ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଆଜି କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ର ବିଚାରପତି ବିଜୟ କୁମାର ମିଶ୍ର ଏକ ଦୁଷ୍କର୍ମ ମାମଲାର ବିଚାର କରି ସଦର ଥାନା ଅନ୍ତର୍ଗତ କସଡା ଗ୍ରାମର ଆସାମୀ ବିଦେଶିଆ ପ୍ରଧାନ(୨୨) କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୨୦ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ଅଧିକା ଏକ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ତା ୩୧.୦୫.୨୦୨୦ ରିଖରେ ଚାଇଲ୍ଡ ଲାଇନ୍ ଟିମ୍ ଲିଡର ଶୁକାନ୍ତି ପାତ୍ର ଟେଲିଫୋନ୍ ଯୋଗେ ଖବର ପାଇଲେ ଯେ ଆସାମୀ ଏକ ନାବାଳିକାକୁ ବାହା ହେବା ନିମନ୍ତେ ଅପହରଣ କରି ନେଇ ତା’ ସହ ଦୁଷ୍କର୍ମ କରିଥିଲା । ଖବରପାଇ ଚାଇଲ୍ଡ ଲାଇନ୍ ର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତି କରି ସଦର ପୋଲିସ ଏକ ଅପହରଣ,ଦୁଷ୍କର୍ମ ଏବଂ ଶିଶୁ ବିବାହ ଆଇନ ଅନୁସାରେ ଆସାମୀକୁ କୋର୍ଟ ଚାଲାଣ କରିଥିଲା । ଆଜି ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଆସାମୀ ବିଦେଶିଆ ପ୍ରଧାନ(୨୨) କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇବା ସହ ପୀଡିତାକୁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ନିମନ୍ତେ ଲିଗାଲ ଏଡ୍କୁ ସୁପାରିଶ କରିଛନ୍ତି । ସରକାରଙ୍କ ତରଫରୁ ସ୍ପେଶାଲ ପିପି ଜ୍ଞାନେନ୍ଦ୍ର ନାଥ ଜେନା କେଶ ପରିଚାଳନା କରୁଥିଲେ ।