ଦୂରଦର୍ଶନ ଭବନ ପରିସରରେ ଦୂରଦର୍ଶନର ୬୦ତମ ପ୍ରତିଷ୍ଠା ଦିବସ ପାଳିତ

ନୂଆଦିଲ୍ଲୀସ୍ଥିତ ଦୂରଦର୍ଶନ ଭବନ ପରିସରରେ ଦୂରଦର୍ଶନର ୬୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ଜାଭଡେକର ବିଗତ ୬୦ ବର୍ଷର ଯାତ୍ରାରେ ଦୂରଦର୍ଶନର ଭୂମିକା ଉପରେ ଆଲୋକପାତ କରିଥିଲେ । ଦୂରଦର୍ଶନରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ବିଷୟରେ ସେ ଉଲ୍ଲେଖ କରିବା ସହିତ ଦଶନ୍ଧି ଦଶନ୍ଧି ଧରି ଏହା କିପରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛି ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଦୂରଦର୍ଶନ ଆଧୁନିକ ପ୍ରଯୁକ୍ତିକୁ ଆପଣାଇବା ସହିତ ଡିଜିଟାଲ ମାଧ୍ୟମରେ ମୋବାଇଲ ଆପ ଜରିଆରେ ପ୍ରତ୍ୟେକଙ୍କ ହାତମୁଠାରେ ପହଁଚିପାରିଛି ବୋଲି ସେ କହିଥିଲେ । ଡିଡି ଫ୍ରି ଡିଶର ବ୍ୟାପକ ଅଭିବୃଦ୍ଧି ଏବଂ ଏହି ମାଧ୍ୟମରେ ପ୍ରସାରଣ ଲାଗି ବିଭିନ୍ନ ଚ୍ୟାନେଲ ପକ୍ଷରୁ ବୃଦ୍ଧି ପାଉଥିବା ଆଗ୍ରହ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ବିଶ୍ୱସନୀୟତା ଦୂରଦର୍ଶନର ବିଶେଷତ୍ୱ ବୋଲି ଉଲ୍ଲେଖ କରି ଶ୍ରୀ ଜାଭଡେକର କହିଥିଲେ, ଡିଡି ଇଣ୍ଡିଆ ଖୁବଶୀଘ୍ର ସାରା ବିଶ୍ୱରେ ପ୍ରସାରିତ ହେବ । ଉଚ୍ଚମାନର ବିଷୟବସ୍ତୁ ଗୁରୁତ୍ୱପୂର୍ଣ୍ଣ । ଦୂରଦର୍ଶରେ ସୃଜନଶୀଳ ପ୍ରମୁଖମାନଙ୍କୁ ନିଯୁକ୍ତି ଦେବା ଲାଗି ପ୍ରସାର ଭାରତୀର ନିଷ୍ପତିକୁ ସେ ପ୍ରଶଂସା କରିଥିଲେ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅମିତ ଖାରେ କହିଥିଲେ ଯେ ଆଧୁନିକ ପ୍ରଯୁକ୍ତିକୁ ଆପଣାଇବା ସହିତ ଦୂରଦର୍ଶନ ଏବଂ ଡିଡି ନ୍ୟୁଜ କ୍ରମାଗତ ଭାବେ ବିକାଶ ଲାଭ କରିଚାଲିଛନ୍ତି । ଦୂରଦର୍ଶନକୁ ସର୍ବବୃହତ ସାର୍ବଜନୀନ ପ୍ରସାରଣକାରୀ ଭାବେ ଅଭିହିତ କରି ସେ କହିଥିଲେ ଯେ ଆଜିର ବ୍ରେକିଂ ନ୍ୟୁଜର ଯୁଗରେ ଦୂରଦର୍ଶନ ଦର୍ଶକମାନଙ୍କୁ ସତ୍ୟ ଏବଂ ସଠିକ ସୂଚନା ଦେବାର ପରମ୍ପରା ବଜାୟ ରଖିଛି । ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶଶି ଶେଖର ଭେମ୍ପତି କହିଥିଲେ ଯେ ଯୁବ ଦର୍ଶକମାନଙ୍କ ସହିତ ଯୋଡ଼ି ହୋଇ ଦୂରଦର୍ଶନ ଯୁବାବସ୍ଥା ଲାଭ କରିଛି । ସେ ଡିଜିଟାଲ କ୍ଷେତ୍ରରେ ଦୂରଦର୍ଶନର ଉପସ୍ଥିତି ବିଷୟରେ ଉଲ୍ଲେଖ କରିବା ସହିତ ଇଚ୍ଛାନୁଯାୟୀ ଭିଡିଓ ଉପଲବ୍ଧ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଶ୍ରୀ ଜାଭଡେକରଙ୍କ ଦ୍ୱାରା ଦୂରଦର୍ଶନର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଭାବେ ଡିଜାଇନ ହୋଇଥିବା ଡାକ ଟିକେଟ ଏବଂ ଆଲୋକ ଶ୍ରୀବାସ୍ତବଙ୍କ ଦ୍ୱାରା ରଚିତ ତଥା ଅମିତାଭ ବଚ୍ଚନଙ୍କ ଦ୍ୱାରା ଆବୃତ କବିତା ଉନ୍ମୋଚନ କରାଯାଇଥିଲା । ଏହି କବିତାରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ପ୍ରୋତ୍ସାହନ, ନାରୀ ସଶକ୍ତିକରଣ, ସବୁଜ ବିପ୍ଳବର ପ୍ରୋତ୍ସାହନ ଦିଗରେ ଦୂରଦର୍ଶନର ଭୂମିକା ବିଷୟରେ ବର୍ଣ୍ଣନା କରାଯାଇଛି । ଏଥିରେ ଦୂରଦର୍ଶନର ୬୦ ବର୍ଷର ଯାତ୍ରା ତଥା ଦୂରଦର୍ଶନ କିପରି ଭାବେ ନୂତନ ଭାରତର ପ୍ରତୀକ ହୋଇପାରିଛି ତାହା ଉଲ୍ଲେଖ କରାଯାଇଥିଲା । ଡିଡି ଫ୍ରି ଡିଶରେ କୋରିଆର ସାର୍ବଜନୀନ ପ୍ରସାରଣକାରୀ ଚ୍ୟାନେଲ କେବିଏସ ୱାର୍ଲ୍ଡର ପ୍ରସାରଣ ଏବଂ ଏମୱାଇକେ ଓଟିଟି ପ୍ଲାଟଫର୍ମ ଜରିଆରେ କୋରିଆରେ ଡିଡି ଇଣ୍ଡିଆ ପ୍ରସାରଣକୁ ମଧ୍ୟ ମନ୍ତ୍ରୀ ଶୁଭାରମ୍ଭ କରିଥିଲେ । କୋରିଆ ରାଷ୍ଟ୍ରଦୂତ ମିଃ. ଶିନ ବୋଙ୍ଗକିଲ ଏହି ଅବସରରେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ୧୯୫୯ ମସିହା ସେପ୍ଟେମ୍ବର ୧୫ ତାରିଖରେ ଦୂରଦର୍ଶନର ପ୍ରଥମ ପରୀକ୍ଷାମୂଳକ ପ୍ରସାରଣ ସେବା ଆରମ୍ଭ ହୋଇଥିଲା । ଏବେ ୧୫ ସେପ୍ଟେମ୍ବର ୨୦୧୯ରେ ଏହାକୁ ୬୦ ବର୍ଷ ପୂରଣ ହୋଇଛି । ବିଶ୍ୱର ଅନ୍ୟତମ ସର୍ବବୃହତ ପ୍ରସାରଣକାରୀ ସଂସ୍ଥା ଭାବେ ଦୂରଦର୍ଶନ ରାଷ୍ଟ୍ର ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ