ଦୁର୍ଗମ ପାହାଡରୁ ନରକଙ୍କାଳ ଉଦ୍ଧାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ନିଖୋଜ ହେବାର ୫୦ ଦିନ ପରେ ଗଜପତି ଜିଲ୍ଲାର ମୋହନା ବ୍ଲକର ଏକ ଦୁର୍ଗମ ବନ ପାହାଡ ଅଞ୍ଚଳରୁ ପୋଲିସ ନରକଙ୍କାଳ ଉଦ୍ଧାର କରିଛି । ଗତକାଲି ସାଇନ୍ଟିଫିକ୍ ଟିମ୍ ପାହାଡରେ ତଦନ୍ତ କରି ଫେରିଛନ୍ତି । ଏ ନେଇ ସପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଘଟଣାରୁ ପ୍ରକାଶ ଗଜପତି ଜିଲା ମୋହନା ବ୍ଲକ ମହକୁମା ଖ୍ରୀଷ୍ଟିୟାନସାହିର ଶ୍ୟାମ ସୁନ୍ଦର ସିଂ ଗତ ଜୁନ ୩୦ ତାରିଖରୁ ନିଖୋଜ ଥିଲେ । ପରିବାର ବର୍ଗ ବହୁଖୋଜାଖୋଜି କରିବା ପରେ ଜୁଲାଇ ୭ତାରିଖ ଦିନ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହିଦିନ ଠାରୁ ଘଟଣାର ତଦନ୍ତ ଜାରି ରହିଥିଲା । ଗତ ୧୫ ତାରିଖ ମଧ୍ୟାହ୍ନରେ ମୋହନା ବ୍ଲକର ପିଣ୍ଡିକି ପଞ୍ଚାୟତର ଲବେରମା ଗ୍ରାମ ନିକଟସ୍ଥ ମିନିହୁରି ପାହାଡରେ କେତେକ ଗାଇଚରାଳି ଗାଇମାନଙ୍କୁ ଚରାଉ ଥିବାବେଳେ ଏକ ନରକଙ୍କାଳ ଦେଖିବାକୁ ପାଇଥିଲେ । ଗାଇଚରାଳିମାନେ ଉକ୍ତ ଖବର ନିଖୋଜ ଶ୍ୟାମଙ୍କ ଘରେ ଦେଇଥିଲେ । ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ହୋଇଥିବା ପୁଅର ପୋଷାକ କଙ୍କାଳରେ ଥିବା ଦେଖି ଚିହ୍ନଟ କରି ପୋଲିସରେ ଖବର ଦେଇଥିଲେ । ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନରକଙ୍କାଳକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଇଥିଲେ । ସାଇନ୍ଟିଫିକ୍ ଟିମ୍ ସଂପୃକ୍ତ ପାହାଡରେ ପହଞ୍ôଚ ଗତକାଲି ସମସ୍ତ ତଦନ୍ତ କରିଛନ୍ତି । ଏ ନେଇ ମୋହନା ଥାନା ଆଇଆଇସି ସୁଜିତ ନାୟକ କହିଛନ୍ତି ଗତ ୭ତାରିଖରେ ପରିବାର ଲୋକଙ୍କ ଅଭିଯୋଗକୁ ନେଇ କେସ ନଂ ୬/୧୯ରେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିଲା । ବର୍ତ୍ତମାନ ନିଖୋଜ ବ୍ୟକ୍ତିର ପରିବାର ଲୋକେ କଙ୍କାଳକୁ ତାଙ୍କ ପୁଅ ବୋଲି ଚିହ୍ନଟ କରିବା ପରେ କଙ୍କାଳକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ସାଇନ୍ଟିଫିକ୍ ଟିମ୍ ଦ୍ୱାରା ଘଟଣାର ତଦନ୍ତ କରାଯାଇଛି । ଏ ସମସ୍ତ ରିପୋର୍ଟ ଆସିବାପରେ ଘଟଣାର ରହସ୍ୟ ଉଦ୍ଘାଟିତ ହେବ । ଅପର ପକ୍ଷରେ ମୃତ ଶ୍ୟାମଙ୍କ ପରିବାର ଲୋକେ ଏହାକୁ ଏକ ସୁପରିକଳ୍ପିତ ହତ୍ୟ ଘଟଣା ବୋଲି ଅଭିଯୋଗ କରିଛନ୍ତି ।