲା ଆଚାର୍ଯ୍ୟ, ଅନନ୍ତ ମିଶ୍ର, ହିମାଶୁଂ ରଥଙ୍କ ଦ୍ୱାରା ଗତ ୧୬ତାରିଖ ଦିନ ଅଧିବାସ ଓ ଅଙ୍କୁରାରୋପଣ କରାଯାଇ ୧୭ତାରିଖ ଦିନ କଳଶ ଯାତ୍ରା, ଦେବତା ସ୍ଥାପନ କରାଯାଇ ସୂର୍ଯ୍ୟପୂଜା, ଗୋପୂଜା, ମଣ୍ଡପ ପ୍ରବେଶ , ଚଣ୍ଡୀପାଠ, ଅଗ୍ନିସ୍ଥାପନ କରାଯାଇ ହୋମଯଜ୍ଞ କରାଯାଇ ଥିବାବେଳେ ବିନୋଦ ଚିନରା କର୍ତ୍ତା ଭାବେ ସାମିଲ ହୋଇଥିଲେ । ନିତ୍ୟାନନ୍ଦ ଚିନରା, ଆନନ୍ଦ ସାହୁ, ନାରାୟଣ ସାହୁ, ନରହରି ଖଟୁଆ, ଆଦିତ୍ୟ ଚକ୍ର, ପ୍ରହଲାଦ ଦେହୁରୀ, ପ୍ରଫୁଲ ବେହେରାଙ୍କ ସମେତ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଓ ଗ୍ରାମବାସୀ ହିଙ୍ଗୁଳାଙ୍କ ପୀଠରେ ଭୋଗରାଗ କରିବା ସହିତ ମାଙ୍କ ଶରଣାପର୍ଣ୍ଣ ହେଉଥିବା ଦେଖିବାକୁ ମିଳିଛି । ପୂଜକ ଶତୃଘ୍ନ ବେହେରା ମାଙ୍କ ପାଖରେ ପୂଜାର୍ଚ୍ଚନା କରୁଥିବାବେଳେ ସନ୍ଧ୍ୟାରେ ଭଜନ କିର୍ତ୍ତନ କରାଯାଉଛି ।


