ଦୁର୍ଘଟଣାରେ ବାଇକ୍ ଚାଳକ ଗୁରୁତର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗୁରୁବାର ସନ୍ଧ୍ୟାରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସାରୁ ଛକ ନିକଟରେ ଏକ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବାଇକ୍ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ କୋରାପୁଟ ଜିଲ୍ଲା ଜୟପୁର ଏଲଆଇସି କଲୋନୀର ସରୋଜ କୁମାର ଗୌଡ (୨୭) । ବ୍ରହ୍ମପୁର ଠାରୁ ଆସିକା ଅଭିମୁଖେ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସଂପୃକ୍ତ ଆମ୍ବୁଲାନ୍ସ କର୍ମଚାରୀ ମାନେ ଆହତଙ୍କ ଠାରୁ ଉଦ୍ଧାର ହୋଇଥିବା ମନିପର୍ସ, ଏଟିଏମ୍ କାର୍ଡ, ଏକ ବ୍ୟାଗ ଉଦ୍ଧାର କରିଥିଲେ। ଆହତ ଜଣଙ୍କ ସଂଜ୍ଞାହୀନ ଥିବାରୁ ଉଦ୍ଧାର ୭୩୩୦ ଟଙ୍କା ସମେତ ଅନ୍ୟାନ ଉଦ୍ଧାର ସାମଗ୍ରୀ ହିଞ୍ଜିଳି ପୁଲିସକୁ ହସ୍ତାନ୍ତର କରିଥିଲେ। ଲୋଭର ବଶବର୍ତ୍ତୀ ନହୋଇ ଆମ୍ବୁଲାନ୍ସ ଚାଳକ ଶଙ୍କର ଜେନା ଓ ଫାର୍ମାସିଷ୍ଟ ଚିନ୍ମୟ ନାୟକ ଆହତଙ୍କ ଟଙ୍କା ଫେରାଇଥିବାରୁ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି ସଂପୃକ୍ତ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି। ପ୍ରକାଶ ଯେ, ଯୁବକ ଜଣଙ୍କ କୌଣସି କାମରେ ବ୍ରହ୍ମପୁର ଠାରୁ ଆସିକା ଅଭିମୁଖେ ବାଇକ୍ (ଓଡି୧୦ଏମ ୨୦୯୦) ଯୋଗେ ଯାଉଥିବା ବେଳେ ହିଞ୍ଜିଳି ଥାନା ସାରୁ ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶୀକାର ହୋଇଥିଲେ ।